ଆର୍ସିସାହି ବାସିନ୍ଦାଙ୍କ ମୁହଁରେ ହସ ଫୁଟିଲା, ୨୯ବର୍ଷ ପରେ ମିଳିଲା ପାଇପ୍ ପାଣି

ରା.ଉଦୟଗିରି : ଦିନେ କି, ଦୁଇଦିନ  ନୁହେଁ, ଦୀର୍ଘ ୨୯ବର୍ଷ ପରେ ରା.ଉଦୟଗିରି ବ୍ଲକ୍‌ ସଦରପଞ୍ଚାୟତର ୯ନମ୍ବର ୱାର୍ଡ଼ରେ ଆଜି ପାଇପ୍‌ ଯୋଗେ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ରା.ଉଦୟଗିରି ପଞ୍ଚାୟତ ପାଇଁ ଅନେକ ସରପଞ୍ଚ ଦାୟିତ୍ୱ ନେଇଛନ୍ତି।  ପ୍ରତ୍ୟେକ ସାହିକୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଚେଷ୍ଟା କରିଛନ୍ତି । ହେଲେ ଆର୍ସି ସାହିର ଜଳ କଷ୍ଟକୁ ସମସ୍ତେ ଭୁଲିଯାଇଥିବା ବେଳେ  ଶେଷରେ ସରପଞ୍ଚ ସଂଯୁକ୍ତ ପୂଜାରୀ ଜଳଯୋଗାଣ ବ୍ୟବସ୍ଥାକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ। ଗତ ଦୁଇମାସ ଧରି  ସାହିରେ ପାଇପ୍ ବିଛାଇବା କାମ ହାତକୁ ନେଇଥିଲେ। ସାହି ବାସିନ୍ଦାଙ୍କ ଶ୍ରମଦାନ, ଗଙ୍ଗା ଗୌଡ଼ ଓ କିଶୋର ଗୌଡ଼ଙ୍କ ସହଯୋଗ ଏହି ପ୍ରକଳ୍ପକୁ ସାକାର ରୂପ ଦେଇଥିଲା। ଆଜି ଏହି ସାହିରେ ୫ଟି ପଏଣ୍ଟ ଦିଆଯାଇଥିଲା। ବହୁଦିନର ଆଶା ପୂରଣ ହେବା ପରେ  ୱାର୍ଡ଼ମେମ୍ବର ଅନିତା ରଇତ, ତିଲୋତ୍ତମା ରଇତ, ହରିବନ୍ଧୁ ରଇତ, ରବୀନ୍ଦ୍ର ବଡମୁଣ୍ଡି, ନରସିଂହ ବଡମୁଣ୍ଡି ଓ ଲକ୍ଷ୍ମୀ ଭୂୟାଁ ପ୍ରମୁଖ  କୃତଜ୍ଞତା ଜଣାଇଛନ୍ତି। ୨୦ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ସାହି ବାସିନ୍ଦାଙ୍କୁ ଦିଆଯାଇଥିବାରୁ ସମସ୍ତଙ୍କ ମୁହଁରେ ଆଜି ହସ ଫୁଟିଥିଲା।
ପୂର୍ବରୁ ସାହିବାସିନ୍ଦା ନିକଟସ୍ଥ ଝରଣାରୁ ଚୁଆ କରି ପାନୀୟ ଜଳ ସଂଗ୍ରହ କରୁଥିଲେ। ନିକଟସ୍ଥ ଜଳଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଥିବା ହ୍ୟାଣ୍ଡପମ୍ପ୍  ନଥିବା ଭଳି ସମାନ ଥିଲା। ଏମିତିରେ ସାହିର ୩୨ ପରିବାରର ୩ ଶହରୁ ଅଧିକ ବାସିନ୍ଦା ପ୍ରତିଦିନ ଏଭଳି ଜଳକଷ୍ଟ ଭୋଗୁଥିଲେ। ତେବେ ଆଜି ସେମାନଙ୍କର ବହୁଦିନର ସ୍ୱପ୍ନ ସାକାର ହୋଇଥିବା ଜଣାପଡ଼ିଛି।
ସମ୍ବନ୍ଧିତ ଖବର