ସହରାଞ୍ଚଳରେ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ୧୨ ଜିଲ୍ଲାରେ ଆବାସିକ ଛାତ୍ରାବାସ

ଭୁବନେଶ୍ବର : ସହରାଞ୍ଚଳରେ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ପାଇଁ ୧୨ଟି ଜିଲ୍ଲାରେ ଆବାସିକ ଛାତ୍ରାବାସ ଜରିଆରେ ପାଠପଢ଼ା ଚାଲୁଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାଶ କହିଛନ୍ତି, ବରଗଡ଼, କଟକ, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଖୋର୍ଧା, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆବାସିକ ଛାତ୍ରାବାସ ଖୋଲା ଯାଇଛି। ଏହାସହ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, କଟକ, ଖୋର୍ଧା ଓ ବାଲେଶ୍ବର ଜିଲ୍ଲାଗୁଡ଼ିକରେ ଋତୁକାଳୀନ ଆବାସିକ ଓ ଅଣ-ଆବାସିକ ‌ଛାତ୍ରାବାସ ଖୋଲାଯାଇ ଦେଶାନ୍ତର ହେଉଥିବା ପିଲାଙ୍କୁ ଛାତ୍ରାବାସରେ ‌ରଖାଯାଇ ଶିକ୍ଷା ଦିଆଯାଇଛି। ଫଳରେ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ଏସବୁ ଜିଲ୍ଲାରେ କ୍ରମଶଃ ହ୍ରାସ ପାଉଛି। ସେହିପରି ମାଲକାନଗିରି ଜିଲ୍ଲାର କୋରକଣ୍ଡା ବ୍ଲକ୍ ଅଧୀନ ନୀଳାଦ୍ରିନଗର ପିୟୁପିଏସ୍‌, ପଡ଼ିଆ ବ୍ଲର କଲଡ଼ାପାଲ ୟୁଜିଏଚ୍‌ଏସ୍‌ର ଏକ ୧୦୦ ସଂଖ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଖୋଲାଯିବା ସହିତ ୬-୧୪ବର୍ଷ ପିଲାଙ୍କୁ ବିଦ୍ୟାଳୟରେ ଶିକ୍ଷା ଦିଆଯାଉଛି। କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ୍‌ର ନେରୀଡିଭାଲସା ପ୍ରାଥମିକ ବିଦ୍ୟାଳୟ ଓ ଦାସମନ୍ତପୁର ବ୍ଲକ୍‌ର ଗିରିଲିଗୁମା ୟୁଜିଏଚ୍‌ଏସ୍‌ରେ ୧୦୦ ସଂଖ୍ୟା ବିଶିଷ୍ଟ ଆବାସିକ ବିଦ୍ୟାଳୟ ଖୋଲାଯାଇଛି।

ବିଦ୍ୟାଳୟ ବାହାରେ ଥିବା ପିଲାଙ୍କ ପାଇଁ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା, ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟବସ୍ଥା ଦିଆଯାଉଛି। ଯେଉଁ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ସଂଖ୍ୟା କମ୍ ଥାଇ ମିଶ୍ରଣ/ବନ୍ଦ ହୋଇଯାଏ, ସେହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୧.୫ କି.ମି ଦୂରତାଠାରୁ ଅଧିକ ନିକଟତମ ପ୍ରାଥମିକ ବିଦ୍ୟାଳୟ ଓ ୩.୫ କି.ମି ଦୂରତାଠାରୁ ଅଧିକ ନିକଟତମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ଏହି ସୁବିଧା ପାଇବେ। ବର୍ଷାଋତୁରେ ଯେଉଁ ପିଲାମାନେ ନଦୀ/ଖାତ ଯୋଗୁଁ ବିଦ୍ୟାଳୟକୁ ଆସିପାରୁ ନ ଥିବେ ସେହି ପିଲାମାନେ ମଧ୍ୟ ଏହି ପରିବହନ ଓ ରକ୍ଷଣ ଅନୁଗାମୀ ବ୍ୟକ୍ତିର ସୁବିଧା ମିଳିବ। ଏହାସହ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ, ମାଗଣା ପୁସ୍ତକ ଓ ପୋଷାକ ପ୍ରଦାନ କରାଯାଉଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର