ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ

ପ୍ରଫେସର ଓ ଆସୋସିଏଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ ବିବାଦ

କଟକ : ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସଂରକ୍ଷଣ ନିୟମ ଉଲ୍ଳଂଘନ ଅଭିଯୋଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୦ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ୍ ୨୧ର ବିଜ୍ଞପ୍ତି ଆଧାରରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ଉପରେ ଅଙ୍କୁଶ ଜାରି କରାଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ଜୁନ୍ ୨୧ର ବିଜ୍ଞପ୍ତିକୁ ଆଧାର କରି ପ୍ରଫେସର ଓ ଆସୋସିଏଟ ପ୍ର‌େଫସର ପଦରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବାବେଳେ ଏହାକୁ ଚାଲେଞ୍ଜ୍‌ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଜୁଲାଇ ୭‌ରେ ମାମଲାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ବିଜ୍ଞପ୍ତି ଆଧାରରେ ଚୟନ ପ୍ରକ୍ରିୟା ଜାରି ରହିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରଦାନ କରାଯାଇ ପାରିବ ନାହିଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ , ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆ‌େସାସିଏଟ ପ୍ରଫେସର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଏହି ବିଜ୍ଞପ୍ତି ଉପ‌େର ଅଙ୍କୁଶ ଜାରି କରାଯିବା ଆବଶ୍ୟକ।

ମାମଲାର ବିବରଣୀରୁ ପ୍ରକାଶ ଯେ, ବିଶ୍ବବିଦ୍ୟାଳୟ ଗୁଡିକରେ ବିଭିନ୍ନ ପଦବି ପୂରଣ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୨୦୧୯, ଜୁନ ୨୧ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଫେସର ଓ ଆସୋସିଏସଟ ପ୍ରଫେସର ପଦବି ପୂରଣ ବେଳେ ଓଆରଭି ଆକ୍ଟ ଲାଗୁ ହେବ ନାହିଁ ଓ କୌଣସି ପ୍ରକାର ସଂରକ୍ଷିଣ ବ୍ୟବସ୍ଥା ରଖାଯିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ପ୍ରଫେସର ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଥିଲା।

ଏହି ବିଜ୍ଞପ୍ତି ଆଧାରରେ ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ସହିତ ରଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗରେ ପ୍ରଫେସର, ଆସୋସିଏସଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବି ପୂରଣ ପାଇଁ ୨୦୧୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ପଦବି କ୍ଷେତ୍ରରେ କୌଣସି ପଦବି ସଂରକ୍ଷିତ ରଖା ଯାଇ ନଥିଲା। ଏହା ପରେ ବିଜ୍ଞପ୍ତିକୁ ଚାଲେଞ୍ଜ କରି ହାଇକୋର୍ଟରେ ଡକ୍ଟର ବୈରାଗୀ ଚରଣ ମଲ୍ଲିକ, ଧନଞ୍ଜୟ ସୋରେନ୍ ଓ ଡକ୍ଟର ଖଗେନ୍ଦ୍ର ସେଠୀ ମାମଲା ରୁଜୁ କରିଥିଲେ। ଚାକିରି କ୍ଷେତ୍ରରେ ସଂରକ୍ଷଣ ପ୍ରସଂଗରେ ରାଜ୍ୟ ଏସ୍‌ଟି ଆଣ୍ଡ ଏସ୍‌ସି ଉନ୍ନୟନ ବିଭାଗ ନିଷ୍ପତ୍ତି ନେଇପାରିବ। ଅନ୍ୟ କୌଣସି ବିଭାଗର ଏହି ପ୍ରସଂଗରେ କ୍ଷମତା ନାହିଁ ବୋଲି ମାମଲାରେ ଦର୍ଶାଯାଇଛି। ଏପରି ବିଜ୍ଞପ୍ତି ଓଆରଭି ଆକ୍ଟ ଓ ୟୁଜିସି ନିୟମାବଳୀର ମଧ୍ୟ ଉଲ୍ଲଂଘନ କରୁଛି। ଏହି ଦୁଇ ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏପରି ପରିସ୍ଥିତିରେ ଉଚ୍ଚଶିକ୍ଷା ବିଭାଗର ଏ ସଂପର୍କିତ ବିଜ୍ଞପ୍ତି ସହିତ ଏହା ଆଧାରରେ ପ୍ରକାଶିତ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ମାମଲାରେ ଦର୍ଶାଯାଇଛି। ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ, ଏସଟି ଆଣ୍ଡ୍ ଏସସି ଉନ୍ନୟନ ବିଭାଗ, କେନ୍ଦ୍ର ମାନବ ସମ୍ବଳ ବିଭାଗ, ରେଭେନ୍ସା ଓ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଜୟନ୍ତ କୁମାର ରଥ ଓ ଏସ୍.ଏସ୍. ଦାସ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶାଶ୍ବତ ଦାସ, ବିପ୍ଳବ ମହାନ୍ତି, ତରୁଣକାନ୍ତୀ ପଟ୍ଟନାୟକ ଓ ଭବାନୀ ଶଙ୍କର ରାୟଗୁରୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର