ବଲାଙ୍ଗୀର : ଜବରଦଖଲ ଉଚ୍ଛେଦ ଟେନ୍ସନରେ ଏବେ ପ୍ରଶାସନ। ଉନ୍ନୟନମୂଳକ ପ୍ରକଳ୍ପ କାମ ପାଇଁ ଇନ୍ଦିରାନଗର ପଡ଼ାକୁ ଉଚ୍ଛେଦ ପାଇଁ ଯାଇଥିବା ପ୍ରଶାସନିକ ଟିମ୍କୁ ଲୋକେ ତୀବ୍ର ବିରୋଧ କରିଥିଲେ। ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କୁ ଲୋକେ ପ୍ରାୟ ଘଣ୍ଟାଏ କାଳ ଘେରାଉ କରି ରଖିଥିଲେ। ଅଧିକାରୀମାନେ ଯେତେ ଲୋକଙ୍କୁ ବୁଝାଇଲେ ବି ସେମାନଙ୍କ ଏକା ଜିଦ୍ ଆମକୁ ଏଠି ସ୍ଥାୟୀ ଜମି ପଟ୍ଟା ଦିଅ। ବର୍ଷ ବର୍ଷ ହେଲା ରହିଆସୁଛୁ ବୋଲି କହିଥିଲେ। ପୌର ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ମଧ୍ୟ ଲୋକଙ୍କ ସପକ୍ଷରେ ପ୍ରଶାସନିକ ଟିମ୍ ଫେରିଯିବାକୁ ଅନୁରୋଧ କରିଥିଲେ। ଶେଷରେ ଲୋକଙ୍କ ବିରୋଧ ଯୋଗୁଁ ପ୍ରଶାସନିକ ଅଧିକାରୀମାନେ ଉଚ୍ଛେଦ ଚିହ୍ନ ନଦେଇ ଫେରିଆସିଥିଲେ।
ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେଲା ଇନ୍ଦିରାନଗର ଓ ଇଚ୍ଛାପଡ଼ାରେ ଉଚ୍ଛେଦକୁ ନେଇ ଉତ୍ତେଜନାମୂଳକ ସ୍ଥିତି ବାରବାର ଉପୁଜୁଛି। ପଡ଼ାର ଲୋକମାନେ ଉଚ୍ଛେଦକୁ ବିରୋଧ କରୁଛନ୍ତି। ଏପଟେ ଜିଲ୍ଲା ପ୍ରଶାସନ ମହାରାଣୀ ସାଗର ପ୍ରକଳ୍ପ ଓ ଅନ୍ୟ ପ୍ରକଳ୍ପ ପାଇଁ ଉଚ୍ଛେଦ କରିବାକୁ ବାର ବାର ଉଦ୍ୟମ ଚଳାଇଛି। ଏଣୁ ପଡ଼ାର ଲୋକେ କିଛିଦିନ ତଳେ ସମ୍ମିଳିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଥିଲେ। କିଛିଦିନର ନିରବତା ପରେ ପୁଣି ପ୍ରଶାସନ ଘର ଚିହ୍ନଟ କରିବାକୁ ଯାଇଥିଲା। ଏବେ ପ୍ରଶାସନ ପ୍ରଥମେ ଇନ୍ଦିରାନଗରରେ ରହୁଥିବା ସରକାରୀ ଚାକିରିଆଙ୍କ ଘରକୁ ଚିହ୍ନଟ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।