ବଲାଙ୍ଗୀର : ବିଶିଷ୍ଟ କୋଶଲି ଗବେଷକ, କବି ତଥା କୋଶଲି ଆନ୍ଦୋଳନର ଅନ୍ୟତମ ପୁରୋଧା ରାମଭକ୍ତ ଫରିକାରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ରବିବାର ଅପରାହ୍ଣରେ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ। ଜଣେ ଭାଷା ପ୍ରେମୀ ଭାବେ ସାରା ପଶ୍ଚିମ ଓଡ଼ିଶାରେ ତାଙ୍କ ସୁନାମ ରହିଛି। ପଶ୍ଚିମ ଓଡ଼ିଶାର ଶତାଧିକ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କ କବିତା ପୁସ୍ତକ ‘ବେନ୍ଦେର ଫୁଲ୍’, ‘ପେମେଇ ଋତୁ’ ବେଶ୍ ପାଠକୀୟ ଆଦୃତି ଲାଭ କରିଥିଲା। ସ୍ଥାନୀୟ ଆର୍ଟିଓ ଛକ ନିକଟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ସ୍ବର୍ଗତ ଫରିକାର ଛାତ୍ର ଜୀବନରୁ କୋଶଲି ଭାଷା, ସାହିତ୍ୟ ସଂସ୍କୃତି ଓ ଜନଜୀବନ ପ୍ରତି ସମର୍ପିତ ଥିଲେ। ସେ ବିଦ୍ୟୁତ୍ ବିଭାଗରେ ଚାକିରି କରୁଥିଲେ। ଚାକିରର ପ୍ରଥମ ଅବସ୍ଥାରେ ସେ ନୂଆପଡ଼ା ଜିଲ୍ଲା କୋମନାଠାରେ ରହୁଥିଲେ। ସେତେବେଳେ ପଣ୍ଡିତ ପ୍ରାୟଗଦତ୍ତ ଯୋଷୀଙ୍କ ସହିତ ତାଙ୍କର ସାକ୍ଷାତରୁ ସମ୍ପର୍କ ଘନିଷ୍ଠ ହୋଇଥିଲା। ସ୍ବର୍ଗତ ଯୋଷୀ ତାଙ୍କ ସହ ମିଶି ସେ କୋଶଲି ଭାଷା, ସାହିତ୍ୟ ସଂସ୍କୃତିର ଉନ୍ନତି ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ନିଜକୁ ସମର୍ପିତ କରିଦେଇଥିଲେ। ମାସିକ ‘ହକୁଆ’ ନାମକ ଏକ କୋଶଲି ପତ୍ରିକାରେ ସେ ଥିଲେ ପ୍ରକାଶକ। କୋଶଲି ଏକାଡେମୀର ସଂପାଦକ ଏବଂ କୋଶଲି ସାଂସ୍କୃତିକ ସଂଘର ସଭାପତି ଥିଲେ। ତାଙ୍କର ଦେହାନ୍ତ କୋଶଲି ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।