ସମ୍ବଲପୁର : ଓଡିଶା ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସ୍କୃତିକ ସମାଜର ଉପସଭାପତି ଶିବନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଅରବିନ୍ଦ ମହାପାତ୍ର କହିଲେ, ରେଣ୍ଡୋ ମାଝୀଙ୍କ ଇଂରେଜ ଶାସନ ବିରୋଧରେ ସଂଗ୍ରାମ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଉଥିବା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ହୋଇଥିଲା। ସେତେବେଳେ ସାଧନର ବହୁ ଅଭାବ ସତ୍ତ୍ୱେ ଅଂଚଳର କନ୍ଧମାନଙ୍କୁ ସଂଗଠିତ କରି ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ତେବେ ତାଙ୍କ ଉପରେ ଯେଭଳି ଗବେଷଣା ହେବା କଥା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ।

Advertisment

ଅନ୍ୟତମ ବକ୍ତା ଗବେଷକ ଦୀପକ ପଣ୍ଡା କହିଲେ ଯେ ଓଡିଶା ଓ ନିକଟ ରାଜ୍ୟର ଅନେକ ସ୍ଥାନରେ ଜନଜାତି ଗୋଷ୍ଠୀ ଇଂରେଜମାନଙ୍କ ବିରୋଧରେ ମେଳିବାନ୍ଧି ସଂଗ୍ରାମ କରିଛନ୍ତି। ତେବେ ଉପଯୁକ୍ତ ପ୍ରମାଣ ଅଭାବରୁ ଇତିହାସ ସେ ଦିଗରେ ଅସ୍ପଷ୍ଟ ହୋଇ ରହିଯାଇଛି। ରେଣ୍ଡୋ ମାଝୀଙ୍କ ସଶସ୍ତ୍ର ସଂଗ୍ରାମ ଉପରେ ବି ଗବେଷଣା ଦିଗରେ ଅନୁରୂପ ସମସ୍ୟା ଦେଖିବାକୁ ମିଳେ। ଓଡ଼ିଶା ସାଂସ୍କୃତିକ ସମାଜର ସଂପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଦୀନବନ୍ଧୁ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।