ଭୁବନେଶ୍ବରରେ ପ୍ରତିଷ୍ଠା ହେବ ରାଡାର, ଭୂସ୍ଖଳନ ଜୋନ୍‌ ସମ୍ପର୍କରେ ଅନୁଧ୍ୟାନ କରୁଛି ଆଇଆଇଟି ମୁମ୍ବାଇ

ଭୁବନେଶ୍ବର: ପ୍ରତି କ୍ଷେତ୍ରରେ ବିପର୍ଯ୍ୟୟ ପ୍ରତିରୋଧକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ନିକଟରେ ଘଟିଥିବା ବିପର୍ଯ୍ୟୟରୁ ଏହା ଜଣାପଡ଼ିଛି ଯେ ବିକାଶ ପାଇଁ ପ୍ରସ୍ତୁତ ହେଉଥିବା ଯୋଜନା ଓ ଅର୍ଥନୈତିକ କ୍ଷତିରେ ଉଲ୍ଲେଖନୀୟ ହ୍ରାସ ଆଣିବା ପାଇଁ ସବୁ କ୍ଷେତ୍ରରେ ସମନ୍ବୟର ଆବଶ୍ୟକତା ରହିଛି। ଆଗାମୀ ଦିନରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଉଦ୍ୟମକୁ ଏଭଳି ସଶକ୍ତ କରାଯିବ, ଯେପରି ବିପର୍ଯ୍ୟୟକୁ ସହଜରେ ସାମ୍ନା କରାଯାଇପାରିବ। ବିପର୍ଯ୍ୟୟ ପ୍ରତିରୋଧକ ଭିତ୍ତିଭୂମି ଓ ସେବା, ସମସ୍ତଙ୍କ ପାଇଁ ବିପର୍ଯ୍ୟୟ ନିରୋଧୀ ଘର ଓ ଜୀବିକା ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯିବ। ଏହି ସବୁ ବ୍ୟବସ୍ଥା କରି ଭବିଷ୍ୟତର ବିପର୍ଯ୍ୟୟଜନିତ ବିପଦର ମାତ୍ରାକୁ କମ୍‌ କରାଯାଇ ପାରିବ।

ବାତ୍ୟା ‘ଫନି’ ଦ୍ବାରା ୧୪ଟି ଜିଲ୍ଲାର ୧.୬୫ କୋଟି ଲୋକ ପ୍ରଭାବିତ ହୋଇଥିଲେ। କିନ୍ତୁ ସରକାରୀ ଅଧିକାରୀଙ୍କ ସମେତ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ବାରା ପୁନରୁଦ୍ଧାର, ରିଲିଫ୍‌ ଓ ଥଇଥାନ ବ୍ୟବସ୍ଥା ସୂଚାରୁ ରୂପେ ହୋଇପାରିଛି। ଓଡ୍ରାଫ୍‌, ଅଗ୍ନିଶମ ସେବା, ଏନ୍‌ଡିଆରଏଫ୍‌, ଓଡ଼ିଶା ପୁଲିସର ସହଯୋଗରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସେ କହିଥିଲେ। ସମ୍ବର୍ଦ୍ଧିତ ହେବା ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ ଯେ ଭୁବନେଶ୍ବରରେ ଏକ ରାଡାର ପ୍ରତିଷ୍ଠା କରାଯିବ। ଏବେ ଗୋପାଳପୁର ଓ ପାରାଦୀପରେ ଡପ୍‌ଲର୍‌ ରାଡାର କାର୍ଯ୍ୟକ୍ଷମ ହୋଇଛି। ସମ୍ବଲପୁର ଓ ବାଲେଶ୍ବରରେ ରାଡାର ନିର୍ମାଣ ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଛି। ତେବେ ଗତ କିଛି ବର୍ଷ ହେଲା ସହରାଞ୍ଚଳରେ ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା ପାଇଁ ଦେଶର ୫ଟି ସହରରେ ରାଡାର ନିର୍ମାଣ କରିବାକୁ ସ୍ଥିର ହୋଇଛି। ଏହି ତାଲିକାରେ ଭୁବନେଶ୍ବର ରହିଛି। ଏହି ରାଡାର ଦ୍ବାରା ଭୁବନେଶ୍ବରର କଟକ, ପୁରୀ, ଖୋର୍ଧା ଆଦି ସହର ଉପରେ ନଜର ରଖାଯିବ। ସହରରେ ହେଉଥିବା ପ୍ରବଳ ବର୍ଷା, ଘଡ଼ଘଡ଼ି, ବଜ୍ରପାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗରୁ ଅନୁମାନ କରାଯାଇପାରିବ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ସଚିବ ଅସିତ୍‌ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଓଡ଼ିଶା ପ୍ରସ୍ତୁତ ରହିଛି ବୋଲି କହିଥିଲେ। ସ୍ବତନ୍ତ୍ର ରିଲିଫ କମିସନର ତଥା ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା କହିଲେ, ବାତ୍ୟା ଫାଇଲିନ୍‌ରେ ପ୍ରଭାବିତ ଲୋକଙ୍କ ପାଇଁ ୧୭ ହଜାର ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାଠାରେ ସମୁଦ୍ର ଦ୍ବାରା କ୍ଷତିଗ୍ରସ୍ତ ବଗପାଟିଆରେ ଥଇଥାନ ଓ ପୁନର୍ବସତି ସ୍ଥଳରେ ୫୭୧ଟି ଗୃହ ନିର୍ମାଣ କରାଯାଇଛି। ୨୪୩ଟି ଆଶ୍ରୟ ସ୍ଥଳୀକୁ ସଂଯୋଗ କରୁଥିବା ୩୯୦ କିମି ରାସ୍ତା, ୫୮ କିମି ଦୈର୍ଘ୍ୟର ୧୨ଟି ଲୁଣାବନ୍ଧ ଓ ଆବଶ୍ୟକ ଉପକରଣ ବ୍ୟବସ୍ଥା ହୋଇଛି। ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ୨୦ଟି ଓଡ୍ରାଫ୍‌ ଟିମକୁ ପ୍ରସ୍ତୁତ ରଖାଯାଇଛି। ଉପକୂଳର ୧୨୨ଟି ସ୍ଥାନରେ ବିପର୍ଯ୍ୟୟ ପ୍ରାକ୍‌ ସୂଚନା ବିତରଣ ବ୍ୟବସ୍ଥା(ଇଡବ୍ଲୁଡିଏସ୍‌) କାର୍ଯ୍ୟକ୍ଷମ ହୋଇଛି। ଗତ କିଛି ବର୍ଷ ହେଲା ଭୂସ୍ଖଳନ ଏକ ପ୍ରାକୃତିକ ବିପର୍ଯ୍ୟୟ ପାଲଟିଛି। ତାହାର କିଭଳି ମୁକାବିଲା କରାଯିବ ସେଥିପାଇଁ ଆଇଆଇଟି ମୁମ୍ବାଇ ଦ୍ବାରା ସ‌ର୍ଭେ କରାଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ସାହସର ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିବା ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି‌ବାକୁ ଜିଦି ଧରିଲେ ମହିଳା ଉତ୍ସବ ଚାଲିଥିବା ବେଳେ ହଠାତ୍‌ ଜଣେ ମହିଳା ‌ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟର ଆଗଧାଡ଼ିକୁ ମାଡ଼ି ଆସିଥିଲେ। ପୁଲିସ ଅଧିକାରୀମାନେ ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ବରଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଅଡ଼ି ବସିଥିଲେ। କାରଣ ପଚାରିବାରୁ ସେ କିଛି ବି କହି ନ ଥିଲେ। ଏହି ସମୟରେ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ପ୍ରଦୀପ ଜେନା ବକ୍ତବ୍ୟ ରଖୁଥିଲେ। ମହିଳାଙ୍କ ପାଇଁ ଆଗ ଧାଡ଼ିରେ ହୋ-ହାଲ୍ଲା ହେବାରୁ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଶେଷରେ ୩ରୁ ୪ ଜଣ ମହିଳା ପୁଲିସ ଅଧିକାରୀ ସମ୍ପୃକ୍ତ ମହିଳାଙ୍କୁ ବାହାରକୁ ଟେକି ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥି‌ଲା।

ସମ୍ବନ୍ଧିତ ଖବର