ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ୍‌ର ବଫଲାମାଲି ପାହାଡ଼ରେ ବହୁ ରାଷ୍ଟ୍ରୀୟ କଂପାନି ଖଣି ଖନନ କରୁଛି। ଦୀର୍ଘ ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ବୁଝିବାରେ ଉତ୍କଳ ଆଲୁମିନା କଂପାନି ଅବହେଳା କରି ଆସିଛି ବୋଲି କଂପାନି ବିରୋଧରେ ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ଗର୍ଜିଥିଲେ। ଥୁଆମୂଳ ରାମପୁର ବ୍ଲକ୍‌ର ବଫଲାମାଲି ପାହାଡ଼ ଅଞ୍ଚଳରେ ଥିବା ଅଡ୍ରି, ଗୋପିନାଥପୁର ଓ ମାଲିଗାଁ ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ବ ଗାଁ ଲୋକଙ୍କୁ ବିସ୍ଥାପିତ କରିବା ସହିତ ଖଣି ଖନନ ଆରମ୍ଭ ହୋଇଥିଲା। ଗ୍ରାମସଭାରେ ଦିଆଯାଇଥିବା ପ୍ରତିଶ୍ରୁତି କଂପାନି ଏପର୍ଯ୍ୟନ୍ତ ପୂରଣ କରିନାହିଁ।

Advertisment

ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଗତ ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଭବାନୀପାଟଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପୂର୍ବତନ ଥୁଆମୂଳ ରାମପୁର ବ୍ଲକ୍‌ ଅଧ୍ୟକ୍ଷା ଦ୍ରୈାପଦୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ପରମାନନ୍ଦ ମାଝୀ, ରବିନ୍ଦ୍ର ପଟ୍ଟଯୋଷୀ, ତୁଳେଶ୍ବର ନାଏକ, ମୁରଲିଧର ନାଏକ, ଅଶୋକ ସିଂ, ନବରଙ୍ଗପୁରର ହୀରାବତୀ ଗଣ୍ଡ, ଜଳନ୍ଧର ନାଏକ, ମନୋରଞ୍ଜନ ନାଏକ, ଦେବେନ୍ଦ୍ର ନାଏକ, ସରୋଜ ବାଗ, ଚାଚେର ମାଝୀ, ଭାରତ ନାୟକ, ଭାରତୀ ନାଏକ ସମେତ ବହୁ କଂଗ୍ରେସ ନେତା ଗର୍ଜିଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

୧୨ବର୍ଷ ପରେ ମଧ୍ୟ କମ୍ପାନି ବିସ୍ଥାପିତଙ୍କ ସମସ୍ୟା ବୁଝିବାରେ ବିଫଳ: ଭକ୍ତ

ଶିକ୍ଷା ପ୍ରଭାବିତ ଅଞ୍ଚଳରେ ଛାତ୍ରାବାସ ସହିତ ଯୁକ୍ତ ୨ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୋଟିଏ ବୈଷୟିକ ଶିକ୍ଷାନୁଷ୍ଠାନ ଓ ଗୋଟିଏ ଯୁକ୍ତ ୩ ମହାବିଦ୍ୟାଳୟ ସ୍ଥାପନ, ଅଡ୍ରିଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ, ଲ୍ୟାବ, ଏକ୍ସ-ରେ ​େମସିନ ସ୍ଥାପନ ସହିତ ୨ଟି ଡାକ୍ତର ଓ ଟେକ୍‌ନିସିଆନ ନିଯୁକ୍ତ, ପ୍ରଭାବିତ ଅଞ୍ଚଳର ସମସ୍ତ ଗାଁକୁ ପକ୍କା ସଡ଼କ ନିର୍ମାଣ, ସମସ୍ତ ପରିବାରକୁ ସ୍ବଚ୍ଛ ପାନୀୟ ଜଳଯୋଗାଣ, ମୋବାଇଲ ନେଟୱାର୍କ ସ୍ଥାପନ, ଯୋଗ୍ୟତା ଭିତ୍ତିରେ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ବିକାଶ ନିମନ୍ତେ ସହାୟତା ପ୍ରଦାନ, ଓଡିଶାର ସମସ୍ତ ଖଣି ପ୍ରଭାବିତ ଅଞ୍ଚଳର ପରିବାରକୁ ସ୍ବତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଅଧିନିୟମ ପାଳିତ ନିମନ୍ତେ ଦାବି ସହିତ ୯ ଦଫା ଦାବି ପ୍ରଦାନ କରାଯାଇଥିଲା।