ଭଞ୍ଜନଗର/ପାଟପୁର/ସୋରଡ଼ା/ବୁଗୁଡ଼ା: ବିଜେଡି ନେତା ଭି. କାର୍ତ୍ତିକ ପାଣ୍ଡିଆନ ଆଜି ଭଞ୍ଜନଗର, ସାନଖେମୁଣ୍ଡି, ସୋରଡ଼ା, ପୋଲସରାରେ ପ୍ରଚାର କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଆଜି ପୂର୍ବାହ୍ନରେ ଭଞ୍ଜନଗର ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇବା ପରେ ସ୍ଥାନୀୟ ଜେଲ୍ ପଡ଼ିଆ ସଭାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ, ଲୋକଙ୍କ ପାଖରୁ ପାଉଥିବା ଦରଖାସ୍ତ ସମ୍ମାନର ସହ ସମାଧାନ କରିବା ଓ ଲୋକଙ୍କୁ ତା’ର ହିସାବ ଦେବା ଜଣେ ପ୍ରକୃତ ଜନପ୍ରତିନିଧିର ପରିଚୟ ହେବା ଆବଶ୍ୟକ। ଶ୍ରୀ ପାଣ୍ଡିଆନ କହିଥିଲେ, ପ୍ରବାଦ ପୁରୁଷ ବିଜୁ ବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଞ୍ଜନଗର ଉପଖଣ୍ଡ ପୈତୃକ ମାଟି ହୋଇଥିବାରୁ ଏ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି। ତେଣୁ ଆପଣଙ୍କ ବିଧାୟକ ତଥା ମନ୍ତ୍ରୀ ଯାହା ବିକାଶମୁଖୀ କାର୍ଯ୍ୟ କରିବାକୁ ଦାବି ରଖିଛନ୍ତି ତାକୁ ଯଥାଶୀଘ୍ର ପୂରଣ କରିବା ଦିଗରେ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ମେ’ ୨୦ ତାରିଖ ଦିନ ବିକାଶକୁ ବିରୋଧ କରିବା ସହ ମିଛ ଓ ଅପପ୍ରଚାର କରୁଥିବା ବିରୋଧୀ ମାନଙ୍କୁ ଉଚିତ ଜବାବ ଦେବାକୁ ସେ ନିବେଦନ କରିଥିଲେ।
ସମସ୍ୟା ସମାଧାନର ହିସାବ ରଖିବା ଜନପ୍ରତିନିଧିର ପ୍ରକୃତ ପରିଚୟ
ଭଂଜନଗର, ସାନଖେମୁଣ୍ଡି, ସୋରଡ଼ା ଓ ପୋଲସରାରେ ପ୍ରଚାର
ଜନହିତକର ଯୋଜନାକୁ ବନ୍ଦ କରିବାକୁ ଯୋଜନା କରୁଥିବା କେନ୍ଦ୍ର ସରକାରକୁ ଉଚିତ ଜବାବ ଦେବା ହେବ ବୋଲି ମତ ରଖି ଶ୍ରୀ ପାଣ୍ଡିଆନ କହିଥିଲେ, ଭଞ୍ଜନଗର ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଜଗନ୍ନାଥପ୍ରାସାଦ ଧବଳେଶ୍ବର ମନ୍ଦିର ପାଇଁ ୧କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏଭଳି ୧୨୦ ଟି ପ୍ରକଳ୍ପ କାର୍ଯ୍ୟ ପାଇଁ ୫କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଜଳସେଚନ ପାଇଁ ନୂଆଗାଁ ବାମ କେନାଲ, ଋଷିକୁଲ୍ୟା ସିଷ୍ଟମ୍ର ଉନ୍ନତିକରଣ, ଢୋଲପିଟା ଠାରେ ଅନ୍ତଃନଦୀ ଜଳାଶୟ କାର୍ଯ୍ୟ ଚାଲିଥିବା ବେଳେ ପାଖାପାଖି ୨ ହଜାର କୋଟି ଟଙ୍କାରେ ମେଗା ପାନୀୟଜଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟାରମ୍ଭ ହୋଇଥିବା ସେ ପ୍ରକାଶ କରିଥିଲେ। ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଲମ୍ବା ତାଲିକା ରଖିଥିଲେ।
ପରେ ସାନଖେମୁଣ୍ଡି ବ୍ଲକ୍ର ପଳାଶପୁରଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ କହିଥିଲେ, ଡବଲ୍ ଇଞ୍ଜିନ୍ କଥା କହୁଥିବା ଲୋକ ଛାତ୍ର ବୃତ୍ତି ୧୫ ପ୍ରତିଶତ ଦେଉଥିବା ବେଳେ ନବୀନ ବାବୁ ୯୫ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି। ସାନଖେମୁଣ୍ଡିର ପ୍ରତି ପଞ୍ଚାୟତର ହାଇସ୍କୁଲ ରୂପାନ୍ତରୀକରଣ, ଲକ୍ଷ୍ମୀ ବସ୍ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା, ମିସନଶକ୍ତି କାର୍ଯ୍ୟକ୍ରମରେ ବିନା ସୁଧରେ ମହିଳା ଗ୍ରୁପକୁ ୧୦ ଲକ୍ଷ ଟଙ୍କା ଋଣ ପ୍ରଦାନ, ମା’ରତନେଇ ମନ୍ଦିର ବିକାଶ ପାଇଁ ୧ କୋଟି ୭୦ ଲକ୍ଷ ଟଙ୍କା, ଧରାକୋଟ ଜଗନ୍ନାଥ ମନ୍ଦିର ଉନ୍ନତିକରଣ ପାଇଁ ୨ କୋଟି ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କଲେଜମାନଙ୍କର ବିକାଶ ଓ ରୂପାନ୍ତରୀକରଣର କରାଯାଇଛି। ସାନଖେମୁଣ୍ଡି ବିଧାୟକ ପ୍ରାର୍ଥିନୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଥିଲେ।
ଶ୍ରୀ ପାଣ୍ଡିଆନ ସୋରଡ଼ା ଷ୍ଟାଡିୟମରେ ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଶତକଡ଼ା ନବେ ଭାଗ ମାଆମାନଙ୍କୁ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ। ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ଅଧିକ ଭଲ ପାଉଥିଛନ୍ତି। ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡରେ ମାଆମାନଙ୍କୁ ଦଶଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରୁଛନ୍ତି। ବିନା ସୁଧରେ ଋଣ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରାଯାଉଛି। ଏଣୁ ମେ’ ୨୦ରେ ହେବାକୁ ଥିବା ନିର୍ବାଚନରେ ସୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଘମିତ୍ରା ସ୍ୱାଇଁ ଏବଂ ଆସିକା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜୟଯୁକ୍ତ କରାଇବା ପାଇଁ ଅନୁରୋଧ କରିଥିଲେ। ସେହିପରି ପୋଲସରା ନିର୍ବାଚନମଣ୍ଡଳୀ ଅଧୀନ ବୁଗୁଡ଼ା ଶକ୍ତିନଗର ସ୍ଥିତ ମୀନାବଜାର ପଡ଼ିଆରେ ପାଣ୍ଡିଆନ ପୋଲସରା ବିଧାନସଭା ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଏବଂ ଆସିକା ଲୋକସଭା ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ନିମନ୍ତେ ପ୍ରଚାର କରିଥିଲେ। ଏଥିସହ ପୋଲସରା ନିର୍ବାଚନ ମଣ୍ଡଳୀରେ ରହିଥିବା ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିର , ବୁଦ୍ଧଖୋଲ ଶୈବପୀଠ ଓ ଶାଙ୍କୁଳାଇ ମନ୍ଦିର, ପୋଲସରାର ମାରଦା ମନ୍ଦିର ଓ ରୁମାଗଡର ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ନବୀନ ସରକାର ପ୍ରଦାନ କରିଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/0e144a2f-5ce1-4c5e-b491-4a4acaa5297e-1.jpeg)