ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ଶିକ୍ଷା ବର୍ଷରୁ ନୂଆ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ଏଥିରେ ନାମଲେଖା ସମୟରେ ୪୦%ରୁ ଅଧିକ ଭିନ୍ନକ୍ଷମ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ୫% ସିଟ୍ ସଂରକ୍ଷଣ ରହିବ। ସେହିପରି ପୂର୍ବତନ ସରକାରୀ କର୍ମଚାରୀ, ସାମରିକ ବାହିନୀରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସହିଦଙ୍କ ପିଲାଙ୍କ ପାଇଁ ୧% ସଂରକ୍ଷଣ ରହିବ। +୨ ବା ଏହା ସମତୁଲ୍ୟ ପାଠ୍ୟକ୍ରମରେ ନାମ ଲେଖା ସମୟରେ ଏନ୍ସିସିରେ ବି ସାର୍ଟିଫିକେଟ୍ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୫% ମାର୍କ ଅଧିକ ମିଳିବ, ସର୍ବଭାରତୀୟ ଏନ୍ସିସି କ୍ୟାମ୍ପ/ସୈନିକ ସ୍କୁଲ/ କେନ୍ଦ୍ରୀୟ ସ୍କୁଲର ଛାତ୍ରଛାତ୍ରୀଙ୍କୁ ୩% ମାର୍କ ମିଳିବ। ଏନ୍ଏସ୍ଏସ୍ରେ ଯେଉଁମାନେ ରାଜ୍ୟକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବେ ସେମାନଙ୍କୁ ୫% ମାର୍କ ଅଧିକ ମିଳିବ, ରାଜ୍ୟସ୍ତରୀୟ କ୍ୟାମ୍ପରେ ସାମିଲ୍ ହୋଇଥିଲେ ୩% ମାର୍କ, ବିଶ୍ୱବିଦ୍ୟାଳୟ ସ୍ତରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ସମ୍ମାନ ପାଇଥିଲେ ୨% ମାର୍କ ନାମଲେଖା ସମୟରେ ମିଳିବ। ରୋଭର/ରେଞ୍ଜରଙ୍କ ପାଇଁ ବି ସର୍ବଭାରତୀୟ କ୍ୟାମ୍ପରେ ସାମିଲ୍ ହୋଇଥିଲେ ୫% ମାର୍କ, ରାଜ୍ୟପାଳ, ରାଜ୍ୟ ସଂଘର ସଭାପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ୨% ମାର୍କ ପାଇବେ। ଏହି ସବୁ ସଂରକ୍ଷଣ +୨,+୩ ପାଠ୍ୟକ୍ରମ ବା ବିଶ୍ୱବିଦ୍ୟାଳୟ ସ୍ତରରେ ନାମଲେଖାଇବାବେଳେ ବିଚାରକୁ ନିଆଯିବ।
ଚଳିତବର୍ଷ ବାହାର ରାଜ୍ୟରେ ରହୁଥିବା ଓଡ଼ିଆଙ୍କୁ ଓଡ଼ିଶାରେ ପଢ଼ିବା ପାଇଁ ଅଣସଂରକ୍ଷିତ ବର୍ଗରେ ସାମିଲ୍ କରାଯାଇଛି। ପୂର୍ବରୁ ଯେଉଁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଥିଲା ତାହା ପୂର୍ବ ପରି ଲାଗୁ ହେବ।