ରାଉରକେଲା: ହକି ବିଶ୍ବକପ୍‌ ପାଇଁ ସଜେଇ‌ ହେଉଛି ସହର। ସ୍ମାର୍ଟସିଟି ଓ ଅନ୍ୟାନ୍ୟ ଯୋଜନାରେ ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ ହେଉଛି। ବସ୍ତିର ବିକାଶକୁ ପ୍ରଶାସନ ଯେତିକି ଗୁରୁତ୍ବ ଦେବା କଥା, ସେତିକି ଦେଉ ନଥିବା ମନେ ହେଉଛି।  ରାଉର‌କେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅନ୍ତର୍ଗତ ୱାର୍ଡ ନଂ ୨୮ର ଜେନାବସ୍ତିକୁ ଉଦାହରଣ ଭାବେ ନିଆଯାଇପାରେ। ବସ୍ତିକୁ ଆଜି ପର୍ଯ୍ୟନ୍ତ ମୌଳିକ ସେବା ମିଳିନି। ଭଲ ରାସ୍ତାଟିଏ ନାହିଁ। ବିଜୁଳି ଆଲୁଆ ସାତସପନ ପାଲଟିଛି। ସହରକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି ସତ କିନ୍ତୁ ଅଧିକାଂଶ ବସ୍ତି ବାସିନ୍ଦା ବାହାକୁ ଶୌଚ ଯାଉଛନ୍ତି। ଏଥି ମଧ୍ୟରୁ କୋଏଲନଗର ଜେନାବସ୍ତି ଅନ୍ୟତମ। ବିଜୁଳି ସଂଯୋଗ ହୋଇ ନଥିବାରୁ ସଂଧ୍ୟା ହେଲେ ବସ୍ତିବାସିନ୍ଦା ଡିବିରି ଆଲୁଅରେ ଜୀବନ ଅତିବାହିତ କରୁଛନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ିବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

Advertisment

ସମସ୍ୟାଗୁଡ଼ିକ ସମାଧାନ ପାଇଁ ବସ୍ତିବାସିନ୍ଦା ଥରେ ନୁହେଁ ବାରମ୍ବାର ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜି ପର୍ଯ୍ୟନ୍ତ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହେଲାନି। ବିଜୁଳି ସଂଯୋଗ ହେଲାନି। ପ୍ରତିବାଦରେ ବିଜେପିର ବରିଷ୍ଠ ନେତା ନିହାର ରାୟଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଡେପୁଟି କମିସନର ସୁଧାଂଶୁ ଭୋଇଙ୍କୁ ସାକ୍ଷାତ କରି ହକି ପୂର୍ବରୁ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି। ଶ୍ରୀ ରାୟ କହିଛନ୍ତି ବସ୍ତିବାସିନ୍ଦା ବର୍ଷ ବର୍ଷ ଧରି ନାନା ସମସ୍ୟାରେ ସମ୍ମୁଖୀନ ହେଉଥି‌ଲେ, ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ମାସ ମାସ ଧରି ସମୟ ଗଡାଇ ଚାଲିଛନ୍ତି। ବସ୍ତିର ବିକାଶ ପାଇଁ ଜାଗା ମିଶନ, ମୁକ୍ତା ଯୋଜନା ଆଦି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପାଣ୍ଠି ଆସିଛି। ବସ୍ତିର ବିକାଶ ପାଇଁ ଟଙ୍କାଟିଏ ଖର୍ଚ୍ଚ ନ ହେବା ଦୁଃଖର ବିଷୟ। ଆର୍‌ଏମ୍‌ସି ଏଥିପ୍ରତି ଦୃଷ୍ଟି ଦେବାକୁ ‌ଶ୍ରୀ ରାୟ ଡେପୁଟି କମିସନଙ୍କୁ ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭଗବାନ ରାଉତଙ୍କ ସହ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ।