ପ୍ରେମୀଯୁଗଳଙ୍କ ଗଳିତ ମୃତଦେହ ଠାବ

ହାଟଡିହି/ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଆନନ୍ଦପୁର-ଭଦ୍ରକ ରାସ୍ତାର ତରତରା ଛକ ନିକଟରେ ପ୍ରେମୀଯୁଗଳଙ୍କ ଗଳିତ ମୃତ‌ଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। ତିନିଚାରି ଦିନ ତଳୁ ସେମାନଙ୍କ ମୃତ୍ୟୁ ଘଟିଥିବାରୁ ଶବ ପଚି ନଷ୍ଟ ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଦଧିବାମନପୁର ଗ୍ରାମର ଜ‌ଣେ ଯୁବକଙ୍କ ସହ ରତକଣା ଗ୍ରାମର ଜଣେ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ଅଗଷ୍ଟ ମାସରେ ଉଭୟ ପରିବାରର ସମ୍ମତିକ୍ରମେ ଉଭୟ ବୈଦିକ ରୀତିରେ ବିବାହ କରୁଥିଲେ। ଝିଅ ନାବାଳିକା ହୋଇଥିବାରୁ ଖବର ପାଇ ପ୍ରଶାସନ ଏବଂ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ପହଞ୍ଚି ବିବାହ ବନ୍ଦ କରିଥିଲେ। ଝିଅକୁ ୧୮ ବର୍ଷ ପୂରିଲେ ବିବାହ କରାଇବାକୁ ଉଭୟ ପରିବାରକୁ ପରାମର୍ଶ ଦେଇଥିଲା। ଏପରିକି ବିବାହ ବନ୍ଦ ହେବା ପରେ ସମ୍ପୃକ୍ତ ଯୁବକ ଏବଂ ନାବାଳିକା ଏକାଠି ରହୁଥିଲେ ବୋଲି ଶୁଣିବାକୁ ମିଳୁଛି। ୪ଦିନ ତଳେ ଉଭୟ ହଠାତ୍‌ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ସେମାନଙ୍କର କୌଣସି ଖୋଜଖବର ମିଳି ନଥିଲା।

ଆଜି ସନ୍ଧ୍ୟାରେ ତରତରା ଛକଠାରୁ ୫୦୦ ମିଟର ଦୂରରେ ଥିବା ଏକ ନିମଗଛରେ ଦୁଇଜଣଙ୍କ ଗଳିତ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆନନ୍ଦପୁର ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛି। ସେମାନେ ଆତ୍ମହତ୍ୟା କରିଛନ୍ତି ନା ଉଭୟଙ୍କୁ ମାରି ଟାଙ୍ଗି ଦିଆଯାଇଛି ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି। ଯଦି ଆତ୍ମହତ୍ୟା କରିଛନ୍ତି କେଉଁ କାରଣ ପାଇଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଉଭୟ ନିଖୋଜ ହେବାର ଚାରିଦିନ ପରେ ମଧ୍ୟ କାହିଁକି ସେମାନେଙ୍କ ପରିବାର ଏନେଇ ଥାନାରେ ଜଣାଇ ନଥିଲେ ତାକୁ ନେଇ ସନ୍ଦେହ ଉପୁଜିଛି। ତଦନ୍ତ ଆଗକୁ ବଢ଼ିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର