ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଦେଶୀ ଧାନର ମହକ ଏକଦା ଦେଶ ବିଦେଶରେ ଛୁଟୁଥିଲା। ହେଲେ ସଂରକ୍ଷଣ ଓ ପ୍ରୋତ୍ସାହନ ଅଭାବରୁ ବର୍ତ୍ତମାନ ଏହି ପାରମ୍ପରିକ ପ୍ରଜାତିର ଦେଶୀଧାନ ବିଲୁପ୍ତ ପ୍ରାୟ। ଅଧିକ ଉତ୍ପାଦନ ତଥା ଲାଭ ପାଇଁ ଚାଷୀମାନେ ହାଇବ୍ରିଡ୍‌ ଧାନ ଚାଷମୁହାଁ ହୋଇ ସାରିଲେଣି। ଏପରିକି ଭବାନୀପାଟଣା ଧାନ ଗବେଷଣା କେନ୍ଦ୍ରରେ ମଧ୍ୟ ପାରମ୍ପରିକ ଧାନ ଉପରେ ଗବେଷଣା ନ ହୋଇ କେବଳ ହାଇବ୍ରିଡ୍‌ ଧାନ ଉପରେ ଗବେଷଣା ଚାଲିଛି। ୨୦୦୪ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ଡିଏଫ୍‌ଆଇଡି ସହାୟତାରେ ଦେଶୀଧାନ ଚିହ୍ନଟ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ କୃଷି ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍‌ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତ କରି କ୍ଷେତ୍ର ଅନୁଧ୍ୟାନ କରିବା ସହ ଚାଷୀଙ୍କ ତଥ୍ୟ ଉପରେ ଆଧାରିତ ଏକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେଇଥି‌ଲା।

Advertisment

ଅନୁଧ୍ୟାନ ବେଳେ ଆମ୍ବଗୁଣ୍ଡି, ଅମ୍ବାଝୁଟା, ବଡ଼ଚେରେଗୁଡ଼ି, ବଢ଼ିଆହୁସା, ଭାହାଲଗୋରି, ବାଲିହୁନା, ବେଲାଜୁନା, ଭଟାଖୁଲି, ବୀରମଣି, ବିରିଫୁଲା, ଡେଙ୍ଗାବସେଇ, ଧାଙ୍ଗିରିଖୁସା, ଗଏନ୍ଧି, ଗଜପତି, ଗଜେ, ଗେଲେଇକଣ୍ଠି, ଜେନଥା, ଗୋଛା ମେଢ଼ା, ହଳଦୀଗୁଣ୍ଡି, ହଂସପୁରୀ, ହିରନ, ହୁନର, ଜୟଗୁଡି, ଜଳକେଲି, କଲାସୁ, କନ୍ୟାଶାରୀ, କରାଜି, କରଞ୍ଜ, କିରମାନି, ଲେକ୍ରିସୁଣ୍ଡା, ମହୁଲକଞ୍ଚି, ମୁରଲୀଜାମ, ନେନାମ, ନୃପତିଭୋଗ, ପାଠି, ପିପଲବାସ, ପଟିରେଗୁଡ଼ି, ରୁପାବାଲିପାଟି, ସାଲେଦାନ୍ତ, ଶୁଆଛାତି, ସୁଗନ୍ଧି, ଠାକୁରଭୋଗ, ଉତାଖୁଲିଖୁଲି ସମେତ ୪୪ ପ୍ରଜାତିର ଦେଶୀ କିସମ ଧାନ ଏହି ୩ଟି ଜିଲ୍ଲାରୁ ବିଲୁପ୍ତ ହୋଇ ସାରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। 

ସେହିଭଳି ଏହି ରିପୋର୍ଟରେ ୧୨୦ ପ୍ରଜାତିର ଦେଶୀଧାନ ଥିବା ଦର୍ଶାଯାଇଛି। ବର୍ତ୍ତମାନ ଏଥିମଧ୍ୟରୁ ପ୍ରାୟ ୪୦ ପ୍ରଜାତିର ଧାନ ଥିବା ବେଳେ ଅନ୍ୟ ପ୍ରଜାତିର ଧାନ ମଧ୍ୟ ବିଲୁପ୍ତ ହେବାରେ ଲାଗିଛି। ଫିଲିଫାଇନ୍‌ସର ରାଜଧାନୀ ମାନିଲାଠାରେ ଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ଓ କଟକର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଜର୍ମ ପ୍ଲାଜମ୍‌ ରଖାଯାଇ ଜିନ୍‌ବ୍ୟାଙ୍କ ଦ୍ୱାରା ଏହି ବିଲୁପ୍ତ ଧାନ ଉପରେ ଗବେଷଣା  ହେଉଛି। କଳାହାଣ୍ଡିର ଭବାନୀପାଟଣା ସମେତ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଗବେଷଣା ପାଇଁ ଧାନ ଗବେଷଣା କେନ୍ଦ୍ର ରହିଛି। କିନ୍ତୁ ଏଠାରେ ନୂତନ ପ୍ରଜାତିର ହାଇବ୍ରିଡ୍‌ ଧାନ ଉପରେ ଗବେଷଣା ଚାଲୁଛି। ବିଲୁପ୍ତ ପ୍ରଜାତିର ଧାନସବୁର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନାରେ ଅର୍ଥ ବରାଦ କରାଯାଉଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଉପରେ କାହାର ଧ୍ୟାନ ନାହିଁ କି ଚାଷୀ ଏଥିରୁ କୌଣସି ପ୍ରକାର ସୁଫଳ ପାଉନାହାନ୍ତି। ରାଜ୍ୟ ସରକାର ଦେଶୀଧାନ ସଂରକ୍ଷଣ ଓ ପ୍ରୋତ୍ସାହନ ଉପରେ ଅଧିକରୁ ଅଧିକ ଗୁରୁତ୍ବ ଦେବାକୁ ଚାଷୀ ମହଲରେ ଦାବି ହୋଇଛି।