ପ୍ଲାଜ୍‌ମା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ବ କେବଳ ରାଜନୀତି: ବିରୋଧୀ ଦଳ

ସର୍ବଦଳୀୟ ବୈଠକ ଡାକିବାକୁ ଦାବି

ଭୁବନେଶ୍ୱର : ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଚିକିତ୍ସାରେ ସୁଫଳ ମିଳୁଛି। ଅଧିକରୁ ଅଧିକ ପ୍ଲାଜ୍‌ମା ସଂଗ୍ରହ ପାଇଁ ସବୁ ମନ୍ତ୍ରୀମାନଙ୍କୁ ଗତକାଲି ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବା ପରେ ବିରୋଧୀ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ମନ୍ତ୍ରୀମାନଙ୍କୁ ଏହି ଦାୟିତ୍ବ ଦେଇ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିବାବେଳେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏଥିପାଇଁ ବିଧାୟକମାନଙ୍କୁ ଦାୟିତ୍ବ ଦେବାକୁ ଦାବି କରିଛନ୍ତି।

ଶ୍ରୀ ନାଏକ କହିଛନ୍ତି, କୋଭିଡ୍‌ ମହାମାରୀ ପରିସ୍ଥିତିରେ ଏବେ ସବୁ ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଥିବା ରାଜନୈତିକ ଦଳ ଓ ନେତାମାନଙ୍କ ସହ ଆଲୋଚନା କରି ମୁକାବିଲା କରୁଛନ୍ତି। କିନ୍ତୁ ଓଡ଼ିଶା ସରକାର ଏବେସୁଦ୍ଧା ବି ସେ କ୍ଷେତ୍ରରେ ଥରୁଟିଏ ପଦକ୍ଷେପ ନେଲେନାହିଁ। ଦଳମତ ନିର୍ବିଶେଷରେ ସବୁ ଦଳ ଏକ ହୋଇ କରୋନାର ମୁକାବିଲା କରିବା ପାଇଁ ସରକାରଙ୍କୁ ସହଯୋଗ କରିଆସିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମସ୍ତ ଜନସାଧାରଣଙ୍କୁ ପ୍ଲାଜ୍‌ମା ଦାନ ପାଇଁ ନିବେଦନ କରିବା ପରେ ଜନଜାଗରଣ ପାଇଁ ତାଙ୍କ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦେବା ରାଜନୀତି ଛଡ଼ା ଆଉ କିଛି ନୁହେଁ। ସବୁ ଜିଲ୍ଲାରେ ପ୍ଲାଜ୍‌ମା ଥେରାପି ପାଇଁ ବ୍ୟବସ୍ଥା ହୋଇନାହିଁ। ଏ ପର୍ଯ୍ୟନ୍ତ ମଧ୍ୟ ସବୁ ସ୍ଥାନରେ ବିଶେଷଜ୍ଞ ନିୟୋଜିତ ହୋଇନାହାନ୍ତି। ଏଭଳି ସ୍ଥିତିରେ ମନ୍ତ୍ରୀମାନେ ଜିଲ୍ଲାଵାରୀ ଜନ ଜାଗରଣ କରିବାର ଅର୍ଥ କଣ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି। ସଚିବମାନେ ଏ ରାଜ୍ୟକୁ ଶାସନ କରୁଥିବାବେଳେ ଏବେ ମନ୍ତ୍ରୀମାନଙ୍କ କଥା କିପରି ମନେ ପଡ଼ିଲା ତାହା ଚିନ୍ତାର ବିଷୟ। ରାଜ୍ୟର ସମୂହ ସ୍ବାର୍ଥ ଦୃଷ୍ଟିରୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦଳ ନେତା ଆହ୍ବାନ କରିଛନ୍ତି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବାରମ୍ବାର ଦାବି କଲାପରେ ଏବେ ମନ୍ତ୍ରୀମାନଙ୍କୁ ଏହି ଯୁଦ୍ଧରେ ସାମିଲ କରାଯାଇଛି। ଦିନକୁ ଦିନ ଭୁବନେଶ୍ବରରେ କରୋନା ସଂକ୍ରମଣ ବଢ଼ିଚାଲିଛି। ରାଜନେତାଙ୍କୁ ନ ଧରିଲେ ସ୍ଥିତି ଉପରେ ନିୟନ୍ତ୍ରଣ ଆସିବା କଷ୍ଟକର ବୋଲି ପୂର୍ବରୁ କଂଗ୍ରେସ ବହୁବାର ଦାବି କରିଆସୁଥିଲା। କରୋନା ଯୁଦ୍ଧରେ ଯେପରି ସରପଞ୍ଚମାନଙ୍କୁ ସାମିଲ କରାଯାଇଛି ସେହିପରି, ବିଧାୟକମାନଙ୍କୁ ବି ସାମିଲ କରାଯାଉ। ଘରୋଇ ହସ୍ପିଟାଲ୍‌ରେ କରୋନା ରୋଗୀ ସୁସ୍ଥ ହେଉଥିବାବେଳେ ସରକାରୀ ଡାକ୍ତରଖାନାରେ ଠିକ୍‌ ଭାବେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ମିଳୁନଥିବା ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ପଞ୍ଚାୟତି ରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ଲାଜ୍‌ମା ଥେରାପି ଏକ ସଫଳ ଚିକିତ୍ସା ପଦ୍ଧତି ବୋଲି ପ୍ରମାଣିତ ହୋଇଛି। ମୃତ୍ୟକୁ ରୋକିବାରେ ଏହା ସହାୟକ ହେଉଛି। ପ୍ଲାଜ୍‌ମା ସଂଗ୍ରହ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀମାନଙ୍କୁ ଦାୟିତ୍ବ ଦେଇଛନ୍ତି। ସୁସ୍ଥ ହେଉଥିବା ରୋଗୀମାନଙ୍କୁ ଭେଟି ପ୍ଲାଜ୍‌ମା ଦାନ କରିବାକୁ ପ୍ରୋତ୍ସାହିତ କରାଯିବ। ଆମେ ସେମାନଙ୍କ ସହ ମୁହାଁମୁହିଁ ଆଲୋଚନା କରିବୁ। ସେମାନଙ୍କ ଯିବା ଆସିବା ଖର୍ଚ୍ଚ ସହ ଅନ୍ୟ ସମସ୍ତ ବ୍ୟବସ୍ଥା ସରକାର ବହନ କରିବେ। ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ବି ପ୍ଲାଜ୍‌ମା ଚିକିତ୍ସା ଆରମ୍ଭ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର