ବାସୋପଯୋଗୀ ରାଜଧାନୀ: ଭୁବନେଶ୍ବର ଦେଶରେ ଚତୁର୍ଥ

ଲୋକେ ରହିବାକୁ ପସନ୍ଦ କରୁଛନ୍ତି, ଆର୍ଥିକ ଦକ୍ଷତା କିନ୍ତୁ କମ୍

ଭୁବନେଶ୍ବର : ଦେଶର ଶ୍ରେଷ୍ଠ ୧୦ଟି ବାସୋପଯୋଗୀ ରାଜଧାନୀ ତାଲିକାରେ ସ୍ଥାନ ପାଇଛି ଭୁବନେଶ୍ବର। ସ୍ବେଚ୍ଛାସେବୀ ଅନୁଷ୍ଠାନ ସେଣ୍ଟର ଫର୍ ସାଇନ୍‌ସ ଆଣ୍ଡ ଏନଭାଇରନ୍‌ମେଣ୍ଟ (ସିଏସ୍‌ଇ) ପକ୍ଷରୁ ହୋଇଥିବା ଏହି ସର୍ଭେରେ ଭୁବନେଶ୍ବର ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରକୁ ପଛରେ ପକାଇ ଭୁବନେଶ୍ବର ତାଲିକାର ଉପରେ ରହିବା ଭୁବନେଶ୍ବରବାସୀଙ୍କ ପାଇଁ ଖୁସି ଖବର।

ସିଏସ୍‌ଇ ପକ୍ଷରୁ ହୋଇଥିବା ଏହି ସର୍ଭେରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନରେ ଥିବାବେଳେ ଚେନ୍ନାଇ ଦ୍ବିତୀୟ ଏବଂ ସିମ୍‌ଲା ତୃତୀୟ ସ୍ଥାନରେ ରହିଛି। ମୁମ୍ବାଇ ୫ମ ସ୍ଥାନରେ ଥିବାବେଳେ ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧୀନଗର ନବମ ଏବଂ ଜୟପୁର ଦଶମ ସ୍ଥାନରେ ରହିଛି।

ଇଜ୍‌ ଅଫ୍ ଲିଭିଂ ଇଣ୍ଡେକ୍ସ ବା ସୁବିଧାରେ ରହିବାର ସୂଚକାଙ୍କ ଅନୁଯାୟୀ ଏହି ରୢାଙ୍କ ପ୍ରସ୍ତୁତ ହୋଇଛି। ଏଥିପାଇଁ ରାଜଧାନୀରେ ଜୀବନଧାରଣର ମାନ, ଆର୍ଥିକ ଦକ୍ଷତା, ସ୍ଥାୟୀତ୍ବ, ସହରବାସୀଙ୍କ ସହରକୁ ନେଇ ଧାରଣା ବା ମତାମତ ଉପରେ ମାର୍କ ଦିଆଯାଇଥିଲା। ପ୍ରତ୍ୟେକ ବର୍ଗ ପାଇଁ ୧୦୦ ମାର୍କ ଲେଖାଏଁ ଦିଆଯାଇଥିବାବେଳେ ଭୁବନେଶ୍ବରକୁ ସହରବାସୀଙ୍କ ମତାମତ କ୍ଷେତ୍ରରେ ସବୁଠୁ ଅଧିକ ୯୪.୮ ମାର୍କ ମିଳିଥିଲା। ଯେଉଁଥିପାଇଁ ଭୁବନେଶ୍ବର ବାକି ତିନିଟି କ୍ଷେତ୍ରରେ ଅପେକ୍ଷାକୃତ କମ୍‌ ମାର୍କ ପାଇଥିଲେ ବି ଚତୁର୍ଥ ସ୍ଥାନରେ ରହିପାରିଥିଲା। ଭୁବନେଶ୍ବରରେ ଲୋକଙ୍କ ଜୀବନଶୈଳୀ, ଭିତ୍ତିଭୂମି, ଆର୍ଥିକ ଦକ୍ଷତା ଓ ସୁବିଧା ସୁଯୋଗ ଦୃଷ୍ଟିରୁ ଏତେଟା ଉନ୍ନତମାନର ହୋଇ ନ ଥିଲେ ବି ଲୋକଙ୍କୁ ରହିବାକୁ ଭଲ ଲାଗୁଥିବା ଏଥିରୁ ପ୍ରମାଣିତ ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗତ ମାର୍ଚ୍ଚ ମାସରେ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସରେ ଭୁବନେଶ୍ବର ୧୦ଲକ୍ଷରୁ କମ୍‌ ଜନସଂଖ୍ୟା ବିଶିଷ୍ଟ ସହର ତାଲିକାରେ ଦ୍ବିତୀୟ ସ୍ଥାନରେ ଥିଲା। ସେତେବେଳେ ମଧ୍ୟ ରାଜଧାନୀବାସୀଙ୍କ ମତାମତ ଭୁବନେଶ୍ବରକୁ ଏହି ସ୍ଥାନରେ ପହଞ୍ଚାଇଥିଲା।

ଏବେ ସିଏସ୍‌ଇ ପକ୍ଷରୁ ହୋଇଥିବା ସର୍ଭେରେ ଜୀବନଧାରଣର ମାନ କ୍ଷେତ୍ରରେ ଚେନ୍ନାଇକୁ ସର୍ବାଧିକ ୬୦.୮୪ମାର୍କ ମିଳିଥିବାବେଳେ ଭୁବନେଶ୍ବରକୁ ୫୧.୭୯ମାର୍କ ମିଳିଛି। ଜୟପୁରକୁ ସବୁଠୁ କମ୍‌ ୪୭.୬୬ ମାର୍କ ମିଳିଛି। ସେହିପରି ଆର୍ଥିକ ଦକ୍ଷତା କ୍ଷେତ୍ରରେ ବେଙ୍ଗାଲୁରକୁ ସର୍ବାଧିକ ୭୮.୮୨ ମାର୍କ ମିଳିଥିବାବେଳେ ଭୁବନେଶ୍ବରକୁ ୧୧.୫୭ମାର୍କ ମିଳିଛି। ଜୟପୁରକୁ ସବୁଠୁ କମ୍ ୧୦.୪୯ ମାର୍କ ମିଳିଛି। ସ୍ଥାୟୀତ୍ବ କ୍ଷେତ୍ରରେ ସିମ୍‌ଲାକୁ ସର୍ବାଧିକ ୬୯.୧୬ ମାର୍କ ମିଳିଥିବାବେଳେ ଭୁବନେଶ୍ବରକୁ ୫୭.୭୭ ମାର୍କ ମିଳିଛି। ଭୋପାଳକୁ ସବୁଠୁ କମ୍ ୫୧.୬୮ମାର୍କ ମିଳିଛି। ସେହିପରି ନାଗରିକଙ୍କର ନିଜ ସହରକୁ ନେଇ ଥିବା ଧାରଣା ବା ମତାମତରେ ଭୁବନେଶ୍ବରକୁ ସର୍ବାଧିକ ୯୪.୮ମାର୍କ ମିଳିଛି। ଏଥିରେ ଦିଲ୍ଲୀକୁ ସବୁଠୁ କମ୍ ୬୯.୪ ମାର୍କ ମିଳିଛି।

ଭୁବନେଶ୍ବରବାସୀ ଏହି ସର୍ଭେରେ ଭୁବନେଶ୍ବରକୁ ଶୀର୍ଷରେ ପହଞ୍ଚାଇଥିବାରୁ ବିଏମ୍‌ସି କମିସନର ସଂଜୟ କୁମାର ସିଂହ ରାଜଧାନୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗମୀ ଦିନରେ ଲୋକଙ୍କୁ ଅଧିକ ସୁବିଧାସୁଯୋଗ ଯୋଗାଇ ଭୁବନେଶ୍ବରକୁ ଜାତୀୟସ୍ତରରେ ଭଲ ରୢାଙ୍କ ମିଳିବା ପାଇଁ ଉଦ୍ୟମ କରିବୁ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର