ବେଗୁନିଆପଡ଼ା: ବିରଳ କୃଷ୍ଣସାର ଓ କଳାବଉଦିଆ ହରିଣଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଚିକିଲି ଗ୍ରାମବାସୀଙ୍କ ପ୍ରୟାସ ଆଜି ସମସ୍ତଙ୍କ ନିମନ୍ତେ ଉଦାହରଣ ପାଲଟିଛି। ବନ ବିଭାଗର ପ୍ରତ୍ୟକ୍ଷ ସହଯୋଗରେ ଗାଁର ପ୍ରତିଟି ଲୋକ ହରିଣ ସୁରକ୍ଷା ପାଇଁ ମଙ୍ଗୁଆଳ ସାଜିଛନ୍ତି। ଗ୍ରାମର ଶେଷମୁଣ୍ଡରେ ଦୀର୍ଘବର୍ଷ ହେଲା କୃଷ୍ଣସାର ଓ କଳାବଉଦିଆ ହରିଣଙ୍କ ଚଳପ୍ରଚଳ ଜାରି ରହିଛି। ଫଳରେ ସେମାନଙ୍କ ଖାଦ୍ୟପେୟଠୁ ଆରମ୍ଭ କରି ସୁରକ୍ଷିତ ଚଳପ୍ରଚଳ ଓ ଶିକାରୀଙ୍କ ଦାଉରୁ ରକ୍ଷା କରିବାକୁ ଗ୍ରାମବାସୀ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି।
/sambad/media/post_attachments/wp-content/uploads/2023/07/deer-eeee-750x430.jpg)
ହରିଣଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ଶପଥ ନେଇଥିବା ବେଳେ ସେମାନଙ୍କୁ ପାଳି କରି ଜଗୁଛନ୍ତି। କେବଳ ଏତିକି ନୁହେଁ, ଗ୍ରାମବାସୀଙ୍କ ପକ୍ଷରୁ ପଞ୍ଚାୟତର ସହଯୋଗରେ ଓ ବନ ବିଭାଗ ପକ୍ଷରୁ ଦୁଇଟି କୃତ୍ରିମ ଜଳାଶୟ ନିର୍ମାଣ କରାଯାଇଛି। ଯେଉଁଠିକୁ ଶତାଧିକ ହରିଣ ପ୍ରତିଦିନ ପାଣି ପିଇବାକୁ ଆସୁଥିବା ଦେଖିବାକୁ ମିଳିଛ। ସେହିପରି ବିସ୍ତୀର୍ଣ୍ଣ ପଡ଼ିଆରେ ହରିଣ ଚରିବା ଲାଗି ବିରି ଓ ମୁଗ ଚାଷ କରାଯାଇଛି। ଏହାସହ ସଲ୍ଟ୍ ଲିକ୍ (ଲୁଣଚଟାଣ) ପ୍ରସ୍ତୁତ ହୋଇଛି। ବିରି ଓ ମୁଗ ଖାଇବା ପରେ ହରିଣମାନେ ଲୁଣକୁ ଖାଇ ଗାଁ ମୁଣ୍ଡରେ ବୁଲୁଛନ୍ତି। ଅନ୍ୟପକ୍ଷରେ ଏହି ନିରୀହ ପ୍ରାଣୀଙ୍କୁ ସର୍ବଦା ବନ୍ୟପ୍ରାଣୀ ଓ କୁକୁରପଲ ଆକ୍ରମଣ କରୁଥିବାର ଭୟ ରହୁଛି। ଫଳରେ ଗ୍ରାମବାସୀ ପାଳି କରି ସେମାନଙ୍କ ଉପରେ ନଜର ରଖୁଛନ୍ତି। ବର୍ତ୍ତମାନ ଗାଁର କେବଳ ଶେଷମୁଣ୍ଡରେ ନୁହେଁ, ସେଠାରେ ରହିଥିବା ଚକାଠାକୁର ଉଦ୍ୟାନରେ ମଧ୍ୟ ହରିଣଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଥିପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।
/sambad/media/post_attachments/wp-content/uploads/2023/07/ganjam-ccc-750x430.jpg)
ଅନ୍ୟପକ୍ଷରେ ବନ ବିଭାଗ ପକ୍ଷରୁ ମଧ୍ୟ କୃଷ୍ଣସାର ଓ କଳବଉଦିଆ ହରିଣଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ଖଲ୍ଲିକୋଟ ରେଞ୍ଜର୍ ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି। ଏଥିପାଇଁ ଚିକିଲି ଗ୍ରାମର ଶେଷମୁଣ୍ଡରେ ଏକ ୱାଚ୍ ଟାୱାର୍ ନିର୍ମାଣ ସହ ସେଠାରେ କିଛି କର୍ମଚାରୀ ମୁତୟନ ହୋଇଛନ୍ତି। ପାଖାପାଖି ୨୫୦ରୁ ୩୦୦ ହରିଣ ବୁଲୁଥିବା ବେଳେ ପାଣି ଓ ଖାଇବା ସୁବିଧା ଥିବାରୁ ସେମାନେ ଏହି ସ୍ଥାନ ଛାଡ଼ିଯାଉନାହାନ୍ତି। ସେମାନଙ୍କ ଉପରେ ଆମର ନଜର ରହୁଥିବାରୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ସୁରକ୍ଷିତ ଭାବେ ଏଠାରେ ବିଚରଣ କରୁଛନ୍ତି। ଆଉ ସନ୍ଧ୍ୟା ହେଲେ ହରିଣପଲ ବଣକୁ ଫେରିଲେ ଗ୍ରାମବାସୀ ମଧ୍ୟ ଘରକୁ ଫେରିଆସନ୍ତି। ବର୍ତ୍ତମାନ ଚିକିଲି ଗ୍ରାମ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଉତ୍ତମ ସ୍ବାଇଁ, ସୁବାସ ଖୁଣ୍ଟିଆ ଓ ଲଡ଼ୁ ଗୌଡ଼ଙ୍କ ସମେତ ସମସ୍ତ ଗ୍ରାମବାସୀ କହିଛନ୍ତି।