ତେଲକୋଇ: ଚଳିତ ବର୍ଷ ତେଲକୋଇ ଅଞ୍ଚଳର ଚାଷୀଙ୍କୁ ଧୋକା ଦେଇଛି ବର୍ଷା। ଖରିଫ ଋତୁରେ ଆବଶ୍ୟକ ସମୟରେ ବର୍ଷା ନ ହେବାରୁ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆକାଶରୁ ବର୍ଷା ଉଭାନ ହୋଇଯିବା ଫଳ ଧାନ ଫସଲ ପ୍ରଭାବିତ ହୋଇଛି। ସ୍ଥାନୀୟ ଅଞ୍ଚଳର ସମସ୍ତ ଜଳଭଣ୍ଡାର ମାସେ ହେଲାଣି ଶୁଖିଲା ପଡ଼ିଛି। ଫଳରେ କେନାଲରେ ପାଣି ପ୍ରବାହିତ ହେଉ ନାହିଁ। ଅନ୍ୟପକ୍ଷରେ କେତେକ ସ୍ଥାନରେ ପାଣି ଅଭାବରୁ ଉଜୁଡିବାକୁ ବସିଥିବା ଧାନ ଫସଲକୁ ପମ୍ପ ଦ୍ବାରା ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଚାଷୀ। ଯାହାବି ହେଉ ଏଥର ତେଲକୋଇ ଅଞ୍ଚଳର ଧାନ ଚାଷୀ କ୍ଷତି ସହିବା ସମ୍ଭାବନା ସୃଷ୍ଟି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳର ଲୋକଙ୍କ ମୁଖ୍ୟ ଜୀବିକା ଧାନ ଚାଷ। ହେଲେ ଚଳିତ ବର୍ଷ ତେଲକୋଇ ଅଞ୍ଚଳରେ ଅମଳ ପୂର୍ବରୁ କେତେକ ଅଞ୍ଚଳରେ ମରୁଡ଼ିର ପଦଧ୍ବନି ଦେଖିବାକୁ ମିଳିଛି। ସ୍ଥାନୀୟ ଚାଷୀ କ୍ଷେତରୁ ବର୍ଷକୁ ଥରେ ଧାନ ଫସଲ ଅମଳ କରିଦେଲେ, ସେଥିରେ ବର୍ଷଯାକ ପରିବାର ପ୍ରତିପୋଷଣ କରିବାରେ ସହଜ ହୋଇଥାଏ। ତେବେ ଚଳିତ ବର୍ଷ ଖରିଫ ଧାନ ଫସଲ ତେଲକୋଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇ ଦେଇଛି। ଧାନ ଗର୍ଭଧାରଣ ଠାରୁ କ୍ଷୀର ଖାଇ ପାକଳ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଭାଦ୍ରବ ମାସ ଠାରୁ ଆଜି ଯାଏଁ ବର୍ଷା ଉଭାନ। ବର୍ଷା ଅଭାବରୁ ଚାଷ ଜମି ଶୁଖି ଆଁ କରିଛି। ଗଛରେ ଶୁଖିଲା ଧାନ କେଣ୍ଡା ଦେଖି ଚାଷୀ ମନ ମରିଯାଉଛି। ଉପାୟ ଶୂନ୍ୟ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିପଡିଛି।
ତେଲକୋଇ ବ୍ଲକରେ ୮ ହଜାର ୭୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ୧୦ ପ୍ରତିଶତରୁ କମ୍ ଜମିରେ ଜଳସେଚନର ବ୍ୟବସ୍ଥା ରହିଛି। ବାକି ୯୦ ପ୍ରତିଶତ ଜମି ବର୍ଷା ପାଣି ଉପରେ ନିର୍ଭରଶୀଳ। ଏବେ ଜଳ ଭଣ୍ଡାର ଗୁଡ଼ିକ ମଧ୍ୟ ଶୁଖିଲା ପଡ଼ିଛି। ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ଆସିଥିଲେ ମଧ୍ୟ ବିଳମ୍ୱରେ ବର୍ଷା ହୋଇଥିଲା। ତେଣୁ ଚାଷୀମାନେ ବହୁ କଷ୍ଟରେ ତଳି ପକା ଠାରୁ ଆରମ୍ଭ କରି ରୁଆପୋତା ପର୍ଯ୍ୟନ୍ତ ଯାବତୀୟ ଚାଷ କାର୍ଯ୍ୟ ସମ୍ପାଦନ କରିଥିଲେ। ମଝିରେ ବିକ୍ଷିପ୍ତ ଓ ପରେ ଲଘୁଚାପ ଜନିତ ବର୍ଷା ହୋଇଥିଲା। ବର୍ଷାକୁ ଦେଖି ଚାଷୀ ଚଳିତ ବର୍ଷ ସୁରୁଖୁରୁରେ ଭଲ ଅମଳ ଆଶା ରଖିଥିଲା। ଜମିରେ ଉନ୍ନତମାନର ବିହନ ଠାରୁ ଆରମ୍ଭ କରି ଖତ, ସାର ଓ କୀଟନାଶକ ପ୍ରୟୋଗ ମଧ୍ୟ କରିଛି। କ୍ଷେତରେ ଭଲ ଫସଲ ମଧ୍ୟ ହୋଇଥିଲା।
ରୋଗପୋକ ନିୟନ୍ତ୍ରଣ ଯୋଗୁଁ ଜମିରେ ସବୁଜ ଧାନ କ୍ଷେତ ମନ ମୋହି ନେଉଥିଲା। କିନ୍ତୁ ଧାନ କେଣ୍ଡା ବାହାରିବା ବେଳେ ଶୁଖିଗଲା ଚାଷ ଜମି। ଲଘୁଚାପ ଜନିତ ବର୍ଷା ଉପରେ ତେଲକୋଇ ଚାଷୀ ଭରସା ରଖିଥିଲା। ଏସବୁ ମଧ୍ୟ ସାହା ହେଲେ ନାହିଁ। ଏବେ ଧାନ କେଣ୍ଡା ଶୁଖି ଗଲାଣି। ଧାନ ଗଛ ମରିବାକୁ ବସିଲାଣି। ତେଲକୋଇ ବ୍ଲକର ୨୨ ପଞ୍ଚାୟତର ଢ଼ିପ ଜମିରେ ହୋଇଥିବା ଧାନ ଚାଷର ଅବସ୍ଥା ଏବେ ଦୟନୀୟ। ଏସବୁ ଚାଷ ଜମିରୁ ୨୦ ପ୍ରତିଶତ ଧାନ ଅମଳ କଷ୍ଟକର। ନାଳି ଅଞ୍ଚଳର ଜମିରୁ ୪୦ ପ୍ରତିଶତ ଓ ଗହିରିଆ ଜମିରୁ ୬୦ ପ୍ରତିଶତ ଧାନ ମିଳିବ ବୋଲି ଆଶା କରାଯାଉଛି। ତେବେ ବିଭିନ୍ନ ଗ୍ରାମର ଅଗଭୀର ଜମିର ଧାନ ଫସଲ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି।