ବସ୍ତିବାସିନ୍ଦାଙ୍କ ଆପାର୍ଟମେଣ୍ଟ କେଳେଙ୍କାରୀ: ରାଜା କରଣକୁ ଚାବି ଦେଇଥିଲା କିଏ?

୭ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ, ନୋଟାରୀ ଓ ୨ ସୁରକ୍ଷାକର୍ମୀଙ୍କୁ ଜେରା

କଟକ : କଟକର ଅନ୍ଦରପୁରରେ ସିଏମ୍‌ସି ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ସମନ୍ବିତ ଆବାସ ଓ ବସ୍ତି ଉନ୍ନୟନ ଯୋଜନାକୁ ନେଇ କେଳେଙ୍କାରୀର ଚେର ଲମ୍ବିବାରେ ଲାଗିଛି। ଏହି ଘଟଣାରେ ପୂର୍ବତନ କର୍ପୋରେଟର ରଂଜିତା କରଣଙ୍କ ସ୍ବାମୀ ରାଜା କରଣକୁ ଗିରଫ କରାଯାଇଥିବା ବେଳେ ଏବେ ରାଜା ପଛରେ ଆଉ କିଏ ଥିଲେ ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି। ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ଘରର ସମସ୍ତ ଚାବି ସିଏମ୍‌ସିର ବସ୍ତି ଉନ୍ନୟନ ବିଭାଗର ଅଧିକାରୀଙ୍କ ନିକଟରେ ଥିଲା। ଯେଉଁ ଭୂମିହୀନ ଘର ପାଇଁ ଆବେଦନ କରିବା ପରେ ନିର୍ଦ୍ଧାରିତ ଦେୟ ପୈଠ କରନ୍ତି, ସେମାନଙ୍କୁ ଚାବି ହସ୍ତାନ୍ତର କରାଯାଏ। ତେବେ ସେହି ଘର ଗୁଡ଼ିକର ଚାବି ରାଜା କରଣ ନିକଟକୁ ଗଲା କେମିତି? ଲୋକଙ୍କ ନିକଟରୁ ଟଙ୍କା ନେଲାପରେ ରାଜା ଘର ଚାବି ତାକୁ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ଦେଇଛି। ତା’ହେଲେ ଏହି କେଳେଙ୍କାରୀରେ ଏକା ରାଜା କ’ଣ ସମ୍ପୃକ୍ତ? ଅନ୍ୟପଟେ ଏହି ଆପାର୍ଟମେଣ୍ଟରେ ଯେଉଁ ୬୯ ଜଣଙ୍କୁ ସିଏମସି ଥଇଥାନ କରିଥିବା କୁହାଯାଉଛି, ସେମାନଙ୍କୁ ଏଯାଏ ବିଦ୍ୟୁତ୍‌ ଅଥବା ପାଣି ସଂଯୋଗ ଦିଆଯାଇ ନାହିଁ। ସେମାନେ ଚୋରାରେ ବିଦ୍ୟୁତ, ପାଣି ବ୍ୟବହାର କରୁଛନ୍ତି। ଏହା କିଭଳି ସମ୍ଭବ? ସରକାରୀ ଯୋଜନାରେ ଏଭଳି ଚୋରା କାରବାର କାହା ପ୍ରୋତ୍ସାହନରେ ଚାଲିଛି? କେହି କେମିତି ଏ ଘଟଣାର ଟେର ପାଉ ନଥିଲେ?

ସରକାରୀ ଘର ବିକ୍ରି କେଳେଙ୍କାରୀରେ ସିଏମସି ଡେପୁଟି କମିସନର ରାଜା ବିରୋଧରେ ମଧୁପାଟଣା ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ପୁଲିସ ଏବେ ସିଏମସିର କାର୍ଯ୍ୟକଳାପକୁ ନେଇ ସନ୍ଦେହ କଲାଣି। ୧୯୨ ବଖରା ବିଶିଷ୍ଟ ୩ ମହଲା କୋଠାରେ ୬୯ ଭୂମିହୀନଙ୍କୁ ସିଏମସି ପକ୍ଷରୁ ୨୦୨୧ ମାର୍ଚ୍ଚରୁ ଘର ଦିଆଯାଇଥିବା ବେଳେ ରାଜା ପାଖାପାଖି ୪୦ରୁ ୫୦ ଜଣଙ୍କୁ ଘର ଯୋଗାଇବାକୁ କହି ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇଥିବା ବର୍ତ୍ତମାନ ସୁଦ୍ଧା ପ୍ରମାଣ ମିଳିଛି। କିନ୍ତୁ ରାଜା ଏହି ଘର ଯୋଗାଇବାକୁ କହି କୋଟିଏ ଟଙ୍କାରୁ ଅଧିକ ଲୁଟିଥିବା ପୁଲିସ ସନ୍ଦେହ କରୁଛି। ଗଲା ୫ ତାରିଖରେ ପୁଲିସ ରାଜାର ଘରେ ଚଢ଼ଉ କରି ମାତ୍ର ୧୪ ଲକ୍ଷ ୯୦ ହଜାର ନଗଦ ଟଙ୍କା ଘରୁ ଜବତ କରିଥିଲା। ଅବଶିଷ୍ଟ ଟଙ୍କା ସମ୍ପର୍କରେ କୌଣସି ଖୋଜ ଖବର ମିଳିପାରିନାହିଁ। ତେବେ ପୁଲିସ ରାଜାର ପ୍ରାୟ ୭ଟି ବ୍ୟାଙ୍କ୍ ଆକାଉଣ୍ଟ ଜବତ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା କୌଣସି ଆକାଉଣ୍ଟରେ ଟଙ୍କା ନାହିଁ। ଏହି ଆକାଉଣ୍ଟକୁ ରାଜା କୋଠା ଘର ବିକ୍ରି ବାବଦ ଟଙ୍କା ଜମା କରିଥିବା ପୁଲିସ ପ୍ରମାଣ ପାଇଛି। ଏହି ଆକାଉଣ୍ଟଗୁଡ଼ିକରେ ଟଙ୍କା ଜମା ହେବାପରେ କେଉଁମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଟ୍ରାନସଫର୍ ହୋଇଛି, ସେ ନେଇ ପୁଲିସ ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ ସହଯୋଗ ଲୋଡ଼ିଛି। ତୁରନ୍ତ ଏ ସଂକ୍ରାନ୍ତ ତଥ୍ୟ ଯୋଗାଇବାକୁ ପୁଲିସ ୭ଟି ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଚିଠି ଲେଖିଛି।

ଅନ୍ୟପଟେ ରାଜା ୫ ତାରିଖରେ ଗିରଫ ହେବା ପରେ ପୁଲିସ ତାକୁ ୬ ତାରିଖରୁ ତିନି ଦିନିଆ ରିମାଣ୍ଡରେ ଚୌଦ୍ବାର ସର୍କଲ ଜେଲରୁ ଆଣିଥିଲା। ୬ ତାରିଖ ଗୋଟିଏ ଦିନ ଜେରା ହୋଇଥିବା ବେଳେ ୭ ତାରିଖ ସକାଳୁ ରାଜା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲା। ବଡ଼ ମେଡିକାଲରେ ଚିକିତ୍ସିତ ରାଜାକୁ ମେଡିକାଲରୁ ଡିସଚାର୍ଜ କରାଯିବା ପରେ ପୁଲିସ ଜେଏମଏଫସି ସିଟି କୋର୍ଟରେ ହାଜର କରିଥିଲା। ସେଠୁ ତାକୁ ଚୌଦ୍ବାର ଜେଲକୁ ପଠାଇ ଦିଆଯାଇଛି। ଆଜି ତାର ରିମାଣ୍ଡ ଅବଧି ଶେଷ ହୋଇଥିବା ବେଳେ ପୁଲିସ ରାଜା ନିକଟରୁ ବିଶେଷ କିଛି ତଥ୍ୟ ହାସଲ କରିପାରି ନାହିଁ। ଅନ୍ୟପଟେ ପୁଣିଥରେ ରାଜାର ରିମାଣ୍ଡ ପାଇଁ ପୁଲିସ କୋର୍ଟରେ ଦ୍ବାରସ୍ଥ ହେବାକୁ ଯୋଜନା କରୁଛି। ସିଏମସିର କେଉଁ ଅଧିକାରୀ ରାଜାକୁ ଏହି କୋଠା ଘର ବିକ୍ରି କରିବାକୁ ଚାବି ଦେଇଥିଲେ, ସେ ନେଇ ପୁଲିସ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରୁ ନାହିଁ।

ଅରୁଣୋଦୟ ମାର୍କେଟରେ ନୋଟାରି ରାଜଲକ୍ଷ୍ମୀ ପତିଙ୍କ ନିକଟରେ ରାଜା ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା ପାଇଁ ଏଗ୍ରିମେଣ୍ଟ କରିଥିବାରୁ ପୁଲିସ ଆଜି ତାଙ୍କୁ ପଚରାଉଚରା କରିଥିଲା। ଶ୍ରୀମତି ପତିଙ୍କ ନିକଟରେ ରାଜା ଏଗ୍ରିମେଣ୍ଟ କରିଥିବା ସମ୍ପର୍କରେ ସେ ସ୍ବୀକାର କରିଛନ୍ତି। ଏହାସହିତ ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ଏହି କୋଠାକୁ ଜଗିଥିବା ଦୁଇ ସୁରକ୍ଷାକର୍ମୀଙ୍କୁ ବି ପୁଲିସ ଆଜି ପଚରାଉଚରା କରିଥିଲା। ରାଜା କେବେଠାରୁ ଏହି କୋଠାକୁ ନିଜ ଦଖଲକୁ ନେଇଥିଲା ଓ ଠକେଇ କାରବାରରେ ରାଜାକୁ କେଉଁମାନେ ସହଯୋଗ କରୁଥିଲେ, ସେ ନେଇ ପୁଲିସ ଉଭୟଙ୍କୁ ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର