ଭୁବନେଶ୍ୱର: ସିଏସ୍‌ଆଇଆର୍‌-ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଜେନୋମିକ୍ସ ଆଣ୍ଡ ଇଣ୍ଟେଗ୍ରେଟିଭ୍‌ ବାଇଲୋଜି (ଆଇଜିଆଇବି), ନୂଆଦିଲ୍ଲୀ ଏବଂ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସ ଏବଂ ସମ୍‌ ହସ୍ପିଟାଲର ଜେନୋମିକ୍‌ ଅନୁସନ୍ଧାନକାରୀଙ୍କ ଏକ ଦଳ ପ୍ରଥମ ଥର ପାଇଁ କୋଭିଡ -୧୯ର ୭୩ଟି ଭିନ୍ନ ଧରଣର ଭୂତାଣୁ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି। ଜେନମ୍ ସିକ୍ବେନ୍ସିଂ ମାଧ୍ୟମରେ ଏହି ସଫଳତା ମିଳିଛି।

Advertisment

ଅନୁସନ୍ଧାନକାରୀମାନେ, ୧୫୩୬ ନମୁନାର ସିକ୍ବେନ୍ସିଂ କରିଛନ୍ତି। ଏହା ମଧ୍ୟରେ ୭୫୨ କ୍ଲିନିକାଲ୍‌ ନମୁନା ରହିଛି। ଏହି ସିକ୍ବେନ୍ସିଂ ଜରିଆରେ ଅନୁସନ୍ଧାନକାରୀମାନେ ଦୁଇଟି ନୂତନ ଶ୍ରେଣୀର ଭୂତାଣୁ ଆବିଷ୍କାର କରିଛନ୍ତି, ଯାହା ପୂର୍ବରୁ ଭାରତରେ ଚିହ୍ନଟ ହୋଇପାରି ନଥିଲା। ସୂଚନା ଅନୁସାରେ, B.1.112 ଏବଂ B.1.99 ଶ୍ରେଣୀର କରୋନା ଭୂତାଣୁ ସକ୍ରିୟ ଥିବା ସେମାନେ ସିକ୍ବେନ୍ସିଂ ସମୟରେ ଭାରତରେ ପ୍ରଥମ ଥର ଲାଗି ଆବିଷ୍କାର କରିଛନ୍ତି।

ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲର ମୁଖ୍ୟ ଅନୁସନ୍ଧାନକାରୀ ତଥା ନିର୍ଦ୍ଦେଶକ (ଅନୁସନ୍ଧାନ) ଡାକ୍ତର ଜୟଶଙ୍କର ଦାସ କହିଛନ୍ତି, କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର) ଦ୍ୱାରା ସମର୍ଥିତ ଅନୁସନ୍ଧାନକାରୀ ଦଳ ବିଶ୍ୱରେ ପ୍ରଥମ ଥର ପାଇଁ ସବୁଠାରୁ ଉନ୍ନତ କୋଭିଡସେକ୍ୟୁ ଟେକ୍ନୋଲୋଜିକୁ ବ୍ୟବହାର କରିଛନ୍ତି।

ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲର ଅନୁସନ୍ଧାନକାରୀମାନେ ୫୦୦ ଭାଇରାଲ ଜେନୋମର ସିକ୍ବେନ୍ସିଂ କରି  ମୃଦୁ, ମଧ୍ୟମ ଲକ୍ଷଣ ଏବଂ ଗୁରୁତର ଲକ୍ଷଣ ସଂକ୍ରମଣ ସୃଷ୍ଟି କରୁଥିବା କରୋନାଭାଇରସର  ସଂକ୍ରମଣ କ୍ଷମତା ଉପରେ ବିଶ୍ଳେଷଣ ମଧ୍ୟ କରୁଛନ୍ତି ବୋଲି ଡାକ୍ତର ଜୟଶଙ୍କର ଦାସ କହିଛନ୍ତି।