ବୁର୍ଲା: ଦେଶକୁ ରକ୍ତଶିକୁଳି (ସିକିଲ୍‌ସେଲ୍‌) ରୋଗରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ‘ନ୍ୟାସନାଲ୍‌ ସିକିଲ୍‌ ସେଲ୍‌ ଆନିମିଆ ଏଲିମିନେସନ୍‌ ପ୍ରୋଗ୍ରାମ୍‌’ ହାତକୁ ନେଇଛନ୍ତି। ୧ ଜୁଲାଇ ୨୦୨୩ରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ୨୦୪୭ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଆୟତ୍ତାଧୀନ ରଖିବା ପାଇଁ ଦେଶର ରକ୍ତଶିକୁଳିପ୍ରବଣ ୧୭ଟି ରାଜ୍ୟରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରୁ ସ୍ବାସ୍ଥ୍ୟ ଉପକେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ସ୍କ୍ରିନିଂ କରି ରୋଗୀ ଚିହ୍ନଟ କରାଯାଉଛି। ୨୦୨୫-୨୬ ବର୍ଷ ମଧ୍ୟରେ ୭ କୋଟି ଲୋକଙ୍କ ପରୀକ୍ଷଣ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 

Advertisment

ତଥ୍ୟ ଅନୁସାରେ ଦେଶର ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଆସାମ, ବିହାର, ତେଲେଙ୍ଗାନା, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ପରୀକ୍ଷଣ ଆରମ୍ଭ ହୋଇଛି। ୧୭ଟି ରାଜ୍ୟର ୨୭୮ ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। ଏ ସଂକ୍ରାନ୍ତରେ ୧୫ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି। ରିପୋର୍ଟ ମୁତାବକ ‌ସମଗ୍ର ଅଞ୍ଚଳରୁ ୧,୭୨,୬୮୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଉଦ୍‌ବେଗର ବିଷୟ ହେଉଛି, ଏଥିରେ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। ଓଡ଼ିଶାରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ୮୪,୯୩୮। ଏହି ସର୍ବେକ୍ଷଣରେ ଓଡ଼ିଶାର ୨୦ ଜିଲ୍ଲା ରହିଛି। ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାର ୧୦ରୁ ଅଧିକ ଜିଲ୍ଲା ରହିଛି। ବୁର୍ଲା ଭିମ୍‌ସାରରେ ପଶ୍ଚିମ ଓଡ଼ିଶା ସହ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ରୋଗୀ ମଧ୍ୟ ଚିକିତ୍ସିତ ହେଉଛନ୍ତି।

ପଶ୍ଚିମ ଓଡ଼ିଶାରେ ରକ୍ତ ଶିକୁଳି ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁଁ ୧୯୮୭ ଏପ୍ରିଲ ପହିଲାରେ ଭିମ୍‌ସାର (ତତ୍କାଳୀନ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ)ରେ ଦେଶର ପ୍ରଥମ ରକ୍ତଶିକୁଳି ଗବେଷଣା କେନ୍ଦ୍ର ଆରମ୍ଭ ହୋଇଥିଲା। ଏହାର ପ୍ରତିଷ୍ଠାତା ଡା.ବିମଳ ଚନ୍ଦ୍ର କର ୧୯୯୪ରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ଏହି କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ୪୦ ବର୍ଷ ଧରି ଏଠାରେ କେବଳ ରୋଗୀ ଚିକିତ୍ସାରେ ଗବେଷଣା କେନ୍ଦ୍ର ସୀମିତ ରହିଛି। ଭିମ୍‌ସାରକୁ ‌ଅଧିକ ସଂଖ୍ୟକ ରୋଗୀ ଆସୁଥିବାବେଳେ ଏଠାରେ ସମସ୍ତ ସ୍ବାସ୍ଥ୍ୟ ଭିତ୍ତିଭୂମି ରହିଛି। ସୁତରାଂ ଗବେଷଣା କେନ୍ଦ୍ରକୁ ପୁନଃକାର୍ଯ୍ୟକ୍ଷମ କଲେ କେନ୍ଦ୍ର ସରକାରଙ୍କ ଅଭିଯାନ ଫଳବତୀ ହୋଇପାରିବ।