ଭୁବନେଶ୍ବର: କଟକର ଏକ ଘରୋଇ ନର୍ସିଂ ହୋମରେ ଆଜି ଅପରାହ୍ଣରେ ନିଆଁ ଲାଗିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ଅନ୍ୟପଟେ ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଘଟଣା ସଂପର୍କରେ ଅବଗତ ଅଛୁ। ଏହି ଅଘଟଣ ନେଇ ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଛିଲା। ଅଗ୍ନିଶମ ଡିଜି, ସ୍ବାସ୍ଥ୍ୟ ସଚିବ ଓ ଜିଲ୍ଲାପାଳଙ୍କ ସହିତ କଥା ହୋଇଛି। ଉଦ୍ଧାର ରୋଗୀମାନଙ୍କୁ ଏସ୍ସିବି ଓ ଶିଶୁଭବନରେ ଭର୍ତ୍ତି କରାଯାଇଛି। ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, ଆଇସିୟୁରେ ଆଦୌ ନିଆଁ ଲାଗି ନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା।
ସୂଚନାଯୋଗ୍ୟ ପୁରୀଘାଟ ଥାନା ନିକଟ ଘରୋଇ ନର୍ସିଂହୋମରେ ଆଜି ଅପରାହ୍ଣ ପ୍ରାୟ ୪ଟାରେ ଅଗ୍ନିକାଣ୍ଡ ଘଟିଥିଲା। ଡାକ୍ତରଖାନାର ତୃତୀୟ ମହଲାରେ ନିଆଁ ଲାଗିବା ମାତ୍ରେ ରୋଗୀ, ରୋଗୀ ସଂପର୍କୀୟ, ଡାକ୍ତରଖାନାର କର୍ମଚାରୀ ଡରିଯାଇଥିଲେ। ଅଗ୍ନିକାଣ୍ଡ ଘଟଣା ନେଇ ଦମକଳବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମ ଜାରି ରଖିଛନ୍ତି। ଡାକ୍ତରଖାନାର ତୃତୀୟ ମହଲାରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରାଯାଇଛି। କିଛି ନବଜାତଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ଚିକିତ୍ସାଧୀନ ରୋଗୀମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ୍ ସର୍ଟସର୍କିଟରୁ ଏହି ଅପ୍ରୀତିକର ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଏହାରି ମଧ୍ୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ରିପୋର୍ଟ ଲେଖାଯିବା ବେଳକୁ କୌଣସି ଜୀବନକୁ କ୍ଷତି ପହଞ୍ଚି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/e8403629-716b-455e-b27b-b4e98e389272.jpeg)