ଇସ୍ତଫା ଦିଅନ୍ତୁ ରେଳମନ୍ତ୍ରୀ: କଂଗ୍ରେସ

ମୃତକ ତଥା ଅକ୍ଷମଙ୍କ ପରିବାରଙ୍କୁ ଚାକିରି ଦିଆଯାଉ

ଭୁବନେଶ୍ବର : ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ରାଜ୍ୟ କଂଗ୍ରେସ। ଦଳ ଅଭିଯୋଗ କରିଛି ଯେ ଏହି ଘଟଣାର ସିବିଆଇ ତଦନ୍ତ ଅର୍ଥହୀନ, କେବଳ ଦୃଷ୍ଟି ଏଡ଼ାଇବା ପାଇଁ ପ୍ରୟାସ ଚାଲିଛି। ଏଥିସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା କିମ୍ବା ଅକ୍ଷମ ହୋଇଯାଇଥିବା ପରିବାରକୁ ଚାକିରି ପ୍ରଦାନ କରିବା ପାଇଁ ଦଳ ଦାବି କରିଛି।

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଲେ, ୨୦୧୭ ମସିହାରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ୩.୧୨ଲକ୍ଷ ପଦବି ପୂରଣ ନ କରି ଖାଲି ରଖିଛି। ‌ତହିଁରୁ ୧ଲକ୍ଷ ୪୦ ହଜାର ପଦବି କେବଳ ସୁରକ୍ଷା ଓ ନିରାପତ୍ତା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ। ଏବେ ସରକାର ଜାଣିଶୁଣି ପ୍ରକୃତ ମୃତକଙ୍କ ସଂଖ୍ୟାକୁ ଲୁଚାଉଛନ୍ତି। କେବଳ ସେତିକି ନୁହେଁ, ମୋଦୀ ସରକାର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ଦେବା ପାଇଁ ଶବ ଉପରେ ରାଜନୀତି କରୁଛନ୍ତି। ରେଳବାଇ ଓଡ଼ିଶାରୁ ମାଲ ପରିବହନ ଓ ଯାତ୍ରୀ ପରିବହନ କ୍ଷେତ୍ରରୁ ୨୦ ହଜାର କୋଟି ଟଙ୍କା ବାର୍ଷିକ ଆୟ କରୁଥିଲା ବେଳେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ୫ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁନାହାନ୍ତି। ଦୁଇ ଦିନ ପୂର୍ବରୁ ଖୋଦ ରେଳମନ୍ତ୍ରୀ କହିଲେ ତଦନ୍ତ ଶେଷ ହେଲା, ଦୋଷୀ ଚିହ୍ନଟ ହୋଇସାରିଛି। ତ୍ରୁଟିର କାରଣ ଇଣ୍ଟରଲକିଂର ବିଫଳତା। ମାତ୍ର ୮-୧୦ ଘଣ୍ଟା ନ ପୁରୁଣୁ ଏ କଥାକୁ ବଦଳାଇ ଦିଆଗଲା। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଲାଗି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଲେ, ଏହି ରେଳ ଦୁର୍ଘଟଣା ଏକ ମନୁଷ୍ୟକୃତ ବିପତ୍ତି। ରେଳ ମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଶହ ଶହ ଯାତ୍ରୀ ପ୍ରାଣ ହରାଇଲେ। ଜଣେ ସିଗ୍‌ନାଲ ମ୍ୟାନଙ୍କୁ ଦାୟୀ କରି ତାକୁ ଦଣ୍ଡ ଦେବା ଯଥେଷ୍ଟ ନୁହେଁ। ରେଳମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବେ କି ନାହିଁ ? ରେଳମନ୍ତ୍ରୀ ନିଜ ପଦବିରୁ ଇସ୍ତଫା ଦେବା କଥା। କିନ୍ତୁ ମୋଦୀ ସରକାରରେ ଏସବୁ ଦେଖିବାକୁ ମିଳୁନାହିଁ କାହିଁକି? ସେହିପରି ରାଜ୍ୟ ସରକାର ଚିକିତ୍ସା କ୍ଷେତ୍ରରେ ଅଧିକ ଦକ୍ଷତା ପ୍ରଦର୍ଶନ କରିପାରିନାହାନ୍ତି। ସୋରୋ ଓ ବାଲେଶ୍ୱରରେ ଡାକ୍ତରଙ୍କ ସମେତ ପାରା ମେଡିକାଲ ପଦବି ଖାଲି ପଡ଼ିଛି। ରାଜ୍ୟବ୍ୟାପୀ ଏହି ସ୍ଥିତି ରହିଛି। ଯଦି ସବୁ ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମଚାରୀ ଥାଆନ୍ତେ ତେବେ ଅଧିକ ଜୀବନ ରକ୍ଷା ହୋଇପାରିଥାନ୍ତା।

ଗଣମାଧ୍ୟମ ‌ସେଲ୍‌ର ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଥିଲେ, କେନ୍ଦ୍ର ସରକାର ସିଏଜିଙ୍କ ରିପୋର୍ଟକୁ ଉପେକ୍ଷା କରି ରେଳବାଇ ପ୍ରତି ଘୋର ଅନ୍ୟାୟ କରିଛନ୍ତି। ଏତେ ବଡ଼ ଅଭାବନୀୟ ଦୁର୍ଘଟଣାର ମୋଦୀ ସରକାରଙ୍କ ଦୃଷ୍ଟିଭଙ୍ଗୀ ସନ୍ଦେହଜନକ ‌ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର