ଭୁବନେଶ୍ବର : ରାଜ୍ୟ ସରକାର ଆଜି କ୍ୟାବିନେଟରେ କୃଷି ଓ କୃଷକଙ୍କ ମଙ୍ଗଳ ଲାଗି ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ଆଗକୁ ନେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଏକ ସଂକଳ୍ପ ପାରିତ କରିଛନ୍ତି। ଏହି ସଂକଳ୍ପରେ କୁହାଯାଇଛି, ଚାଷୀ ହେଉଛି ଆମ ଅର୍ଥନୀତିର ଆତ୍ମା ଓ ମୌଳିକ ଶକ୍ତି । ଚାଷୀର ଉନ୍ନତିରେ ହିଁ ଆମ ଦେଶ ଓ ସମାଜ ସମୃଦ୍ଧ ହୋଇଥାଏ । ତେଣୁ ଚାଷୀ ଓ ଚାଷ ପ୍ରତି ଅବହେଳା ଆତ୍ମଘାତୀ ସଦୃଶ ହୋଇଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗଠନ ହୋଇଥିବା ସରକାର ପ୍ରଥମରୁ ହିଁ କୃଷିକୁ ପ୍ରାଥମିକତା ଦେଇଆସିଛି ଓ ଚାଷୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଆସିଛି । ତା ସହିତ ଚାଷୀର ରୋଜଗାରକୁ ଦୁଇଗୁଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରୁଛି । ଆମର ନୂଆ କୃଷି ନୀତି-୨୦୨୦ ସମୃଦ୍ଧି ଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଦ୍ରୁତ କୃଷି ଅଭିବୃଦ୍ଧି ଉପରେ ହିଁ କେନ୍ଦ୍ରୀତ ହୋଇଆସିଅଛି। ଚାଷକୁ ଲୋଭଜନକ କରିବା ଏବଂ ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ ବୋଲି ସଂକଳ୍ପରେ କୁହାଯାଇଛି।
ଗତ ୧୬ ବର୍ଷ ମଧ୍ୟରେ ଆମ ରାଜ୍ୟରେ ମୋଟ ଘରୋଇ କୃଷି ଉତ୍ପାଦନ ଦୁଇ ଗୁଣ ହୋଇଥିବା ବେଳେ ଅଭିବୃଦ୍ଧି ହାର ୪.୫ରେ ପହଞ୍ଚିଛି । ସୂଚନାଯୋଗ୍ୟ, କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ୩.୧ରେ ସୀମିତ ରହିଛି ।
କୃଷିର ବିକାଶ ତଥା କୃଷକର କଲ୍ୟାଣ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର କୃଷି କ୍ୟାବିନେଟ ଗଠନ ଠାରୁ ଆରମ୍ଭ କରି ସ୍ବତନ୍ତ୍ର କୃଷି ବଜେଟ କାର୍ଯ୍ୟକାରୀ କରୁଥିବା ବେଳେ କାଳିଆ ଯୋଜନା ପରି ଐତିହାସକ ପଦକ୍ଷେପ ଗ୍ରହଣ କରି ସାରା ଭାରତର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି । ଚାଷୀର ରୋଜଗାର ବୃଦ୍ଧିରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ । ସେହିପରି ଆମର ଆଦିବାସୀ ଅଞ୍ଚଳମାନଙ୍କର ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆମେ ଆରମ୍ଭ କରିଥିବା ମାଣ୍ଡିଆ ମିଶନ ରୋଜଗାର ବୃଦ୍ଧିରେ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଅଛି। ନିକଟ ଅତୀତରେ ଭୂମିହୀନ ଏବଂ ଛୋଟ ଚାଷୀ ଯେପରି ସୁବିଧାରେ ଋଣ ପାଇପାରିବେ, ସେଥିପାଇଁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ରାଜ୍ୟର ୪୦ଟି ପଛୁଆ ବ୍ଲକ୍ରେ ଏଗ୍ରିକଲଚର ପ୍ରଡକସନ୍ କ୍ଲଷ୍ଟର ପ୍ରୋଗ୍ରାମ୍ ମଧ୍ୟ କାର୍ଯ୍ୟକାରୀ କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ରୋଜଗାରକୁ ବୃଦ୍ଧି କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବରେ ବିଚାର କରନ୍ତି । ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଡ.ଏମ୍.ଏମସ୍. ସ୍ବାମୀନାଥନଙ୍କ ଅଧ୍ୟକ୍ଷତାରେ ଜାତୀୟ କୃଷକ କମିସନ ସର୍ବନିମ୍ନ ସହାୟକ ମୂଲ୍ୟକୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଥିଲେ ।
ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କାବିନେଟ ତାର ଦାବିକୁ ପୁଣିଥରେ ଦୋହରାଉଛି।
୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇ ଥର ଓଡିଶା ବିଧାନ ସଭା ସ୍ବାମୀନାଥନ କମିଟିଙ୍କ ସୁପାରିଶ ଭିତିରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମଧ୍ୟ ସର୍ବସମ୍ମତ ପ୍ରସ୍ତାବ ପାରିତ କରିଛି । କୌଣସ ଚାଷୀ ଯେପରି ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ନ ହେବ, ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଏହା ତାର ହକ୍ । ଭାରତ ପରି ଦେଶରେ ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ଅଧିକାର । ଚାଷୀ ଖରା ବର୍ଷା ସହି କ୍ଷେତରେ ଖଟିଲେ ସବୁ ପରିବାରର ରୋଷେଇ ଘରେ ଚୁଲି ଜଳେ। ତେଣୁ ଚାଷୀ ଯଦି ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଇବାରେ ସନ୍ଦେହରେ ରୁହେ, ତେବେ ଚାଷୀ ଓ ଚାଷ ସହିତ ଆମ ଅର୍ଥନୀତି ସଂକଟକୁ ଆସିଯିବ। ଚାଷୀର ସ୍ବାର୍ଥକୁ ଅଣଦେଖା କରି ବିକାଶର ସ୍ବପ୍ନ ଅବାସ୍ତବ। କରୋନା ସମୟରେ ଅର୍ଥନୀତିର ପ୍ରାୟ ସବୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, ଚାଷୀର ପରିଶ୍ରମ ହିଁ ସଂଜୀବନୀ ସଦୃଶ ଅର୍ଥନୀତିକୁ ବଞ୍ଚାଇ ରଖିଛି । ତେଣୁ ଅନ୍ୟ ସବୁ କ୍ଷେତ୍ରରେ ରୋଜଗାରରେ ଯେପରି ବୃଦ୍ଧି ଘଟୁଛି, ତା ସହିତ ତାଳ ଦେଇ ଚାଷୀର ରୋଜଗାର ମଧ୍ୟ ବଢିବା ଉଚିତ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରୋଜଗାର ବଢିବା ଦରକାର । ଚାଷ କୁ ଲାଭଜନକ କରିବା ଏବଂ ଚାଷୀକୁ ସମସ୍ତ ପ୍ରକାର ଆଶଙ୍କାରୁ ସୁରକ୍ଷା ଦେବା ପାଇଁ କୃଷିଜାତ ଦ୍ରବ୍ୟ ଗୁଡିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ଏକ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ନେଇ ସ୍ଥିରୀକୃତ କରିବା ଆବଶ୍ୟକ ।
ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ସ୍ବାମୀନାଥଙ୍କ କମିସନଙ୍କ ସମସ୍ତ ସୁପାରିଶକୁ ସବୁ ଶସ୍ୟ ପାଇଁ ଲାଗୁ କରିବାକୁ ଓଡିଶା ସରକାର ତାଙ୍କ ସଂକଳ୍ପକୁ ପୁନଃଘୋଷଣା କରୁଛନ୍ତି ।