ମୁରିବାହାଲ : ବଲାଙ୍ଗୀର ମୁରିବାହାଲ ବ୍ଲକ୍‌ ସଦର ମହକୁମା ଅନ୍ତର୍ଗତ ବ୍ଲକ୍‌ପଡ଼ା ଓ ମାହାରପଡ଼ାରେ ଜୁଲାଇ ମାସରେ ମଧ୍ୟ ଜଳକଷ୍ଟ ଦେଖିବାକୁ ମିଳିଛି। ଏଥିପାଇଁ ଉଭୟ ପଡ଼ାର ମହିଳାମାନେ ଶନିବାର ଅଭିନବ ପ୍ରତିବାଦ କରିଥିଲେ। ସେମାନେ ଗରା, ବାଲ୍‌ଟି ଧରି ବି‌ଡିଓଙ୍କ ଦ୍ବାରସ୍ଥ ହୋଇଥିଲେ। ଏମାନେ ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣାଙ୍କ ନେତୃତ୍ବରେ ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ଭେଟି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Advertisment

ଉଭୟ ପଡ଼ାକୁ ୨ମାସ ହେଲା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଜଳଯୋଗାଣ ହେଉଥିଲା। କିନ୍ତୁ ଗତ ୨୧ତାରିଖରୁ ଜଳଯୋଗାଣ ବନ୍ଦ କରିଦିଆଯାଇଛି। ଫଳରେ ଉଭୟ ପଡ଼ା ସହିତ ଆଖପାଖ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ନଳକୂଅଗୁଡ଼ିକରୁ ପାଣି ବାହାରୁ ନଥିଲା ବେଳେ କୂଅ ମଧ୍ୟ ଶୁଖିଯାଇଛି। ଜୁନ ମାସରେ ସ୍ୱଳ୍ପ ବର୍ଷା ଯୋଗୁଁ ପୋଖରୀ ଆଦି ଜଳାଶୟରେ ପାଣି ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଭୟ ପଡ଼ା ସହିତ ଆଖପାଖ ଅଞ୍ଚଳକୁ ଶୀଘ୍ର ଜଳଯୋଗାଣ କରିବାକୁ ମହିଳାମାନେ ବିଡିଓଙ୍କୁ ଦାବି କରିଛନ୍ତି।

ଦାବିପତ୍ର ଗ୍ରହଣ କରି ବିଡିଓ ଶ୍ରୀ ପଟେଲ କହିଥିଲେ ‌ଯେ, ଜଳଯୋଗାଣ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇନାହିଁ। ଖରାମାସରେ କିଛିଦିନ ପାଣି ଯୋଗାଇ ଦିଆଯାଇଥିଲା। ପରେ ବନ୍ଦ କରିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଦୁଇଦିନ ମଧ୍ୟରେ ପୁଣି ଜଳଯୋଗାଣ ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଉଭୟ ପଡ଼ାର ଗୋପୀନାଥ ସେଠ, ଶୁକ୍ରୁ ପଶାୟତ, କୁମ ତମଲିଆ, ରଞ୍ଜିତା ସେଠ, ବାସନ୍ତୀ ଥାଟି, ତପସ୍ୱିନୀ ବାଗ, କସ୍ତୁରୀ ନାଗ, ଦେବକୀ ତରିଆ, ଲକ୍ଷ୍ମୀ ବନଛୋର, ମାଧୁରୀ କରୁଆଁ, ପ୍ରଭାସିନୀ ସେଠ, ଲୁଭା ତମଳିଆ, ସରିତା କରୁଆଁ, ରିତା ସିନ୍ଦ୍ରିଆଙ୍କ ସହ ବହୁ ମହିଳା ଉପସ୍ଥିତଥିଲେ।