ବସ୍ତିବାସିନ୍ଦାଙ୍କୁ ମିଳିବ ସର୍ବନିମ୍ନ ୩୦ବର୍ଗମିଟର ଜମି, ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ସଂଶୋଧିତ

ଭୁବନେଶ୍ବର,୨୨/୩(ଇମିସ): ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କ୍ୟାବିନେଟ୍‌ରେ ପୁଣି ତିନିଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧିନିୟମ, ୧୯୬୮ରେ ସଂଶୋଧନ ଅଣାଯାଇଛି। ସେହିଭଳି ବସ୍ତିବାସିନ୍ଦାଙ୍କୁ ଥଇଥାନ କ୍ଷେତ୍ରରେ ମଧ୍ୟ ସରକାର ମୋହର ଲଗାଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସମୟ ଭିତ୍ତିକ ଚୁକ୍ତି ହିସାବରେ ପ୍ରଦାନ କରିଥିବା ଜମିରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ୧୦ଟି ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ୭ଟି ଗୃହ ନିର୍ମାଣ ପ୍ରକଳ୍ପ କରିଛନ୍ତି। ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପରେ ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁ ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ବ ବିଭାଗ ଅତିରିକ୍ତ ସୁଧ ନିର୍ଧାରଣ କରିଛନ୍ତି। ଏହି ପ୍ରକଳ୍ପ ଦଶନ୍ଧି ପୂର୍ବରୁ ସମ୍ପାଦିତ ହୋଇ ବାସଗୃହ ଗୁଡ଼ିକର ବିକ୍ରି ଓ ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇସାରିଛି। ଏହି ଅତିରିକ୍ତ ସୁଧ ବର୍ତମାନ ପରିପ୍ରେକ୍ଷୀରେ ପରିଶୋଧ କରିବା ସମ୍ଭବ ନୁହେଁ। ବାସଗୃହ ଗୁଡିକର ଗ୍ରହୀତାମାନେ ଅର୍ଥ ପ୍ରଦାନ ସତ୍ତ୍ବେ ଚୁକ୍ତି ରାଜିନାମା ସଂପାଦିତ ହୋଇନଥିବାରୁ ଏଥିନିମନ୍ତେ ଅସନ୍ତୋଷ ବଢ଼ୁଥିଲା।

ଏହାକୁ ଦୃଷ୍ଟିରେ ରଖି ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁଁ ନିର୍ଧାରିତ ହୋଇଥିବା ସୁଧରାଶି ୨୯୧୫.୪୭ଲକ୍ଷ ଟଙ୍କା ଛାଡ଼ କରାଯାଇଛି। ତେବେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଓ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଗୃହ ହସ୍ତାନ୍ତରୀକରଣ ବା ଆବଣ୍ଟନ ସମୟରେ ବକେୟା ରହିଥିବା ଭୂମି ପ୍ରିମିୟମ ପରିଶୋଧ କରିବେ। ଏହି କାରଣରୁ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏବଂ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଦ୍ବାରା ହୋଇଥିବା ୧୭ଟି ପ୍ରକଳ୍ପର ୨୮୦୩ ଜଣ ଗ୍ରହୀତା ଉପକୃତ ହେବେ ଓ ଦୀର୍ଘ ଦିନ ଧରି ସଂପାଦନ ହୋଇପାରୁନଥିବା ଚୁକ୍ତି ରାଜିନାମା ସମସ୍ୟା ସମାଧାନ ହେବ ବୋଲି ସରକାର କହିଛନ୍ତି।

ସେହିଭଳି ଓଡ଼ିଶା ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି ମୁତାବକ ଅର୍ଥନୈତିକ ଅନଗ୍ରସର ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ଗୃହର କାର୍ପେଟ୍ କ୍ଷେତ୍ରର ଆୟତ୍ତନ ଅନ୍ତତଃ ୨୧ବର୍ଗମିଟର ରହିବା ଆବଶ୍ୟକ। ଏଣୁ ଯଦି କୌଣସି ବସ୍ତିବାସିନ୍ଦା ୩୦ ବର୍ଗମିଟରରୁ କମ୍ ଜମି ଦିଆଯାଏ, ତେବେ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ଅନ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେବେ। ଏଣୁ ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି ଯେ ଅନ୍ୟୂନ ୩୦ ବର୍ଗମିଟର ଜମି ଉପରେ ବସ୍ତିବାସିନ୍ଦାଙ୍କୁ ଅଧିକାର ପ୍ରଦାନ କରାଯାଇପାରିବ। ଅର୍ଥାତ୍ ଯଦି ଦଖଲ ଜମି ୩୦ ବର୍ଗମିଟରରୁ କମ୍ ହୁଏ, ତେବେ ଦଖଲ ଜମି ସଂଲଗ୍ନ ଅଞ୍ଚଳକୁ ମିଶାଇ ୩୦ ବର୍ଗ ମିଟର ଜମି ଦିଆଯିବ।

ଅନ୍ୟପକ୍ଷରେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ସଂଶୋଧନ ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ସଂପ୍ରତି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ଚାହିଦା ବୃଦ୍ଧିପାଇଛି। ଏଣୁ ସଂସ୍ଥାର ପୁର୍ନବିନ୍ୟାସ ଓ ସଶକ୍ତିକରଣ ଅପରିହାର୍ଯ୍ୟ ବୋଲି ଦର୍ଶାଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର