ମେୟର ପଦବି ଉପରେ ନଜର: ସଂରକ୍ଷଣରେ ବଦଳିଯିବନି ତ ଆଶାୟୀଙ୍କ ଭାଗ୍ୟ!

ଭୁବନେଶ୍ବର, କଟକ, ବ୍ରହ୍ମପୁରରେ ସଂରକ୍ଷଣ ବଦଳିପାରେ

ଭୁବନେଶ୍ବର : ଆଗାମୀ ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବାକୁ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଜାରି କରିବା ପରେ ସବୁ ସହରାଞ୍ଚଳରେ କର୍ପୋରେଟର/କାଉନସିଲର୍ ହେବା ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ିଲାଣି। ହେଲେ ଏଥର ତିନି ମହାନଗର ନିଗମରେ ମେୟର ପଦବି ପାଇଁ ପ୍ରତ୍ୟକ୍ଷ ଭୋଟ୍ ହେବାକୁ ଥିବାରୁ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ପୌର ନିର୍ବାଚନ ତାତି ଏବେଠୁ ଉଷ୍ମ ହେଲାଣି। ବହୁ ନୂଆ/ପୁରୁଣା ନେତା ମେୟର ଆଶାୟୀ ଥିବା ବେଳେ ରାଜନୈତିକ ଦଳଗୁଡ଼ିକ ବି କେଉଁ ଅସନ୍ତୁଷ୍ଟ/ପ୍ରଭାବଶାଳୀ ନେତାଙ୍କୁ ଟିକେଟ୍ ଦେବେ ସେନେଇ ଆକଳନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ଶାସକ ଦଳରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ରହିଛି। କିନ୍ତୁ ସବୁ ‘ସଂରକ୍ଷଣ’ ଉପରେ ନିର୍ଭର କରିଥିବାରୁ ଏବେଠୁ ଆଶାୟୀମାନେ ସେମାନଙ୍କୁ ସୁହାଇଲା ଭଳି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଲବି ଆରମ୍ଭ କରିଦେଇଛନ୍ତି।

ଏଥର ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ପୌର ନିର୍ବାଚନ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ତେଣୁ ପୂର୍ବ ଭଳି ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବି ପାଇଁ ନିର୍ବାଚନ ହେବ। ବର୍ତ୍ତମାନ ସୁଦ୍ଧା କେଉଁ ମହାନଗର ନିଗମର ମେୟର ପଦବି କେଉଁ ବର୍ଗ ପାଇଁ ସଂରକ୍ଷଣ ରହିବ, ସେନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ହେଁ ଗତ ଥର ଯାହା ଥିଲା ଏଥର ତାହା ବଦଳିବା ନିଶ୍ଚିତ। ତେଣୁ ବ୍ରହ୍ମପୁର ଓ କଟକ ମହାନଗର ନିଗମ ଅପେକ୍ଷା ଭୁବନେଶ୍ବରରେ ମେୟର ଆଶାୟୀ ଅଧିକ ଚିନ୍ତାରେ। ବିଏମ୍‌ସି ମେୟର ହେବାକୁ ରାଜଧାନୀରେ ବହୁ ପୂର୍ବତନ କର୍ପୋରେଟର, ନୂଆ ନେତା, ବିଧାୟକ ଟିକେଟ୍ ପାଇନଥିବା ନେତା/ନେତ୍ରୀ ଆଶାୟୀ ଅଛନ୍ତି।

ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ରେ ମେୟର ପଦବି ସୃଷ୍ଟି ହେବା ଦିନରୁ ବର୍ତ୍ତମାନ ସୁଦ୍ଧା ତିନି ଥର ପରୋକ୍ଷ ଭାବେ ମେୟର ମନୋନୀତ ହୋଇଛନ୍ତି। କିନ୍ତୁ ଏଥର ପ୍ରତ୍ୟେକ୍ଷ ନିର୍ବାଚନ ହେବାକୁ ଥିବାରୁ ଏହି ପଦବିର ଗୁରୁତ୍ବ ବଢ଼ିଯାଇଛି। ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀର ବିଏମ୍‌ସି ଅଞ୍ଚଳର ଭୋଟର ଭୋଟ୍ ଦେଇ ମେୟର ବାଛିବାକୁ ଥିବାରୁ ଯିଏ ମେୟର ହେବେ ତାଙ୍କର ପୂରା ଭୁବନେଶ୍ବରରେ ଦବ୍‌ଦବା ରହିବ। ଯେଉଁଥିପାଇଁ ଏହି ପଦବି ନିମନ୍ତେ ଏବେ ଆଶାୟୀଙ୍କ ତାଲିକା ବଢ଼ିବାରେ ଲାଗିଛି। ବିଏମ୍ସି ମେୟର ପଦବି ୨୦୦୩ରେ ଅସଂରକ୍ଷିତ ଥିଲା ବେଳେ ମିହିର ମହାନ୍ତି ମେୟର ମନୋନୀତ ହୋଇଥିଲେ। ଏହା ପରେ ୨୦୦୯ରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ହୋଇଥିଲା। ଏଥିରେ ଅନନ୍ତ ନାରାୟଣ ଜେନା ମନୋନୀତ ହୋଇଥିଲେ। ୨୦୧୪ରେ ମେୟର ପଦବି ଅସଂରକ୍ଷିତ ହୋଇଥିଲେ ବି ଅନନ୍ତ ଦ୍ବିତୀୟ ଥର ପାଇଁ ମନୋନୀତ ହୋଇଥିଲେ। ସେ ଦ୍ବିତୀୟ ଥର ସୁଯୋଗ ପାଇବା ପରେ ବହୁ ପୂର୍ବତନ କର୍ପୋରେଟରଙ୍କ ମେୟର ହେବା ଆଶା ମଉଳି ଯାଇଥିଲା। ଏପରିକି ବିଜେଡି ଭିତରେ ଏହାକୁ ନେଇ କିଛି ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଅସନ୍ତୁଷ୍ଟ ବରିଷ୍ଠ କର୍ପୋରେଟରଙ୍କୁ ପରବର୍ତ୍ତୀ ସମୟରେ ମେୟର ହେବାର ଥୋପ ଦିଆଯାଇଥିଲା। ତେଣୁ ଏଥର ମେୟର ହେବାକୁ କିଛି ଆଶାୟୀ ପ୍ରାର୍ଥୀ ଗତ ତିନି ବର୍ଷ ହେଲା ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ନିର୍ବାଚନ ହେବନି ବୋଲି ନିଷ୍ପତ୍ତି ହୋଇଥିବାରୁ ଏଥର ବିଏମ୍ସି ପାଳିରେ ମହିଳା ମେୟର ପଦବି ପଡ଼ିବା ଏକରକମ ଥୟ ହୋଇଗଲାଣି। ଯାହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଲାଣି। ମହିଳା ହେଲେ ବି ଏହା ଅନୁସୂଚିତ ମହିଳା ପାଇଁ ସଂରକ୍ଷିତ ହେବ ନା କେବଳ ମହିଳା ହେବ ତାହାକୁ ଅପେକ୍ଷା।

ସେହିପରି କଟକ ମହାନଗର ନିଗମରେ ବର୍ତ୍ତମାନ ସୁଦ୍ଧା ତିନିଟି ପାଳିରେ ୪ ଜଣ ମେୟର ହୋଇସାରିଲେଣି। ୨୦୦୩ରେ ମହିଳାଙ୍କ ପାଇଁ ମେୟର ପଦବି ସଂରକ୍ଷିତ ଥିଲା ବେଳେ ନିବେଦିତା ପ୍ରଧାନ ମେୟର ହୋଇଥିଲେ। ୨୦୦୯ରେ ଏହା ଅସଂରକ୍ଷିତ ରହିଥିଲା। ଏଥିରେ ସୌମେନ୍ଦ୍ର ଘୋଷ ମେୟର ହୋଇଥିଲେ। ୨୦୧୪ରେ ମେୟର ପଦବି ଅନୁସୂଚିତ ଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ହୋଇଥିଲା ବେଳେ ଅନିତା ବେହେରା ଓ ପରେ ମିନାକ୍ଷୀ ବେହେରା ମେୟର ହୋଇଥିଲେ। ତେଣୁ ଏଥର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷଣ ହେବା ସମ୍ଭାବନା କମ୍। ଏଥର ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ରହିବା ସମ୍ଭାବନା ଅଧିକ।

ବ୍ରହ୍ମପୁର ମହାନଗର ନିଗମର ବର୍ତ୍ତମାନ ସୁଦ୍ଧା ଦୁଇଟି ପାଳିରେ ଦୁଇ ଜଣ ମେୟର ମନୋନୀତ ହୋଇଛନ୍ତି। ୨୦୦୯ରେ ମେୟର ପଦବି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷଣ ଥିଲା ବେଳେ ଶିବଶଙ୍କର ଦାସ ମେୟର ହୋଇଥିଲେ। ୨୦୧୪ରେ ଏହା ପଛୁଆବର୍ଗ ମହିଳାଙ୍କ ସଂରକ୍ଷଣ ହେବାରୁ କେ.ମାଧବୀ ମେୟର ମନୋନୀତ ହୋଇଥିଲେ। ଏଠାରେ ମେୟର ପଦବି ଯଦି ମହିଳାଙ୍କ ପାଇଁ ସଂରକ୍ଷଣ ହେବ ତେବେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ହେବ, ନଚେତ୍ ପୁଣି ଅସଂରକ୍ଷିତ ରହିବ ବୋଲି ଚର୍ଚ୍ଚା ହେଉଛି।
ଏସବୁ ବାଦ୍ କେଉଁଠି ମେୟର ପଦବି କେଉଁ ବର୍ଗ ପାଇଁ ସଂରକ୍ଷଣ ରହିବ ତାହା ଚୂଡ଼ାନ୍ତ ହୋଇନଥିବାରୁ ଆଶାୟୀମାନେ ବି ନିଜ ୱାର୍ଡ ଛାଡ଼ିବାକୁ ଚାହୁଁ ନାହାନ୍ତି। ମେୟର ଆଶାୟୀଙ୍କ ମଧ୍ୟରେ ଯେଉଁମାନେ ପୂର୍ବତନ କର୍ପୋରେଟର ଅଛନ୍ତି ସେମାନେ ଯଦି ମେୟର ଟିକେଟ୍ ନ ପାଇବେ ତେବେ କର୍ପୋରେଟର ଛିଡ଼ା ହେବା ବାଟ ଯେପରି ବନ୍ଦ ନହେବ ତା’ର ବ୍ୟବସ୍ଥା ବି ଆରମ୍ଭ କରିଛନ୍ତି। ଯେପରି ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣରେ ଶାସକ ଦଳର ଟାଣୁଆ ଆଶାୟୀମାନଙ୍କର ନିର୍ବାଚନ ଲଢ଼ିବାରେ କୌଣସି ଅସୁବିଧା ହେବନି ସେନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର