ଜୁନ୍‌ ୯ରୁ ଆରମ୍ଭ ହେବ ମହାନଦୀ ଉପରେ ଗବେଷଣା : ୧୮ଜଣିଆ ବିଶେଷଜ୍ଞ ଦଳ ଗବେଷଣାରେ ନିୟୋଜିତ

ବୁର୍ଲା : ଓଡ଼ିଶାର ଲାଇଫ୍‍ଲାଇନ କୁହାଯାଉଥିବା ମହାନଦୀ ଉପରେ ଗବେଷଣା କରିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଗତ ମେ ୩ ତାରିଖ ଅନୁଷ୍ଠିତ ସିଣ୍ଡିକେଟ୍‍ରେ ରିଭର୍‍ ମହାନଦୀ ରିସର୍ଚ ପ୍ରଜେକ୍ଟ ରିଜୋଲ୍ୟୁସନ୍‍ ପାସ ହୋଇଥିଲା। ଆସନ୍ତା ଜୁନ ୯ତାରିଖରୁ ଏହି ଇଣ୍ଟର-ଡିସପ୍ଲିନାରି ଗବେଷଣା ପ୍ରୋଜେକ୍ଟ ଉପରେ କାମ ଆରମ୍ଭ ହେବ ଏବଂ ଗୋଟେ ବର୍ଷ ଅର୍ଥାତ ମେ ୨୦୧୯ ପର୍ଯ୍ୟନ୍ତ ନିରନ୍ତର ଭାବେ ଗବେଷଣା ଚାଲିିବ। ଏଥିପାଇଁ ଏକ ୧୮ଜଣିଆ ବିଶେଷଜ୍ଞ ଗବେଷକ ଦଳ ପ୍ରସ୍ତୁତ କରାଯାଇଛି। ଆଜି ବିଶ୍ୱବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କୁଳପତି ପ୍ରଫେସର ଦୀପକ ବେହେରା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ସ୍ପୋନସର୍ଡ ରିସର୍ଚ ଏଣ୍ଡ୍‍ ଇଣ୍ଡଷ୍ଟ୍ରିଆଲ୍‍ କନସଲ୍‍ଟାନସି(ଏସ୍‍ଆରଆଇସି) ମହାନଦୀ ଉପରେ ଗବେଷଣାର ପ୍ରସ୍ତାବ ରଖିଥିଲା। ନେସନାଲ୍‍ ଆକ୍ରିଡିଏସନ୍‍ ଆସେସ୍‍ମେଣ୍ଟ ଯାଂଚ କମିଟି ପକ୍ଷରୁ ମଧ୍ୟ ଅଞ୍ଚଳିକ ପ୍ରସଙ୍ଗ ଆଧାରିତ ଏକ ଇଣ୍ଟର ଡିସପ୍ଲିନାରି ଏବଂ ବିଶ୍ୱବିଦ୍ୟାଳୟ ନିଜସ୍ୱ ପ୍ରଦତ୍ତ ପ୍ରଜେକ୍ଟ କରାଯିବାକୁ ପ୍ରସ୍ତାବ ରହିଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପାଇଁ ବିଶ୍ୱବିଦ୍ୟାଳୟ ନିଜସ୍ୱ ଅନୁଦାନରେ ୧୦ଲକ୍ଷର ପ୍ରାରମ୍ଭିକ ବଜେଟ ରଖିଛି ବୋଲି ସେ ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବେହେରା ମହାନଦୀ ରିସର୍ଚ ପ୍ରଜେକ୍ଟର ଅଧ୍ୟକ୍ଷ ରହିଥିବା ବେଳେ ସ୍ନାତକୋତ୍ତର ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଗବେଷକ ପ୍ରଫେସର ସଂଜିତ ସାହୁ ପ୍ରୋଜେକ୍ଟର ମୁଖ୍ୟ ଗବେଷକ ଦାୟିତ୍ଵ ନେଇଛନ୍ତି। ଜେଏନ୍‌ୟୁୁର ସୋସିଓଲୋଜି ବିଭାଗର ପୂର୍ବ ପ୍ରାଧ୍ୟପକ ବାଲଗୋବିନ୍ଦ ବାବୁ,ରାସାୟନ ବିଜ୍ଞାନ ବିଭାଗର ପୂର୍ବ ପ୍ରଫେସର ବିଜୟ ମିଶ୍ର,ଜୀବ ବିଜ୍ଞାନ ବିଭାଗର ପୂର୍ବ ଅଧ୍ୟାପକ ଆର୍ତବନ୍ଧୁ ମିଶ୍ର ଏବଂ ଓ୍ଵାଟର ଇନିଟିଏଟିବ୍‍ ଓଡିଶାର ଆବହକ ରଂଜନ କିଶୋର ପଣ୍ଡା ଗବେଷକ ଦଳର ଉପଦେଷ୍ଟା ଦାୟିତ୍ଵରେ ଥିବା ସୂଚନା ଦିଆଯାଇଛି।

ବିଶ୍ୱବିଦ୍ୟାଳୟ ତାହାର ସାମାଜିକ ଦାୟୀତ୍ଵ ନିର୍ବାହ ପୂର୍ବକ ଏହି ଗବେଷଣା ପ୍ରକଳ୍ପ ହାତକୁ ନେଇଥିବା ବେଳେ ମହାନଦୀ ସହ ଜଡ଼ିତ ୧୧ଟି ପ୍ରମୁଖ ବିଷୟ ଉପରେ ଏହି ଗବେଷଣା ଅଧାର ରହିବ ବୋଲି କୁଳପତି ପ୍ରଫେସର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର