ଗବେଷଣା ଓ ସମ୍ପ୍ରସାରଣ ସଭା ଉଦ୍‌ଘାଟିତ: ବିଭିନ୍ନ ଫସଲର ୧୭୦ କିସମ ଉଦ୍ଭାବନ କରିଛି ଓୟୁଏଟି

ଭୁବନେଶ୍ବର: ବିଭିନ୍ନ ଫସଲର ୧୭୦ଟି କିସମ ଉଦ୍ଭାବନ କରିଛି ଓୟୁଏଟି। ଗତବର୍ଷର କଳିଙ୍ଗ ଆଖୁ-୩୪୬, କଳିଙ୍ଗ ସୁଆଁ-୨୧୭, କଳିଙ୍ଗ ଚିନାବାଦାମ ୧୦୧ ପ୍ରମୁଖ ଅଟେ। ଏଥିସହିତ ୫ଟି ନୂତନ କିସମ ଧାନ ସହିତ, ବିଭିନ୍ନ ଫସଲର ୧୫ ନୂତନ କିସମକୁ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଓୟୁଏଟି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ସଭା ଉଦ୍‌ଘାଟନ ଅବସରରେ ଏହି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମକୁ ଓୟୁଏଟି ଅଧ୍ୟକ୍ଷ କୁମ୍ଭକର୍ଣ୍ଣ ରାଉତ ଉଦ୍‌ଘାଟନ କରିଥିଲେ। ବିଶ୍ବବିଦ୍ୟାଳୟ ଗବେଷଣା ଅଧ୍ୟକ୍ଷ ପ୍ରଫେସର ମନମୋହନ ମିଶ୍ର ରାଜ୍ୟସ୍ତରୀୟ ଏହି ସମାବେଶରେ ଉପସ୍ଥିତ ବୈଜ୍ଞାନିକମାନଙ୍କୁ ସ୍ବାଗତ କରିବା ସହିତ ୨୦୨୧-୨୨ ମସିହାର ବିଶ୍ବବିଦ୍ୟାଳୟର ଗବେଷଣା ସଫଳତା ବିଷୟରେ କହିଥିଲେ। ଏହି ଅବସରରେ ଆହୁରି କୁହାଯାଇଥିଲା, ଗତବର୍ଷ ୫୧୩ କ୍ବିଣ୍ଟାଲ ପ୍ରଜନନ ବିହନ, ୧.୪୩ କ୍ବିଣ୍ଟାଲର ମୂଲ୍ୟବାନ ନ୍ୟୁକ୍ଲିଅସ ମଞ୍ଜି ବିଶ୍ବବିଦ୍ୟାଳୟ ପକ୍ଷରୁ ଉତ୍ପାଦନ କରାଯାଇଛି।

ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର ରାଜ୍ୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରମାନଙ୍କ ଦ୍ବାରା ଗତବର୍ଷ ରାଜ୍ୟର ୫୧୪୬୮ ଚାଷୀଙ୍କୁ ଧନ୍ଦାମୂଳକ ତାଲିମ ଦିଆଯାଇଥିଲା। ୨୫ ଲକ୍ଷରୁ ଊର୍ଧ୍ବ କୃଷକ ଏବଂ କୃଷି ପରିବାରକୁ ଜ୍ଞାନକୌଶଳ ମୋବାଇଲ ମାଧ୍ୟମରେ ଦିଆଯାଇଛି। କୃଷି ଯାନ୍ତ୍ରିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଏସ.କେ ଦାସ, ପଶୁପାଳନ ମହାବିଦ୍ୟାଳୟ ଅଧ୍ୟକ୍ଷ ଏସ.କେ ପଣ୍ଡା ଗବେଷଣାତ୍ମକ ଜ୍ଞାନର ସଦୁପଯୋଗ ନେଇ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କୃଷି ମହାବିଦ୍ୟାଳୟ ଅଧ୍ୟକ୍ଷ କହିଛନ୍ତି, ବିଶ୍ବବିଦ୍ୟାଳୟ, ଭାରତୀୟ କୃଷି ଗବେଷଣା ପରିଷଦ, ଭାରତ ସରକାର, ଓଡ଼ିଶା ସରକାର, କୃଷକମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କଲେ କୃଷକମାନଙ୍କ ଆଶା ପୂରଣ ହେବ। ଏହି ଅବସରରେ ବିଭିନ୍ନ ଫସଲର ବୈଜ୍ଞାନିକ ଜ୍ଞାନକୌଶଳ ଆଧାରିତ ପୁସ୍ତିକା ଉନ୍ମୋଚିତ ହୋଇଛି। ଦୁଇ ଦିନ ଧରି ଚାଲିଥିବା ସଭାରେ ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକମାନେ ଗତବର୍ଷର କାର୍ଯ୍ୟକ୍ରମର ସଫଳତା, ଆସନ୍ତା ବର୍ଷର କାର୍ଯ୍ୟକ୍ରମର ଖସଡ଼ା ଉପରେ ଆଲୋଚନା କରାଯିବ। ସମ୍ପ୍ରସାରଣ ନିର୍ଦେଶାଳୟର ଯୁଗ୍ମ ନିର୍ଦେଶକ ଡ. ମହାମାୟା ପ୍ରସାଦ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର