ଉପାସ ରହିଲେ ଚନ୍ଦ୍ରଶେଖର, ଦରମା ଦାବିରେ କପିଳାସ ପୀଠର ସେବାୟତଙ୍କ ଇସ୍ତଫା

ବାହାରୁ ପୂଜକ ନେବାପରେ ବିଳମ୍ବରେ ହେଲା ନୀତି

ଢେଙ୍କାନାଳ : ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ କପିଳାସ ପୀଠର ସେବାୟତମାନଙ୍କ ଦରମା ଦାବି ଓ ଇସ୍ତଫା ଯୋଗୁଁ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ଗୁରୁବାର ଦିନ ଉପାସରେ ରହିବାକୁ ପଡ଼ିଛି । ଅଧିକ ଦରମା ଦାବିକରି ୩ ଜଣ ପୂଜାପଣ୍ତା ଏବଂ ୩ ଜଣ ସୁଆର ଇସ୍ତଫା ଦେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ସୂଚନା ଅନୁଯାୟୀ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ କପିଳାସ ପୀଠରେ ବିଭିନ୍ନ ବିଭାଗରେ କର୍ମଚାରୀଙ୍କୁ ମିଶାଇ ୫୦ରୁ ଅଧିକ ସେବାୟତ କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ଠାକୁରଙ୍କ ପୂଜା ଓ ରୋଷେଇ ପାଇଁ ପୂଜକ ଓ ସୂପକାର ଭାବେ ୯ ଜଣ ରହିଛନ୍ତି। ସୂପକାର ଓ ପୂଜକ ରହିଥିବା ସଂପୃକ୍ତ ସେବାୟତମାନେ ପୂର୍ବରୁ ୫୪୦୦ ଟଙ୍କା ଦରମା ନେଉଥିଲେ। ଅଧିକ ଦରମା ଦାବି କରିବାରୁ ଗତ ମାର୍ଚ୍ଚ ମାସରେ ସେମାନଙ୍କ ଦରମାରେ ୧ ହଜାର ଟଙ୍କା ବୃଦ୍ଧି କରାଯାଇଥିଲା। ଏବେ ପୁନର୍ବାର ୬ଜଣ ସୂପକାର ଏବଂ ୩ ଜଣ ପୂଜକ ଦରମା ୧୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବିକରି ଗତ ୯ ତାରିଖରେ ଦେବୋତ୍ତର ବିଭାଗକୁ ଲେଖିତ ଆକାରରେ ଦେଇଥିଲେ। ଏଥିପାଇଁ ଗତକାଲି ୧୪ ତାରିଖ ଅପରାହ୍ନରେ ଜିଲ୍ଲାପାଳ ସଂପୃକ୍ତ ସେବାୟତମାନଙ୍କୁ ଡାକି ଆଲୋଚନା କରିଥିଲେ। ୧୫ ହଜାର ଟଙ୍କା ଦରମା ବୃଦ୍ଧି କରା ନଗଲେ ଚାକିରିରେ ରହିପାରିବେ ନାହିଁ ବୋଲି ସେବାୟତମାନେ ରୋକ୍‌ଠୋକ୍‌ ଭାବେ କହିଥିଲେ। ଦାବି ପୂରଣ ନହେବାରୁ ସେମାନଙ୍କ ମଧ୍ୟରୁ ୩ ଜଣ ପୂଜକ ଓ ୨ ଜଣ ସୂପକାର ଗତକାଲି ଅପରାହ୍ନରେ ବିଭାଗୀୟ ଜିଲ୍ଲା କାର୍ଯ୍ୟାଳୟରେ ଲିଖିତ ଇସ୍ତଫା ପ୍ରଦାନ କରିଥିଲେ। ଆଜି ସକାଳୁ ଅନ୍ୟ ୩ ଜଣ ମଧ୍ୟ ଇସ୍ତଫା ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ଫଳରେ, ଆଜି ପ୍ରଭୁ ଚନ୍ଦ୍ରଶେଖରଙ୍କ ନୀତିକାନ୍ତିରେ ବ୍ୟାପକ ବ୍ୟତିକ୍ରମ ହୋଇଥିଲା। ସୂପକାର ତଥା ରୋଷେୟା ନଥିବାରୁ ଚନ୍ଦ୍ରଶେଖରଙ୍କୁ ଓପାସରେ ରହିବାକୁ ପଡ଼ିଥିଲା। ଦେବୋତ୍ତର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରୁ ସୂପକାର ଏବଂ ପୂଜକଙ୍କୁ ଯୋଗାଡ଼ କରି ଆଣିବା ପରେ ପ୍ରଭୁଙ୍କ ନୀତିକାନ୍ତି ବିଳମ୍ବରେ ଆରମ୍ଭ ହୋଇଥିଲା।

ଏ ସଂପର୍କରେ ଜିଲ୍ଲାପାଳ ସରୋଜ କୁମାର ସେଠୀ କୁହିଛନ୍ତି, ସେବାୟତମାନଙ୍କ ଦରମା ବୃଦ୍ଧି ପାଇଁ ଦାବି ହେବାପରେ ଗତ ୬ମାସ ତଳେ ଦରମା ବଢ଼ାଯାଇଥିଲା। ବର୍ଷେ ନପୂରୁଣୁ ପୁଣି ଦରମା ବଢାଇବା ଲାଗି କେତେଜଣ ସେବାୟତ ଅଡ଼ି ବସିଥିଲେ। ବର୍ଷେ ପୂରିବା ପରେ ପୁନର୍ବାର ଦରମା ବଢାଯିବ ବୋଲି କହିବା ସତ୍ତ୍ବେ ସେମାନେ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର