ବନ୍ଧକ ଆଦିବାସୀ ଯୁବତୀଙ୍କୁ ଉଦ୍ଧାର କଲା ପୁଲିସ୍: ଅଭିଯୁକ୍ତ ଗିରଫ

ଥୁଆମୂଳ ରାମପୁର: ଜଣେ ଆଦିବାସୀ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବନ୍ଧକ ରଖିବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୁଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବନ୍ଧକ ପଡ଼ିଥିବା ସଂପୃକ୍ତ ଯୁବତୀଙ୍କୁ ପୁଲିସ୍ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁସାରେ, ଥୁଆମୂଳ ରାମପୁର ଥାନା ଟେଭାମହୁଲ ଗାଁର ଉକ୍ତ ଯୁବତୀଙ୍କୁ ଏକ ଫୋନ କଲ ମାଧ୍ୟମରେ ପୁଲିଙ୍ଗପଦର ଗ୍ରାମର ଅନ୍ୟ ଏକ ଯୁବତୀ ଯୋଗାଯୋଗ କରିଥିଲା। ତାର ସୂଚନା ଅନୁସାରେ ଏକ କମ୍ପାନି ଖୋଲାଯାଇଛି। ସେଠାରେ ରହି କାମ କଲେ ମାସିକ ୧୦ ହଜାର ଟଙ୍କା ଦରମା ମିଳିବ ବୋଲି ସୂଚନା ଦେଇଥିଲା। ଏହି ସୂଚନା ମୁତାବକ ଯୁବତୀ ଜଣକ ଫୋନ୍‌ କରିଥିବା ଯୁବତୀ ସହ ଯୋଗଯୋଗ କରି ଗତ ୪ ତାରିଖ ଦିନ ନିଜ ଘରୁ ବାହାରି ଉକ୍ତ ଯୁବତୀଙ୍କ ଠିକଣା ମୁତାବକ ଯାଜପୁର ରୋଡରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ୬ ତାରିଖ ଦିନ ସେ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଫୋନ୍‌ କରି ଚାକିରିରେ ପ୍ରବେଶ କରିବା ପାଇଁ ୨୫ ଶହ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇଥିଲେ। ପରେ ଟଙ୍କା ନଥିବାରୁ ୨ ହଜାର ଟଙ୍କା ପରିବାର ଲୋକ ପଠାଇଥିଲେ।

କିନ୍ତୁ ପରବର୍ତ୍ତୀ ଦିନ ପୁଣି ୧୫ ହଜାର ଟଙ୍କା ଦାବି କଲେ। ଏତେ ଟଙ୍କା ଦେବାରେ ଅସମର୍ଥ ଥିବା ଯୁବତୀଙ୍କ ବାପା ଜଣାଇବା ପରେ ତୁମ ଝିଅକୁ ବାହାର କରିଦେବୁ, ତାର ଭବିଷ୍ୟତ ପାଇଁ ଆମେ ଦାୟୀ ନୁହେଁ ବୋଲି ରୋକଠୋକ୍ ଶୁଣାଇଥିଲେ। ଯାହା ଶୁଣିବା ପରେ ଯୁବତୀଙ୍କ ପରିବାର ଲୋକ ଚିନ୍ତାରେ ରହିଥିଲେ। ଏହି ବିଷୟ ନେଇ ବାପା ଗତ ୧୩ ତାରିଖ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ବିଷୟ ନେଇ ଗଣମାଧ୍ୟମରେ ପ୍ରକାଶିତ ହେଲା ପରେ ପୁଲିିସ ତତ୍ପରତା ପ୍ରକାଶ କରିଥିଲା।

କଳାହାଣ୍ଡି ପୁଲିସ୍ ପକ୍ଷରୁ ଏସ୍‌ଡିପିଓ ସୁନାରାମ ହେମ୍ବ୍ରମଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ ପାଇଁ ୧୪ ତାରିଖ ଯାଜପୁର ରୋଡରେ ଥିବା ଏସ୍.ଏଚ୍.ପି.ଏଲ୍ କମ୍ପାନିକୁ ପହଞ୍ଚି ସେଠାରୁ ବନ୍ଧକ ଥିବ‌ା ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଜେରା ପାଇଁ ଥୁଆମୂଳ ରାମପୁର ଥାନାକୁ ଅଣାଯାଇଥିଲା। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜଗମୋହନ ଗାଁର ଗୋବିନ୍ଦ ସାହୁ। ଶୁକ୍ରବାର ଥୁଆମୂଳ ରାମପୁର ଥାନାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ପୁଲିସ୍ ଯୁବତୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣାକୁ ନେଇ ପୁଲିସ୍ ଆଉ ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର