ପଛୁଆ ବର୍ଗଙ୍କୁ ୨୭% ପାଖାପାଖି ସଂରକ୍ଷଣ
୧୪% ଭିତରେ ଏସ୍ସି ଓ ଏସ୍ଟିଙ୍କ ସଂରକ୍ଷଣ
ସବୁଠି ୫୦% ମହିଳାଙ୍କୁ ସୁଯୋଗ
ଭୁବନେଶ୍ୱର : ଆସନ୍ତା ପୌର ନିର୍ବାଚନ ପାଇଁ ରାଜ୍ୟର ତିନି ମହାନଗର ନିଗମ କର୍ତ୍ତୃପକ୍ଷ ସେମାନଙ୍କର ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ତାଲିକା ନଗର ଉନ୍ନୟନ ବିଭାଗକୁ ଦେଇଛନ୍ତି। ଏଥିରେ ଭୁବନେଶ୍ବର ମହାନଗର ନିଗମ ଏବଂ କଟକ ମହାନଗର ନିଗମରେ ୱାର୍ଡ ସଂଖ୍ୟା ଗତ ନିର୍ବାଚନ ତୁଳନାରେ ବଢ଼ି ନଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୩ଟି ୱାର୍ଡ ବଢ଼ିଛି। ହେଲେ କୌଣସି ମହାନଗର ନିଗମରେ ମୋଟ୍ ସଂରକ୍ଷଣ ତାଲିକା ୫୦% ଛୁଇଁନି। କିନ୍ତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାୟ ୧୨% ସଂରକ୍ଷଣ ଦିଆଯାଇଥିବା ବେଳେ ମହାନଗର ନିର୍ବାଚନରେ ଓବିସି ବର୍ଗଙ୍କୁ ୨୭% ପାଖାପାଖି ସଂରକ୍ଷଣ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ପୌର ନିର୍ବାଚନରେ ପଛୁଆ ବର୍ଗ ଭୋଟରଙ୍କୁ ହାତେଇବାକୁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଥିବା କୁହାଯାଇଛି।
ତିନି ମହାନଗର ନିଗମରେ ଏସ୍ସି ଓ ଏସ୍ଟି ବର୍ଗଙ୍କ ପାଇଁ ବି ଅଧିକ ସଂରକ୍ଷଣ ବ୍ୟବସ୍ଥା ରଖାଯାଇନି। କିନ୍ତୁ ପଛୁଆ ବର୍ଗଙ୍କୁ ପ୍ରାୟ ୨୭% ସଂରକ୍ଷଣ ଦିଆଯାଇଥିବା ବିଭିନ୍ନ ମହାନଗର ନିଗମ ପକ୍ଷରୁ ନଗର ଉନ୍ନୟନ ବିଭାଗରେ ଦାଖଲ କରାଯାଇଥିବା ତାଲିକାରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ତିନି ମହାନଗର ନିଗମ ମଧ୍ୟରୁ ବିଏମ୍ସିରେ ସର୍ବାଧିକ ୪୦.୨୯% ସଂରକ୍ଷଣ ରଖାଯାଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୩୯.୫୨% ଏବଂ ସିଏମ୍ସିରେ ୩୮.୯୫% ସଂରକ୍ଷଣ ରହିଛି। ହେଲେ ମୋଟ୍ ଆସନର ୫୦% ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
ଏଥର ବିଏମ୍ସିରେ ବହୁ ନୂଆ ଅଞ୍ଚଳ ମିଶିଥିଲେ ହେଁ ୱାର୍ଡ ସଂଖ୍ୟା ଗତଥର ଭଳି ୬୭ରେ ସୀମିତ ଅଛି। ଏଥିରେ ୧୮ଟି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ଏସ୍ସିଙ୍କ ପାଇଁ ୬ଟି ଏବଂ ଏସ୍ଟିଙ୍କ ପାଇଁ ୩ଟି ଆସନ ସଂରକ୍ଷଣ ରହିଛି। ପଛୁଆ ବର୍ଗଙ୍କ ପାଇଁ ୨୬.୮୬% ଏବଂ ଏସ୍ସି ଓ ଏସ୍ଟିଙ୍କ ପାଇଁ ୧୩.୪୩% ସିଟ୍ ସଂରକ୍ଷିତ ରହିଛି। ବାକି ୪୦ଟି ଅଣସଂରକ୍ଷିତ ଆସନରୁ ୨୦ଟି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି।
ସିଏମ୍ସିରେ ବି ବହୁ ନୂଆ ଅଞ୍ଚଳ ସାମିଲ୍ ହୋଇଥିଲେ ହେଁ ୱାର୍ଡ ସଂଖ୍ୟା ବଢ଼ିନି। ମୋଟ୍ ୫୯ଟି ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ୧୫ଟି ୱାର୍ଡ ସଂରକ୍ଷିତ ରହିଛି। ଯାହା ମୋଟ୍ ଆସନର ୨୫.୪୨%। ପଛୁଆ ବର୍ଗରେ ୮ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି। ଏସ୍ଟିଙ୍କ ପାଇଁ ଗୋଟିଏ ଆସନ ଥିବାବେଳେ ଏହା ମହିଳାଙ୍କ ସଂରକ୍ଷିତ ରହିଛି। ୭ଟି ଏସ୍ସି ସିଟ୍ରୁ ୪ଟି ମହିଳାଙ୍କ ପାଇଁ ରହିଛି। ଏସ୍ସି ଓ ଏସ୍ଟିଙ୍କ ପାଇଁ ୧୩.୫୩% ସିଟ୍ ସଂରକ୍ଷିତ ରଖାଯାଇଛି। ବାକି ୩୬ଟି ଅଣସଂରକ୍ଷିତ ଆସନରୁ ୧୭ଟି ମହିଳାଙ୍କ ପାଇଁ ୧୭ଟି ଆସନ ରହିଛି।
ବ୍ରହ୍ମପୁର ମହାନଗର ନିଗମରେ ଏଥର ନୂଆ ଅଞ୍ଚଳ ମିଶିବା ସହ ୱାର୍ଡ ସଂଖ୍ୟା ବି ବଢ଼ିଛି। ଏଥର ୩ଟି ୱାର୍ଡ ବଢ଼ି ମୋଟ୍ ୱାର୍ଡ ସଂଖ୍ୟା ୪୩ ହୋଇଛି। ପଛୁଆଙ୍କ ପାଇଁ ୧୨ଟି ଆସନ ସଂରକ୍ଷଣ ରହିଥିବାବେଳେ ଏହା ମୋଟ୍ ସଂରକ୍ଷଣର ୨୭.୯୦%। ସେହିପରି ଏସ୍ସିଙ୍କ ପାଇଁ ୪ଟି ଏବଂ ଏସ୍ଟିଙ୍କ ପାଇଁ ଗୋଟିଏ ଆସନ ସଂରକ୍ଷିତ ରହିଛି। ଏହିପରି ଏସ୍ସି ଓ ଏସ୍ଟିଙ୍କ ପାଇଁ ମୋଟ୍ ୧୧.୬୨% ସଂରକ୍ଷଣ ରଖାଯାଇଛି।
ତିନି ମହାନଗର ନିଗମ କର୍ତ୍ତୃପକ୍ଷ ନଗର ଉନ୍ନୟନ ବିଭାଗ ନିକଟରେ ଏହି ତାଲିକା ଦାଖଲ କରିଥିଲେ ହେଁ ଏଥିରେ ଅଦଳବଦଳ ପାଇଁ ଏବେ ଶାସକ ଦଳର ପ୍ରାର୍ଥୀମାନେ ଲବି ଚଳାଇଛନ୍ତି। ଯେଉଁଥିପାଇଁ କେଉଁ ୱାର୍ଡ କେଉଁ ବର୍ଗଙ୍କ ପାଇଁ ସଂରକ୍ଷିତ ଅଛି ତାହାକୁ ଏପର୍ଯ୍ୟନ୍ତ ମହାନଗର ନିଗମ କର୍ତ୍ତୃପକ୍ଷ ସର୍ବସାଧାରଣରେ ପ୍ରକାଶ କରୁନାହାନ୍ତି। ଡିସେମ୍ବର ୧୦ରେ ନଗର ଉନ୍ନୟନ ବିଭାଗ ଚିଠା ତାଲିକା ପ୍ରକାଶ କରିବାକୁ ଥିବାରୁ ସେଥିରେ ଏହି ସଂରକ୍ଷଣ ବ୍ୟବସ୍ଥା ରହୁଛି ନା କିଛି ବଦଳୁଛି ତାହାକୁ ଅପେକ୍ଷା।