କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡିବାର ଅଳ୍ପ କିଛି ସମୟ ମଧ୍ୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗୀତାଞ୍ଜଳି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଏଯାଏ କେନ୍ଦ୍ରାପଡ଼ା ବିଧାନସଭା ସଂରକ୍ଷିତ ଆସନରୁ ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ସେ ହୁଏତ ସେଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପସଭାପତି ଅଶୋକ କୁମାର ପ୍ରତିହାରୀ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଥିଲେ। କଂଗ୍ରେସ ତାଙ୍କୁ ରାଜନଗର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ମାତ୍ର ୬ଦିନ ଅନ୍ତରରେ କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ଓ ଉପସଭାପତି ଦଳ ଛାଡିବା ଘଟଣା ବିଜେଡିକୁ ଅକଳରେ ପକାଇଛି। ଗୀତାଞ୍ଜଳି କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେଡି ଟିକେଟ ଆଶାୟୀ ଥିଲେ। ମାତ୍ର ଦଳ ଗଣେଶ୍ବରଙ୍କୁ ସାମିଲ କରିବା ପରେ ବିଜେଡିରେ ଥିବା ଅନ୍ୟ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। କେନ୍ଦ୍ରାପଡାର ପୂର୍ବତନ ବିଧାୟକ କିଶୋର ତରାଇ, ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଓ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ କୁମାର ଦାସ ଏକାଠି ହୋଇ ବିଜୁ ପରିବାର ସ୍ବାର୍ଥ ନାଁରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିରେ ଗଣେଶ୍ବରଙ୍କ ମିଶ୍ରଣକୁ ବିରୋଧ କରିଥିଲେ।
ଆମଦାନୀ ନେତା ପରିବର୍ତ୍ତେ ସେମାନଙ୍କ ଭିତରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ବିଜେଡି ଶୀର୍ଷ ନେତୃତ୍ବଙ୍କୁ ଏକାଧିକବାର ଭେଟି ଦାବି ଜଣାଇଥିଲେ। କିନ୍ତୁ ସମସ୍ତଙ୍କ ବିରୋଧ ସତ୍ତ୍ବେ ବିଜେଡି ଗଣେଶ୍ବରଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଫଳରେ ଗଣେଶ୍ବରଙ୍କୁ ବିରୋଧ କରି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବିଜେଡି ଛାଡି କଂଗ୍ରେସରେ ସାମିଲ ହେବା ସହିତ କେନ୍ଦ୍ରାପଡ଼ା ବିଧାନସଭାରୁ କଂଗ୍ରେସ ଟିକେଟ ହାତେଇଛନ୍ତି। ଆଜି ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ବିଜେପିରେ ସାମିଲ ହୋଇଥିବା ବେଳେ ଅନ୍ୟତମ ବିଜେଡି ଟିକେଟ ଆଶାୟୀ ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।