ଭୁବନେଶ୍ୱର: ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଯାଇଥିଲା, ସେତେବେଳେ ଏ ମାଟିର ବୀର ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ତାହା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ତେଣୁ ଜୟୀ ରାଜଗୁରୁଙ୍କ ଜୀବନୀ ଓ ବୀରତ୍ୱ ଉପରେ ଅଧିକ ଗବେଷଣା ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ସହିଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 

Advertisment

କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫୁଲ୍ଲ କୁମାର ରଥ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଜଣେ ବିଶିଷ୍ଟ ଦେଶଭକ୍ତ, ରାଜଭକ୍ତ ଓ ଜାତିଭକ୍ତ ବୋଲି କହିଥିଲେ। ବିଶିଷ୍ଟ ଶିକ୍ଷାବିତ୍‌ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ, ଇଂରେଜମାନଙ୍କୁ ଏ ମାଟିରୁ ତଡ଼ିବା ପାଇଁ ଯେଉଁ ଜାତୀୟତାବାଦ ଜନ୍ମଲାଭ କରିଥିଲା ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ।

ଏହି ଅବସରରେ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ଜୟୀ ରାଜଗୁରୁଙ୍କ ଜୀବନୀ’ ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଉଦ୍‌ଘାଟନ କରିଥିଲେ। ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ପ୍ରଶାସକ ଦିଗମ୍ବର ମହାନ୍ତି, ଐତିହାସିକ ବିନୋଦିନୀ ଦାଶ, ଶିକ୍ଷାବିତ୍‌ ପ୍ରଫେସର ପ୍ରସନ୍ନ କୁମାର ଜେନା ପ୍ରମୁଖ ଯୋଗଦେଇ ଜୟୀ ରାଜଗୁରୁଙ୍କ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇଥିବାବେଳେ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଦେଇଥିଲେ। ସକାଳେ ବିଭାଗ ପକ୍ଷରୁ ଏଜି ଛକସ୍ଥିତ ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ଜିତେନ୍ଦ୍ରୀୟ ଜେନା ଓ ପ୍ରମୋଦିନୀ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।