ବ୍ରହ୍ମପୁରରେ ବସ୍ତିବାସିନ୍ଦାଙ୍କୁ ମିଳିବ ସ୍ଥାୟୀ ପ୍ରମାଣପତ୍ର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ବସ୍ତିରେ ବର୍ଷ ବର୍ଷ ଧରି ବସବାସ କରୁଥିବା ବାସିନ୍ଦାଙ୍କୁ ସେମାନେ ବାସ କରୁଥିବା ଜାଗା ଉପରେ ସ୍ଥାୟୀ ପ୍ରମାଣପତ୍ର ପ୍ରଦାନ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରୋନ୍‌ ସର୍ଭେ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ଏହି କ୍ରମରେ ସହରାଞ୍ଚଳରେ ଜାଗା ମିସନ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ମାଧ୍ୟମରେ ସେମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌରାଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ସରକାର ପଟ୍ଟା ପ୍ରଦାନ କରିବା ନିମେନ୍ତ ସର୍ଭେ ଆରମ୍ଭ କରିଥିବା ବେଳେ ସମ୍ପ୍ରତି ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ ପାଇଁ ଡ୍ରୋନ୍‌ ଦ୍ବାରା ସର୍ଭେ କାର୍ଯ୍ୟକ୍ରମ ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡ଼ର ୧୬୩ଟି ବସ୍ତିକୁ ଜାଗା ମିସନ୍‌ରେ ସାମିଲ କରାଯାଇଛି। ଏହା ଦ୍ବାରା ୧୭ହଜାର ୪୫୭ଟି ପରିବାର ଉପକୃତ ହେବେ। ଯେଉଁମାନେ ସରକାରୀ ଜାଗାରେ ଘର କରି ରହିଥିଲେ, ସେହି ଜାଗା ଉପରେ ପଟ୍ଟା ପ୍ରଦାନ କରାଯିବ। ଏହା ପୂର୍ବରୁ ସର୍ଭେ କରାଯାଇ ତାଲିକା ରାଜସ୍ବ ବିଭାଗ ପାଖକୁ ପଠାଯିବ।

ପ୍ରାଥମିକ ପର୍ଯ୍ୟାୟରେ ଡ୍ରୋନ୍‌ ସର୍ଭେ ଦ୍ବାରା ଏହାର ରୂପରେଖ ପ୍ରସ୍ତୁତ କରାଯିବ। ‘ଜାଗା ମିସନ୍’ରେ ପଟ୍ଟା ପ୍ରଦାନ କରାଯିବାକୁ ଥିବା ବେଳେ ଆଜି ଏହାର ଡ୍ରୋନ୍ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ଆଜି ବ୍ରହ୍ମପୁର ୧୦ ନମ୍ବର ୱାର୍ଡ଼ ଆଇନାବନ୍ଧ ସାହିରେ ସ୍ବତନ୍ତ୍ର ଆଭାସି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର୍‌ ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିସନର୍‌ ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ କୁଲକର୍ଣ୍ଣୀ ଆଶୁତୋଷ ସିଂ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରେସିଡେନ୍ସିଆଲ ୱେଲଫେୟାର୍ ଆସୋସିଏସନ୍(ଆର୍ଡବ୍ଲୁଏ)ର ପଦାଧିକାରୀ ଏବଂ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଦ୍‌ଘାଟନ କରିବା ପରେ ଡ୍ରୋନ୍ ସର୍ଭେ କରା ଯାଇଥିଲା। ଅତିରିକ୍ତ କମିସନର ନୀଳମାଧବ ଭୋଇ, ଡେପୁଟି କମିସନର୍‌ ବିନୋଦ କୁମାର ବେହେରା ଏବଂ ଆଶୀର୍ବାଦ ପରିଡ଼ାଙ୍କ ସମେତ ମହାନଗର ନିଗମର ବହୁ ଅଧିକାରୀ, କର୍ପୋରେଟର୍‌ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜଣେ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାରେ ସାମିଲ ହୋଇଥିବା ନେଇ ନିଜର ଅନୁଭୂତି ବଖାଣିଥିଲେ। ଆଭାସି କାର୍ଯ୍ୟକ୍ରମ ବେଳେ ଲିଙ୍କ୍‌ ସମସ୍ୟା ଯୋଗୁଁ ବିଏମ୍‌ସି କମିସନର୍‌ ଓ ହିତାଧିକାରୀଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣିପାରି ନଥିଲେ।

ସମ୍ବନ୍ଧିତ ଖବର