ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷଣ କେବେ?

୧୨ଟି ବିଶ୍ବବିଦ୍ୟାଳୟରେ ଲାଗୁ ହୋଇସାରିଲାଣି
ବାରମ୍ବାର ଚିଠି ଲେଖିବା ପରେ ବି ସୁଫଳ ମିଳୁନି
ଉପରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ଛାତ୍ରନେତା

ଭୁବନେଶ୍ବର : କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ନାମଲେଖାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଅଣଦେଖା କରାଯାଉଛି। ମୋଟ ସିଟ୍‌ର ୨୫% ଓଡ଼ିଆ ପିଲାଙ୍କ ପାଇଁ ସଂରକ୍ଷଣ କରିବାକୁ ବାରମ୍ବାର ଦାବି ହେଉଛି। ଚିଠି ଲେଖାଯାଉଛି। ତଥାପି କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ଦେଶର ୧୯ଟି ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୨ଟିରେ ସ୍ଥାନୀୟ ଅଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। କେଉଁ ରାଜ୍ୟରେ ୫୦ ପ୍ରତିଶତ ସଂରକ୍ଷଣ ରଖାଯାଇଛି ତ ଆଉ କେଉଁଠି ୨୦ ପ୍ରତିଶତ ରହିଛି। ତେବେ ଓଡ଼ିଶାର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ସମେତ ବାକି ୭ଟିରେ ଏ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇ ନାହିଁ। ଏ ନେଇ ରାଜ୍ୟ ସରକାର ଏକାଧିକ ଥର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଲୋକସଭାରେ ବି ସାଂସଦଙ୍କ ଦ୍ବାରା ଦାବି ଉଠିଛି। ଏପରିକି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଗତ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଥିଲେ। ଏହାପରେ ବି ସିଟ୍‌ ସଂରକ୍ଷଣ କ୍ଷେତ୍ରରେ ପଦକ୍ଷେପ ନିଆଯାଇ ନ ଥିବାରୁ ଛାତ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ, ନାଗପୁର, ଔରଙ୍ଗାବାଦ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁରେ ଥିବା ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସିଟ୍‌ ସଂରକ୍ଷିତ ରହିଛି। ସେହିପରି ଲକ୍ଷ୍ନୌ, ଭୋପାଳ, ଆସାମ, କେରଳ, ପାଟଣା, ରାୟପୁରଠାରେ ଥିବା ଆଇନ ବିଶ୍ବବିଦ୍ୟାଳୟରେ ବି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ତେବେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। ୨୦୦୯ ମସିହାରେ ଆଇନ ବିଶ୍ବବିଦ୍ୟାଳୟ ନିର୍ମାଣ ସମୟରେ ଓଡ଼ିଶା ସରକାର ୨୫ ଏକର ଜମି ଯୋଗାଇ ଦେଇଥିଲେ। ଭିତ୍ତିଭୂମି ବିକାଶ ଲାଗି ବି ପରବର୍ତୀ ସମୟରେ ୨୦୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଏହାପରେ ବି ଓଡ଼ିଆ ପିଲାଙ୍କୁ ଅଣଦେଖା କରାଯାଉଛି। ପ୍ରତିବର୍ଷ କେବଳ ୨୦ ପ୍ରତିଶତ ଓଡ଼ିଆ ଛାତ୍ରଛାତ୍ରୀ ନିଜ ଦକ୍ଷତା ବଳରେ ପଢ଼ିବାକୁ ସିଟ୍‌ ପାଉଥିବା ସୂଚନା ମିଳିଛି।

ସବୁଠାରୁ ବଡ଼ କଥା ହେଲା ବିଶ୍ବବିଦ୍ୟାଳୟରେ ଓଡ଼ିଶାର ପିଲାଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷଣ ରଖିବାକୁ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ ମଧ୍ୟ ଏ ଦିଗରେ କ‌ୌଣସି ପଦକ୍ଷେପ ନିଆଯାଇ ନାହିଁ। ଗତ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର କୁଳପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ସ୍ନାତକ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଦ୍ବାଦଶ ତଥା ଯୁକ୍ତ୨ରେ ୬୦%ରୁ ଅଧିକ ନମ୍ବର ରଖିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଲାଗି ୨୫% ସଂରକ୍ଷଣ ଦେବାକୁ ୨୦୧୮ ଏପ୍ରିଲ ୨୪ରେ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖାଯାଇଥିଲା। ତେବେ ବର୍ଷେ ବିତି ଯାଇଥିଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିନି।

ଏ ଦିଗରେ ପଦକ୍ଷେପ ନେବା ସହ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଇନ ବିଶ୍ବବିଦ୍ୟାଳୟରେ ସୁଯୋଗ ଦେବା ଲାଗି ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ଦୃଷ୍ଟି ବି ଆକର୍ଷଣ କରିଛନ୍ତି। ଉପରାଷ୍ଟ୍ରପତିଙ୍କ ଗତ ଓଡ଼ିଶା ଗସ୍ତ ସମୟରେ ଶ୍ରୀ ପୃଷ୍ଟି ରାଜଭବନରେ ସାକ୍ଷାତ କରି ଏ ନେଇ ଏକ ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର