ଆଇପିଏସ୍‌ ସତୀଶ ଗଜଭିୟେଙ୍କୁ ଆଶ୍ବସ୍ତି : ମାସକ ଭିତରେ ପଦୋନ୍ନତି ଓ ଆନୁସଙ୍ଗିକ ସୁବିଧା ପ୍ରଦାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଆଇପିଏସ୍‌ ସତୀଶ କୁମାର ଈଶ୍ବରଦାସ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଆଧାରରେ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଶ୍ରୀ ଗଜଭିୟେଙ୍କ ଆବେଦନକୁ ଗ୍ରହଣ କରିବା ସହିତ ନ୍ୟାୟ ସଂଗତ କାର୍ଯ୍ୟାନୁଷ୍ଠାନର ମାନଦଣ୍ଡକୁ ଉପେକ୍ଷା କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ବୋଲି କହିଛନ୍ତି। ଆଇନର ମୌଳିକ ନିୟମ ଅନୁସାରେ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାହାର ଅଧିକାର ପ୍ରଭବିତ ହେବା ଭଳି କୌଣସି ନିଷ୍ପତ୍ତି ନିଆଯିବା ଉଚିତ ନୁହେଁ। କିନ୍ତୁ ଏହି ମାମଲାରେ ଏହି ନିୟମ ପାଳନ କରାଯାଇ ନ ଥିଲା ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।

ଏଥିସହ ସତୀଶ ଗଜଭିୟେଙ୍କୁ ସମସ୍ତ ପ‌ଦୋନ୍ନତି ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଏକ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୨ର ବ୍ୟାଚ୍‌ର ଆଇପିଏସ୍ ଶ୍ରୀ ଗଜଭିୟେ ମାଲକାନଗିରି ଏସପି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୦୭, ଜୁଲାଇ ୨୫ରେ ଜଣେ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଥିଲା। ଏହି ଗିରଫଦାରୀ ଘଟଣାରେ ୬ଜଣ ପୁଲିସ ଅଧିକାରୀଙ୍କୁ ୧ ଲକ୍ଷ ୫୫ ହଜାର ଟଙ୍କା ପୁରସ୍କାର ଦେବା ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହି ପୁଲିସ ଅଧିକାରୀଙ୍କୁ ପୁରସ୍କାର ରାଣି ମିଳି ନ ଥିବା ଅଭିଯୋଗ ହୋଇଥିଲା। ଏ ନେଇ ଗୁଇନ୍ଦା ନିର୍ଦ୍ଦେଶକ ତତ୍କାଳୀନ ଡିଆଇଜି(ଗୁଇନ୍ଦା)ଙ୍କୁ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୨ରେ ଏ ସଂପର୍କିତ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଆଇଜି ଦାଖଲ କରିଥିଲେ। ଏହାପରେ ୨୦୧୫ରେ ଶ୍ରୀ ଗଜଭିୟେଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଏହି ପ୍ରକ୍ରିୟାକୁ ଚାଲେଞ୍ଜ କରି ସତୀଶ ଗଜଭିୟେ ପ୍ରଥମେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲର କଟକ ଖଣ୍ଡପୀଠରେ ମାମଲା ରୁଜୁ କରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା କ୍ୟାଟ୍‌ର ଦିଲ୍ଲୀସ୍ଥିତ ପ୍ରମୁଖ ଖଣ୍ଡପୀଠକୁ ସ୍ଥାନାନ୍ତର ହୋଇଥିଲା। କ୍ୟାଟ୍ ମାମଲାର ଶୁଣାଣି କରି ୨୦୧୮, ଅଗଷ୍ଟ ୧୦ରେ ଗଜଭିୟେଙ୍କ ଆବେଦନକୁ ଖାରଜ କରିଥିଲେ। କ୍ୟାଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର