ବଜେଟ୍‌ରେ କୃଷି କ୍ଷେତ୍ରରେ ଗବେଷଣା, ବିକାଶକୁ ଗୁରୁତ୍ବ

ଓୟୁଏଟି ହେବ ଉତ୍କର୍ଷ କେନ୍ଦ୍ର
ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ
ନଦୀ ବନ୍ଧରେ ଜଳ ସଂରକ୍ଷଣ ପାଇଁ ୭୯୫ କୋଟି

ଭୁବନେଶ୍ବର : ୨୦୨୧-୨୨ ସ୍ବତନ୍ତ୍ର କୃଷି ବଜେଟ୍‌ରେ ଗବେଷଣା, ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯାଇଛି। ଓୟୁଏଟିକୁ ‘ଉତ୍କର୍ଷ କେନ୍ଦ୍ର’ରେ ପରିଣତ କରିବା ସହ କୃଷି ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ବସ୍ତରୀୟ ମାନଦଣ୍ଡ ସୃଷ୍ଟି କରାଯିବ। କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ୨୦୧୯-୨୦ ଆର୍ଥିକ ବର୍ଷର ବ୍ୟୟବରାଦର ୫ ଗୁଣ ଅଟେ। ସେହିପରି ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଶିକ୍ଷା ଓ ଗବେଷଣା ନିମେନ୍ତ ୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟରେ ଏକ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ଓ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ।

ସ୍ବତନ୍ତ୍ର କୃଷି ବଜେଟ୍‌ରେ ମୋଟ୍‌ ୧୭,୪୬୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ କାଳିଆ ଯୋଜନାକୁ ଚାଲୁ ରଖିବା ପାଇଁ ୧୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଜୈବିକ କୃଷିକୁ ତ୍ବରାନ୍ବିତ କରିବା ନିମନ୍ତେ ‘ପରମ୍ପରାଗତ କୃଷି ବିକାଶ ଯୋଜନା’ରେ ୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଉତ୍ତମ ମାନର ଫସଲ ଉତ୍ପାଦନ ପାଇଁ ବିହନ ଓ ସାର ଗୁରୁତ୍ବପୂର୍ଣ୍ଣ ଉପାଦାନ ହୋଇଥିବାରୁ ଚାଷୀଙ୍କୁ ଆଗୁଆ ବିହନ ଯୋଗାଇ ଦେବା ପାଇଁ ୧୦୦ କୋଟି ଓ ସାର ଯୋଗାଇ ଦେବା ପାଇଁ ଆଉ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ସେହିପରି ‘ଉଦ୍ୟାନ କୃଷି ବିକାଶ ‌କାର୍ଯ୍ୟକ୍ରମ’ ପାଇଁ ୧୩୨ କୋଟି ଓ ‘ଜାତୀୟ ଉଦ୍ୟାନ କୃଷି ମିସନ୍’ ପାଇଁ ୧୨୦ କୋଟି ବ୍ୟୟବରାଦ କରାଯାଇଛି। କୃଷିକୁ ଆର୍ଥିକ କାରବାରର ଏକ ମୁଖ୍ୟ ଉତ୍ସ ଭାବେ ବିକଶିତ କରିବା ପାଇଁ ‘ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା’ରେ ୪୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

କୃଷି ପାଇଁ ଜଳସେଚନ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷରେ ଅତିରିକ୍ତ ୨ ଲକ୍ଷ ୭୪ ହଜାର ହେକ୍ଟ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ୮ଟି ‘ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକ୍ଚର୍‌’(ଆଇଏସ୍‌ଏସ୍‌) ନିର୍ମାଣ ହାତକୁ ଦିଆଯାଇଛି। ୭୯୫ କୋଟି ଟଙ୍କା ବ୍ୟୟ ଅଟକଳରେ ଆହୁରି ୨୩ଟି ନୂଆ ଆଇଏସ୍‌ଏସ୍‌ ନିର୍ମାଣ କରିବାକୁ ଯୋଜନା ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ଓ ନବରଙ୍ଗପୁର ଜିଲ୍ଲାର ତୁରୀ-ଗୁଣ୍ଟାତରେ ୨ଟି ନୂଆ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ। ପିଏମ୍‌କେଏସ୍‌ୱାଇ ମାଧ୍ୟମରେ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ତ୍ବରିତ ଜଳସେଚନ ସୁବିଧା ଯୋଜନାରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ୨୨୫୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ବାଦ୍ ବନ୍ୟା‌ ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ନିମନ୍ତେ ୭୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅଧୀନରେ ଚାଲୁ ରହିଥିବା‌ ୬୦ଟି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ୮୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୧ ହଜାର ଗଭୀର ନଳକୂପ ଖନନ ନିମନ୍ତେ ୩୮୯ କୋଟି ଓ ୫୦୦ ଗୋଷ୍ଠୀ ଉଠା ଜଳ‌େସଚନ ପଏଣ୍ଟ ସ୍ଥାପନ ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କୃଷି ବଜେଟ୍‌ରେ ଚାଷୀଙ୍କୁ ଋଣ ସୁବିଧା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁଧ ସବ୍‌ସିଡି ଯୋଜନାରେ ଚାଷୀଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୮୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ଚାଷୀଙ୍କୁ ତ୍ବରିତ ସହାୟତା ଓ ପର୍ଯ୍ୟାପ୍ତ କ୍ଷତିପୂରଣ ନିମନ୍ତେ ୫୦୦ କୋଟି ଟଙ୍କା ବ୍ୟୟ କରାଯାଇଛି।

ଅଣକୃଷି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇ କୃଷକଙ୍କ ଆୟ ବୃଦ୍ଧି ପାଇଁ ବଜେଟ୍‌ରେ ଗୁରୁତ୍ବ ଦିଆଯାଇଛି। ମତ୍ସ୍ୟ ଚାଷ ଓ ପଶୁପାଳନ କ୍ଷେତ୍ରରେ ବ୍ୟୟବରାଦ ଯଥେଷ୍ଟ ବୃଦ୍ଧି କରି ୧୪୧୫ କୋଟି ଟଙ୍କା ବରାଦ କରାଯାଇଛି। ଉନ୍ନତ ମାନର ଦୁଗ୍ଧ ପ୍ରକ୍ରିୟାକରଣ ନିମିତ୍ତ ଓମ୍‌ଫେଡ୍‌ ମାଧ୍ୟମରେ ୫ ଲକ୍ଷ ଏଲ୍‌ପିଡି ବିଶିଷ୍ଟ ଡାଏରି ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଆର୍‌ଆଇଡିଏଫ୍‌ ସହାୟତାରେ ୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର