ଗୁପ୍ତେଶ୍ବର ପାହାଡ଼ରୁ ଗବେଷଣା ଆରମ୍ଭ, ସର୍ବେକ୍ଷଣ କଲେ ଉଚ୍ଚସ୍ତରୀୟ କମିଟି

ମିଳିଲା ଲାଲ୍‌, ଧୂସର, କଳା ରଙ୍ଗର ମୃସଣ ମାଟିପାତ୍ରର ଭଗ୍ନାଂଶ

ଜଉଗଡ଼ ପୂର୍ବରୁ ଗୁପ୍ତେଶ୍ବର ପାହାଡ଼ରେ ଥିଲା ଜନବସିତ
ଋଷିକୁଲ୍ୟା ଉପତ୍ୟକା ପ୍ରାକ୍‌ ଐତିହାସିକ ଯୁଗରୁ ସମୃଦ୍ଧ : ଗବେଷକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଅନ୍ତର୍ଗତ ପାଣ୍ଡିଆ ଗ୍ରାମ ନିକଟ ଋଷିକୁଲ୍ୟା ନଦୀତଟରେ ରହିଛି ବୌଦ୍ଧ କୀର୍ତ୍ତିରାଜି ‘ଜଉଗଡ଼’ ଓ ପ୍ରାଚୀନ ପାହାଡ଼ ‘ଗୁପ୍ତେଶ୍ୱର’। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ଥ ‘ଦକ୍ଷିଣ-ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଗୁପ୍ତେଶ୍ବର ପାହାଡ଼ ଉପରେ ଆରମ୍ଭ ହୋଇଛି ସର୍ବେକ୍ଷଣ। ପ୍ରତିଷ୍ଠାନର ସଚିବ ତଥା ପ୍ରତ୍ନତତ୍ତ୍ବବିତ୍‌ ଡ.ସୁନୀଲ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ସର୍ବେକ୍ଷଣରେ ଗବେଷକ ଡ.ଗୋପାଳ ପ୍ରଧାନ ଓ ଡ. ବଳରାମ ତ୍ରିପାଠୀ ସାମିଲ ଅଛନ୍ତି।

ପ୍ରତ୍ନତତ୍ତ୍ବବିତ୍‌ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଗୁପ୍ତେଶ୍ବର ପାହାଡ଼ ଉପରେ ୬ରୁ ୭ଟି ପ୍ରାକୃତିକ ପଥରର ଆବାସସ୍ଥଳୀ ରହିଛି। ଋଷିକୁଲ୍ୟା ନଦୀ ଅବବାହିକାରେ ସଭ୍ୟତାର ଆରମ୍ଭ ବେଳେ ଲୋକେ ଏଠାରେ ବସବାସ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି। ଉକ୍ତ ଆବାସସ୍ଥଳରୁ କିଛି କଟା ପଥର, ପୋଡ଼ା ଇଟା ଓ ପ୍ରାଚୀନ ମାଟିପାତ୍ର ମିଳିଛି, ଯାହାକି ଏକ ବଳିଷ୍ଠ ପ୍ରମାଣ। ଭାରତର ବିଭିନ୍ନ ଅଞ୍ଚଳରେ ପ୍ରାଚୀନ ସଭ୍ୟତା ବେଳର ଅବାସସ୍ଥଳୀ ରହିଛି। ମଧ୍ୟପ୍ରଦେଶର ବିମ୍ବେଟିକ୍‌, ଆଦାମ୍‌ଗଡ଼, ସୁନ୍ଦରଗଡ଼ର ହେମଗିରି, କଟକ ଜିଲ୍ଲାର ପାଣ୍ଡବବଖରାରେ ପ୍ରଚୀନ ସଭ୍ୟତା ଆରମ୍ଭ ବେଳର ଏଭଳି କିଛି ଆବାସସ୍ଥଳୀ ରହିଛି। ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବସତି ଓ ସୃଷ୍ଟିର ବିକାଶ ଖ୍ରୀଷ୍ଟପୂର୍ବ ପଞ୍ଚମ ଓ ଷଷ୍ଠ ଶତାଦ୍ଦୀ ସମୟରୁ ରହିଛି। ଏହା ଓଡ଼ିଶା ଇତିହାସକୁ ଏକ ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ନିକଟରେ ବ୍ରହ୍ମପୁର ଉପକଣ୍ଠ ଲାଠି ଠାରେ ମଧ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ଯେଉଁଠି ଐତିହାସିକ ଯୁଗର ଏକ ସହର ଥିବା ପ୍ରମାଣ ମିଳିଛି। ଜଉଗଡ଼ ପୂର୍ବରୁ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାଦ୍ଦୀରେ ଗୁପ୍ତେଶ୍ବର ପାହାଡ଼ରେ ଲୋକେ ବସବାସ କରୁଥିବାର ପ୍ରମାଣ ମିଳିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଋଷିକୁଲ୍ୟା ଉପତ୍ୟକା ଅତ୍ୟନ୍ତ ସମୃଦ୍ଧ ଓ ଉନ୍ନତ ଥିଲା ବୋଲି ପ୍ରତ୍ନତତ୍ତ୍ବବିତ୍‌ ଶ୍ରୀ ପଟ୍ଟନାୟକ କହିଛନ୍ତି। ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଶିଳାଲିପି ‘ଜଉଗଡ଼’ରେ ରହିଥିବା ସେ କହିଛନ୍ତି। ଜଉଗଡ଼ରେ ‘ସମାପା ନଗର’ ଗଢ଼ି ଉଠିଲା। ଏହି ସହରର ସୁରକ୍ଷା ନିମନ୍ତେ ପାହାଡ଼ ଶିଖରକୁ ଶତ୍ରୁଙ୍କ ଗତିବିଧି ନିରୀକ୍ଷଣ ଲାଗି ବ୍ୟବହାର କରା ଯାଉଥିଲା। ଜଉଗଡ଼ ଅଞ୍ଚଳରୁ କିଛି କଳା, ଧୂସର ଓ ଲାଲ୍‌ ରଙ୍ଗର ମାଟି ପାତ୍ରର ଭଗ୍ନାବଶେଷ ମଧ୍ୟ ମିଳିଛି। ଏହି ମାଟିପାତ୍ର ଗୁଡ଼ିକ ଅଶୋକଙ୍କ ସମୟର ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର