ଟିଟିଲାଗଡ଼ ରେଶମା ବେଗମ ହତ୍ୟାକାଣ୍ଡ: ଅଭିଯୁକ୍ତ ପ୍ରଦୀପ ଗହୀରଙ୍କୁ ଆଜୀବନ କାରାଦଣ୍ଡା

ଟିଟିଲାଗଡ଼: ୨୦୧୩ ମସିହାରେ ଘଟିଥିବା ଟିଟିଲାଗଡ଼ର ଚାଞ୍ଚଲ୍ୟକର ରେଶମା ବେଗମ ହତ୍ୟାକାଣ୍ଡର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜେଶ ନାୟାର ଅଭିଯୁକ୍ତ ପ୍ରଦୀପ ଗହୀରଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ, ୨୦୧୩ ମସିହା ଜାନୁଆରି ୯ ତାରିଖରେ ଟିଟିଲାଗଡ଼ ସହରରୁ ପ୍ରାୟ ୧୨ କିମି ଦୂର ଡୁମେରବାହାଲ ଜଙ୍ଗଲରେ ଜଣେ ମହିଳାଙ୍କୁ ମୃତଦେହ ଦେଖିବାକୁ ମିଳିଥିଲା। ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ମୃତକ ହାଟପଦା ପଡ଼ା ନିକଟସ୍ଥ ଗୋରୁବଜାର ପଡ଼ାର ରେଶମା ବେଗମ ଓରଫ ଫୁଲ୍‌କି ବୋଲି ତାଙ୍କ ସ୍ୱାମୀ ଚିହ୍ନଟ କରିଥିଲେ। ପୁଲିସ କେସ୍ ନଂ ୬/୧୩ରେ ଦଫା ୩୭୬, ୩୦୨, ୨୦୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ ବି ବହୁ ଦିନ ଧରି ଅଭିଯୁକ୍ତକୁ ଧରି ପାରିନଥିଲା। ଫଳରେ ସ୍ଥାନୀୟ ରାଜନୈତିକ ନେତା ଓ ନାଗରିକ ସମାଜ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଫେବ୍ରୁଆରି ୨ ତାରିଖରେ ପୁଲିସ ମୁଖ୍ୟ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କର୍ଲାସଢାର ପ୍ରଦୀପ ଗହୀରକୁ ଗିରଫ କରିଥିଲା। ପ୍ରଦୀପ ଟିଟିଲାଗଡ଼ ଥାନା ସିହିନି ଗାଁରେ ବିବାହ କରିଥିଲା। ତେଣୁ ରେଶମାଙ୍କ ସହ ତାଙ୍କ ପରିଚୟ ହୋଇଥିଲା ଓ ପରେ ଘନିଷ୍ଠତା ବଢ଼ିଥିଲା। ପ୍ରଦୀପ ଗିରଫ ହେବା ପରେ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲା। ଏହି ମାମଲା ଟିଟିଲାଗଡ଼ ଏଡିଜେ କୋର୍ଟରେ ଚାଲିଥିବା ବେଳେ ଅତିରିକ୍ତ ଜିଲ୍ଲା ଦୌରାଜଜ ଶ୍ରୀ ନାୟାର ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରାଧାକାନ୍ତ ପାଢୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର