୧୦୮ ଆମ୍ବୁଲାନ୍‌ସର ରେସପନ୍‌ସ ସମୟରେ ହ୍ରାସ : ୨୬.୯ ମିନିଟ୍‌ରୁ କମି ଏବେ ୨୩.୯ ମିନିଟ୍‌

ଭୁବନେଶ୍ବର : ରାଜ୍ୟରେ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍‌ସର ରେସପନ୍‌ସ ସମୟ କମିଛି। ପୂର୍ବରୁ ୧୦୮ ଆମ୍ବୁଲାନ୍‌ସର ରେସପନ୍‌ସ ସମୟ(କଲ୍‌ ପାଇବାଠାରୁ ରୋଗୀଙ୍କ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ) ୨୬.୯ ମିନିଟ୍‌ ରହିଥିବା ବେଳେ ଏବେ ତାହା ୨୩.୯ ମିନିଟ୍‌କୁ ଖସି ଆସିଛି। ଚଳିତ ନୂଆବର୍ଷରେ ୮୪ଟି ଆମ୍ବୁଲାନ୍‌ସ ଯୋଡ଼ି ହେବା ପରେ ରେସପନ୍‌ସ ସମୟରେ ହ୍ରାସ ଦେଖିବାକୁ ମିଳିଛି। ରେସପନ୍‌ସ ସମୟରେ ହ୍ରାସ ଘଟିବା ସତ୍ତ୍ବେ ଆଗକୁ ୧୦୮ ଆମ୍ବୁଲାନ୍‌ସ ସେବାରେ କିଭଳି ସୁଧାର ଆସୁଛି ତାହା ପ୍ରମୁଖ ଆଲୋଚନାର ବିଷୟ ହେବ ବୋଲି ଆଶା କରାଯାଉଛି।

୨୬.୯ ମିନିଟ୍‌ରୁ କମି ଏବେ ୨୩.୯ ମିନିଟ୍‌
ଲୋକଙ୍କ ଅଭିଯୋଗରେ ସୁଧାର ଆସିବ ତ?
ସାମିଲ ହେବ ଆହୁରି ୨୮ ନୂତନ ୧୦୮ ଆମ୍ବୁଲାନ୍‌ସ

୨୦୧୩ ମସିହା ମାର୍ଚ ୫ତାରିଖରେ ରାଜ୍ୟରେ ମାଗଣା ୧୦୮ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଆମ୍ବୁଲାନ୍‌ସ ସଂଖ୍ୟାରେ ବୃଦ୍ଧି ଘଟିବା ସହିତ ରାଜ୍ୟର ସବୁ ଜିଲ୍ଲାରେ ଅଧିକରୁ ଅଧିକ ଆମ୍ବୁଲାନ୍‌ସ ସେବା ଆରମ୍ଭ କରିଥିଲା। ସାଧାରଣ ଭାବେ କଲ୍‌ ପାଇବଠାରୁ ରୋଗୀ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍‌ସକୁ ୩୦ ମିନିଟ୍‌ ଧାର୍ଯ୍ୟ କରାଯାଇଛି। ହେଲେ କୌଣସି ଦୁର୍ଘଟଣା ସ୍ଥଳରେ କିମ୍ବା ଗୁରୁତର ରୋଗୀଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ନେଇ ସବୁବେଳେ ବିବାଦ ରହି ଆସିଛି। ରୋଗୀଟିଏ ୧୦୮ ଆମ୍ବୁଲାନ୍‌ସର କଲ୍‌ ସେଣ୍ଟରକୁ‌ ଫୋନ୍ କରିବା ଓ ରୋଗୀ ନିକଟରେ ଠିକ୍ ସମୟରେ ଆମ୍ବୁଲାନ୍‌ସ ପହଞ୍ଚୁ ନ ଥିବାକୁ ନେଇ ଲୋକମାନେ ଅଭିଯୋଗ କରି ଆସୁଛନ୍ତି। ଅନ୍ୟପଟରେ ୧୦୮ ଆମ୍ବୁଲାନ୍‌ସ ପରିଚାଳନା କରୁଥିବା ସଂସ୍ଥାର କହିବା କଥା, ରାସ୍ତା ଓ ଟ୍ରାଫିକ୍ ସମସ୍ୟା, କିମ୍ବା କୌଣସି ଏକ ବଡ଼ ଘଟଣା ଘଟିଲେ ସେ ସମୟରେ ବହୁ ସଂଖ୍ୟାରେ ଆମ୍ବୁଲାନ୍‌ସ ନିୟୋଜିତ ହେବା ଫଳରେ ରେସପନ୍‌ସ ସମୟରେ ପରିବର୍ତନ ଦେଖିବାକୁ ମଳିଥାଏ। ହେଲେ ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ ସଂଖ୍ୟା ବଢ଼ିବା ପରେ ରେସପନ୍‌ସ ସମୟରେ ହ୍ରାସ ପାଇଛି।

ରାଜ୍ୟରେ ଏବେ ସମୁଦାୟ ୫୯୬ଟି ୧୦୮ ଆମ୍ବୁଲାନ୍‌ସ କାର୍ଯ୍ୟ କରୁଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮୦ଟି ୧୦୮ ଆମ୍ବୁଲାନ୍‌ସ ରହିଥିବା ବେଳେ ମୟୂରଭଞ୍ଜରେ ୭୮, ବାଲେଶ୍ବର ୭୬, ଖୋର୍ଧା ଜିଲ୍ଲାରେ ୬୨, ସୁନ୍ଦରଗଡ଼ ୫୬, କଟକ ଓ ପୁରୀରେ ୫୪ ଲେଖାଏଁ ଓ ଦେବଗଡ଼ରେ ସବୁଠାରୁ କମ୍ ୮ଟି ଆମ୍ବୁଲାନ୍‌ସ ରହିଛି। ଏହାସହ ମହିଳା ଓ ଶିଶୁଙ୍କ ପାଇଁ ୫ଶହଟି ୧୦୪ ଆମ୍ବୁଲାନ୍‌ସ ରାଜ୍ୟରେ କାର୍ଯ୍ୟ କରୁଛି। ୬ଟି ବୋଟ୍‌ ଆମ୍ବୁଲାନ୍‌ସ ମଧ୍ୟ ଅପହଞ୍ଚ ଅଞ୍ଚଳରେ ସେବା ଯୋଗାଉଛି। ଏସବୁ ଆମ୍ବୁଲାନ୍‌ସର ପରିଚାଳନା କରୁଛି ଜିକିତ୍ସା ହେଲଥ କେୟାର। ଜାନୁଆରି ପହିଲାରେ ରାଜ୍ୟରେ ମୋଟ ୫୧୨ଟି ୧୦୮ ଆମ୍ବୁଲାନ୍‌ସ ରହିଥିବା ବେଳେ ଏ ସମୟରେ ରେସପନ୍‌ସ ସମୟ ରହିଥିଲା ୨୬.୯ ମିନିଟ୍‌। ହେଲେ ନୂଆ ଆମ୍ବୁଲାନ୍‌ସ ସେବା ଆରମ୍ଭ ପରେ ଏବେ ତାହା ୨୩.୯ ମିନିଟ୍‌କୁ ଖସି ଆସିଛି। ଆଗକୁ ରାଜ୍ୟରେ ଆହୁରି ୨୮ଟି ନୂତନ ଆମ୍ବୁଲାନସ କାର୍ଯ୍ୟ କରିବ। ତେଣୁ ରେସପନ୍‌ସ ସମୟରେ ଆହୁରି ହ୍ରାସ ଘଟିବ ବୋଲି ଅନୁମାନ କରାଯାଉଛି।

ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ଗାଇଡଲାଇନ୍‌ ଅନୁସାରେ ୧ଲକ୍ଷ ଜନସଂଖ୍ୟାରେ ଗୋଟିଏ ଆମ୍ବୁଲାନ୍‌ସ ଉପଲବ୍ଧ ହେବା କଥା। ହେଲେ ଓଡ଼ିଶାର ଜନସଂଖ୍ୟା ଓ ଆମ୍ବୁଲାନ୍‌ସ ସଂଖ୍ୟାକୁ ଅନୁଶୀଳନ କଲେ ରାଜ୍ୟରେ ୭୦ହଜାର ଜନସଂଖ୍ୟାରେ ଗୋଟିଏ ଆମ୍ବୁଲାନ୍‌ସ ରହିଛି। ଆମ୍ବୁଲାନ୍‌ସ ସଂଖ୍ୟା ବଢ଼ିବା ପରେ ପୂର୍ବରୁ ଯେଉଁ ରେସପନ୍‌ସ ସମୟ ରହିଥିଲା ଏବେ ତାହା ୨୩.୯ ମିନିଟ୍‌କୁ ଖସି ଆସିଛି। ତେଣୁ ପୂର୍ବାପେକ୍ଷା ୧୦୮ ଆମ୍ବୁଲାନ୍‌ସ ଲୋକଙ୍କୁ ସେବା ଯୋଗାଇବାରେ ସଫଳ ହେବ। ଏହାସହ ଆହୁରି ୨୮ଟି ୧୦୮ ଆମ୍ବୁଲାନ୍‌ସ ଆଗକୁ କାର୍ଯ୍ୟ କରିବା ନେଇ ନିଷ୍ପତ୍ତି ହୋଇଛି। ତେଣୁ ରେସପନ୍‌ସ ସମୟରେ ଆହୁରି ପରିବର୍ତନ ହୋଇପାରେ ବୋଲି ଆଶା କରାଯାଉଥିବା ଶ୍ରୀମତୀ ପଣ୍ଡିତ କହିଛନ୍ତି।

ସମ୍ବନ୍ଧିତ ଖବର