ମହାନଦୀ କୂଳରେ ରହି ପାଣି ପାଇଁ ହଟହଟା ସମ୍ବଲପୁରବାସୀ

ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତା ରୋକିଲେ ଲୋକେ

ସମ୍ବଲପୁର: ମହାନଦୀ କୂଳରେ ରହିଛି ସମ୍ବଲପୁର ସହର। ଯେଉଁ ନଦୀରୁ ସାରା ରାଜ୍ୟର ଶିଳ୍ପ ସଂସ୍ଥାଠାରୁ ଆରମ୍ଭ କରି କଟକ ଭୁବନେଶ୍ବର ଭଳି ଅନେକ ବଡ଼ ବଡ଼ ସହର ପାଣି ପାଉଛି। କିନ୍ତୁ ଏହି ମହାନଦୀ କୂଳରେ ଥାଇ ସମମ୍ବଲପୁର ସହରବାସୀ ପାଣି ନପାଇ ହନ୍ତସନ୍ତ ହେଉଛନ୍ତି। ଏହି ଘଟଣା ଆଜିର ନୁହେଁ। ଦୀର୍ଘ ବର୍ଷରୁ ଏହି ସମସ୍ୟା ଲାଗି ରହିଛି। ସବୁ ବର୍ଷ ଲୋକେ ଅଭିଯୋଗ କରନ୍ତି, ବିରୋଧ ହୁଏ, ଶେଷରେ ପ୍ରଶାସନର ମିଛ ପ୍ରତିଶ୍ରୁତିରେ ସବୁ କିଛି ଶେଷ ହୁଏ। କାରଣ ଅଧିକାରୀମାନେ ମିଛ ପ୍ରତିଶ୍ରୁତି ଦେଉଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିଲା ନାହିଁ।

ଲୋକେ ପ୍ରତିବର୍ଷ ପାନୀୟ ଜଳ ସମସ୍ୟା ଭୋଗି ଆସୁଛନ୍ତି। ଖରାଦିନ ଆସିଲେ ଏହି ସମସ୍ୟା ଅଧିକ ଜଟିଳ ହୋଇଯାଏ। ଚଳିତବର୍ଷ ମଧ୍ୟ ଏହି ସମସ୍ୟା ଜଟିଳ ହେବା ଆରମ୍ଭ କରିସାରିଲାଣି। ସମ୍ବଲପୁର ବାଲିବନ୍ଧା, ରାମଜୀମନ୍ଦିରପଡ଼ା, କମଲିବଜାର ଗତ ମାସେ ହେଲା ପାନୀୟ ଜଳ ଯୋଗାଣ ହେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ପଡ଼ାକୁ ଭୋର୍‌ ୫ଟା ସମୟରେ ଥରେ ପାଣି ଦିଆଯାଉଥିଲା। କିନ୍ତୁ ମାସେ ହେଲା ଏହା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯାଇଥିଲା। ଯେଉଁ କାରଣରୁ ୧୦୦୦ ପରିବାର ପାଣି ନ ପାଇ ଅସୁବିଧା ଭୋଗୁଛନ୍ତି। ଏଭଳି ଅଭିଯୋଗ କରି ରବିବାର ଭୋର୍‌ ୫ଟା ୩୦ରୁ ରିଙ୍ଗ୍‌ ରୋଡ୍‌ ଓ ରାମଜୀମନ୍ଦିରପଡ଼ା ରାସ୍ତାକୁ ଅଞ୍ଚଳବାସୀ ଅବରୋଧ କରିଥିଲେ। ପଡ଼ାର ଶତାଧିକ ଲୋକେ ବିଶେଷ କରି ମହିଳାମାନେ ରାସ୍ତା ଉପରେ ବାଲଟି ଗରା ରଖି ବସି ରହିଥିଲେ। କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ଗାଡ଼ି ମୋଟରକୁ ଛଡ଼ାଯାଇଥିଲା।

ଲୋକଙ୍କ ଅଭିଯୋଗ, ବିଭିନ୍ନ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହେଲେଣି। ନା କୌଣସି ଅଧିକାରୀ ସେମାନଙ୍କ କଥା ଶୁଣୁଛନ୍ତି ନା କେହି ପାନୀୟ ଜଳ ସମସ୍ୟାର ସମାଧାନ ହେଉଛି। ପ୍ରତିବର୍ଷ ସମସ୍ୟା ହେଉଛି, କିନ୍ତୁ ଆଜି ଯାଏ ସମାଦାନ ବାଟ ଫିଟାଇବାରେ ଅଧିକାରୀମାନେ ବିଫଳ ହୋଇଛନ୍ତି। ଲୋକଙ୍କ ଅର୍ଥରେ ଦରମା ପାଉଥିବା ଅଧିକାରୀମାନେ ଲୋକଙ୍କ କାମ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଗ୍ରୀଷ୍ମପ୍ରବାହ କାରଣରୁ ଲୋକେ ଘରୁ ବାହାରିବାକୁ ଭୟ କଲେଣି। ଏଭଳି ସ୍ଥିତତିରେ ମହାନଦୀ କୂଳରେ ଥିବା ବାସିନ୍ଦାଙ୍କୁ ଯଦି ପିଇବା ପାଇଁ ପାଣି ଟିକିଏ ମିଳୁନାହିଁ ତା ହେଲେ ଅନ୍ୟ ଅଞ୍ଚଳର କଥା କିଏ ପଚାରେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଉତ୍ୟକ୍ତ ଲୋକେ ପ୍ରଥମେ କୁଂଜେଲପଡା ଠାରୁ ସମଲେଶ୍ବରୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଥିଲେ। ପରେ ରିଙ୍ଗରୋଡ୍‌ ରାସ୍ତାକୁ ମଧ୍ୟ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛିଦିନ ପାଇଁ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଥିଲା କିନ୍ତୁ ଏବେ ତାହା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ବାଧ୍ୟ ହୋଇ ଅଞ୍ଚଳବାସୀ ରାସ୍ତା ରୋକ କରିଥିବା କହିଛନ୍ତି।

ପୁଲିସ ପହଞ୍ଚିବା ପରେ ବି ଅଟକି ନଥିଲା ରାସ୍ତା ରୋକ

ରାସ୍ତା ରୋକ କରାଯାଇଥିବା ସୂଚନା ପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରାସ୍ତା ରୋକର ପାଖାପାଖି ୪ ଘଣ୍ଟା ପରେ ଟାଉନ୍‌ ଥାନାଧିକାରୀ ନିଜେ ପହଞ୍ଚି ରୋସ୍ତାରୋକ ହଟାଇବାକୁ ଲୋକଙ୍କୁ ବୁଝାଇଥିଲେ। ବିନା ଅନୁମତିରେ ରାସ୍ତା ରୋକ ଗ୍ରହଣୀୟ ବୋଲି କହିଥିଲେ ମଧ୍ୟ ପାନୀୟ ଜଳ ନ ପାଇ ହଟହଟା ଅଞ୍ଚଳବାସୀ କିନ୍ତୁ ନିଜ ଜିଦ୍‌ରେ ଅଡି ବସିଥିଲେ। ଶେଷରେ ସଦର ଏସ୍‌ଡିପିଓ ପ୍ରଦୀପ ସାହୁ ମଧ୍ୟ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଫଳ କିନ୍ତୁ ସମାନ ରହିଥିଲା। ‘ପିଏଚ୍‌ଡି ଏସ୍‌ଡିଓ ଆସନ୍ତୁ, ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ’, ତାପରେ ଯାଇ ରାସ୍ତାରୋକ ହଟିବ ବୋଲି ଲୋକେ ସିଧା ସିଦା ଶୁଣାଇ ଦେଇଥିଲେ।

୨ ଦିନ ଭିତରେ ସ୍ଥାୟୀ ସମାଧାନ କରିବୁ

ଲୋକଙ୍କ ବଳ ଜାଣି ନାହାନ୍ତି ପିଏଚ୍‌ଡି ବାଲା। ଭାବିଛନ୍ତି କିଛି ସମୟ ରାସ୍ତାରେ ବସି ହଟିଯିବେ। କିନ୍ତୁ ଆମେ ଏସିରେ ରହୁଥିବା ଲୋକ ନୁହଁ, ପାଣି ପାଇଁ ହଟହଟା ହେଲୁଣି, ଏଇ ଖର କିଛି କରିପାରିବ ନାହିଁ। ପିଏଚ୍‌ଡି ଏସଡିଓ ଆସି ପ୍ରତିଶ୍ରୁତିି ଦେବା ପରେ ଯାଇ ହଟିବୁ ବୋଲି ସିଧା ସିଧା ଅଞ୍ଚଳବାସୀ ଶୁଣାଇ ଦେଇଥିଲେ। ଗୋଟିଏ ପଟେ ପାଣି ନପାଇ ହଟହଟା ହେଉଥିବା ଲୋକେ ରାସ୍ତା ରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ପାଣି ଯୋଗାଉଥିବା ପିଏଚ୍‌ଡି ବିଭାଗ ରବିବାର ଛୁଟି ପାଳୁଥିଲା। ଲୋକେ ଟାଣ ଖରାରେ ୪ ଘଣ୍ଟାରୁ ଅଧିକ ସମୟ ହଟହଟା ହେବା ପରେ ପିଏଚ୍‌ଡି ବିଭାଗର ଅଧିକାରୀ ପହଞ୍ଚିଥିଲେ, ତାହା ପୁଣି ପୁଲିସର ବାରମ୍ବାର ଯୋଗାଯୋଗ ପରେ। ଏସ୍‌ଡିଓ ପହଞ୍ଚିବା ପରେ ଲୋକଙ୍କ ସହ କିଚି ସମୟ ଧରି ପାଟିତୁଣ୍ଡ ଓ ଆଲୋଚନା ହୋଇଥିଲା।  ତେବେ ୨ ଦିନ ଭିତରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବୁ ବୋଲି ଏସ୍‌ଡିଓ ଗୁଲସନ୍‌ କୁମାର ସାହୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ପରେ ରାସ୍ତା ରୋକ ହଟିଥିଲା।

ପୁରୁଣା ପାଇପ୍‌ ସାଙ୍ଗକୁ ପାଵାର୍‌ କଟ୍‌ ସୃଷ୍ଟି କରୁଛି ସମସ୍ୟା

ଉକ୍ତ ପଡ଼ାଗୁଡ଼ିକର ଅଧାରୁ ଅଧିକ ଅଞ୍ଚଳରେ ବହୁ ବର୍ଷରୁ ପୁରୁଣା ପାଇପ୍‌ ପଡ଼ି ରହିଛି। ସେତେବେଳେ ଲୋକସଂଖ୍ୟା ବହୁତ କମ ଥିବାରୁ ଉକ୍ତ ପତଳା ପାଇପ୍‌ ମାଧ୍ୟମର ଲୋକଙ୍କୁ ଠିକ୍‌ରେ ପାଣି ମିଳିଯାଉଥିଲା। କିନ୍ତୁ ବର୍ତ୍ତମାନ ଲୋକସଂଖ୍ୟା ବହୁଗୁଣିତ ହୋଇସାରିଥିବା ବେଳେ ସମାନ ପାଇପ୍‌ରେ ଆସୁଥିବା ପାଣି ଲୋକଙ୍କୁ ନିଅଣ୍ଟ ହେଉଛି। ତେଣୁ ଉକ୍ତ ପୁରୁଣା ପାଇପ୍‌ଗୁଡ଼ିକୁ ତୁରନ୍ତ ବଦଳାଇବାକୁ ଅଞ୍ଚଳବାସୀ ବାଦି କରିଛନ୍ତି। ଅନ୍ୟପଟେ ପାଣି ଆସିବା ସମୟରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ପାଵାର୍‌ କଟ୍‌ କରାଯାଉଥିବା ଲୋକେ ଅଭିଯୋଗ ହେଉଛି। ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର