ଭୁବନେଶ୍ବର: ଖବରକାଗଜ ହେଉଛି ସମାଜର ଦର୍ପଣ। ସାମ୍ବାଦିକ ହେଉଛନ୍ତି ବିବେକର ରକ୍ଷକ। ସ୍ୱାଧୀନତା ପୂର୍ବରୁ ଦେଶ ଓ ରାଜ୍ୟରେ ଯେଉଁ ସବୁ ଖବରକାଗଜ ପ୍ରକାଶ ପାଉଥିଲା, ତାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦେଶର ସ୍ୱାଧୀନତା। ଜରୁରିକାଳୀନ ପରିସ୍ଥିତିରେ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ ଗଣତନ୍ତ୍ରର ସୁରକ୍ଷା ପାଇଁ ଯେଉଁ ସାମ୍ବାଦିକତା କରିଯାଇଛନ୍ତି, ତାହା ଆଜିର ପ୍ରତ୍ୟେକ ଯୁବ ସାମ୍ବାଦିକଙ୍କ ପାଇଁ ଉଦାହରଣ। ସରକାରଙ୍କୁ ଆଇନା ଦେଖାଇବା, ଲୋକଙ୍କ ସାଧାରଣ ସମସ୍ୟାକୁ ତଥ୍ୟ ସହିତ ସରକାରଙ୍କ ନଜରକୁ ଆଣିବା ହେଉଛି ଖବରକାଗଜର ମୁଖ୍ୟ ଦାୟିତ୍ବ ବୋଲି ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଏକ ଦାୟିତ୍ୱ ସମ୍ପନ୍ନ ଖବରକାଗଜ କେବେ ହେଲେ ସରକାରଙ୍କ ବନ୍ଧୁ ନୁହନ୍ତି। ସେମାନେ ହେଉଛନ୍ତି ଗଣତନ୍ତ୍ର ଓ ସାଧାରଣ ଜନତାଙ୍କ ପ୍ରକୃତ ବନ୍ଧୁ। ସରକାର, ନେତା, ମନ୍ତ୍ରୀ ଓ ଯେଉଁ ଅଧିକାରୀମାନେ ଜନସେବା ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରଶ୍ନ ପଚାରିବା ଓ ଉତ୍ତରଦାୟୀ କରିବା କେବଳ ଖବରକାଗଜର ଅଧିକାର ନୁହେଁ, ଏହା ଦାୟିତ୍ୱ ମଧ୍ୟ। ଆଜିର ନୂତନ ପିଢ଼ିର ସାମ୍ବାଦିକମାନେ ‘ସମାଲୋଚନା’ ଓ ‘ବ୍ୟକ୍ତିଗତ ଆକ୍ଷେପ’ ଯାହାକୁ ସାମ୍ବାଦିକତା ଭାଷାରେ ‘ସ୍ଲାଣ୍ଡର୍’ ବୋଲି କୁହାଯାଏ, ତା’ର ପ୍ରଭେଦ ଜାଣି ପାରୁନାହାନ୍ତି। ଜାଣିଶୁଣି ସମାଲୋଚନା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି। ସାମ୍ବାଦିକମାନେ ସରକାରଙ୍କୁ ସକାରାତ୍ମକ ସମାଲୋଚନା ମାଧ୍ୟମରେ ସଚେତନ ଓ ଜାଗ୍ରତ କରନ୍ତୁ। ସାମ୍ବାଦିକତା ହେଉଛି ଏକ ପବିତ୍ର ବୃତ୍ତି। ତାହାର ମର୍ଯ୍ୟାଦା ଭିତରେ ରହି ନିଜ ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ। 
Advertisment
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ‘ସମ୍ବାଦ’ ଓଡ଼ିଶାର ଖବରକାଗଜ ଇତିହାସରେ ଏକ ମାଇଲଖୁଣ୍ଟ। ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର ପରେ ବି ‘ସମ୍ବାଦ’ର ପାଠକୀୟ ଆଦରକୁ କମ୍‌ କରିପାରିନାହିଁ। ‘ସମ୍ବାଦ ଗ୍ରୁପ୍’ ଓଡ଼ିଶାର ଗଣମାଧ୍ୟମ କ୍ଷେତ୍ରରେ ଏକ ବିଶାଳ ବରଗଛ ପରି କାୟା ବିସ୍ତାର କରିପାରିଛି। ‘କନକ ନ୍ୟୁଜ୍’ ମଧ୍ୟ ଏକ ବିଶ୍ୱସନୀୟ ଚ୍ୟାନେଲ୍ ଭାବରେ ଦର୍ଶକମାନଙ୍କର ପ୍ରିୟଭାଜନ ହୋଇପାରିଛି। ଏହା ପଛରେ ସୌମ୍ୟବାବୁଙ୍କ ଅନେକ ସଂଗ୍ରାମ, ଅହରହ ପରିଶ୍ରମ ଓ ଅସୀମ ତ୍ୟାଗ ରହିଛି। ସୌମ୍ୟବାବୁ ଯେଉଁ ଦଳର ସମର୍ଥକ କିମ୍ବା ସଭ୍ୟ ଥାଆନ୍ତୁ ନା କାହିଁକି, ସରକାରଙ୍କୁ ପ୍ରଶ୍ନ ପଚାରିବାରେ କୌଣସି କାର୍ପଣ୍ୟତା କରିନାହାନ୍ତି। ଓଡ଼ିଆଙ୍କ ସ୍ବାର୍ଥକୁ ନେଇ ତେରେଛା ବାଣ ମାରିବାରେ ସେ କେବେହେଲେ ସଙ୍କୋଚ କରି ନାହାନ୍ତି। ଏହା ହେଉଛି ପ୍ରକୃତ ସାମ୍ବାଦିକତା। ମୋର ରାଜନୈତିକ ଜୀବନରେ ମୁଁ ସବୁବେଳେ ଗଣମାଧ୍ୟମକୁ ସମ୍ମାନ ଦେଇ ଆସିଛି। ବିଗତ ଦିନରେ ରାଜ୍ୟର ଗଣମାଧ୍ୟମକୁ କିପରି ଭାବେ ବ୍ୟବହାର କରାଯାଉଥିଲା ତାହା ସମସ୍ତେ ଦେଖିଛନ୍ତି। ରାଜ୍ୟ ସରକାର ଗଣମାଧ୍ୟମକୁ କେବେ ବି ଅସମ୍ମାନ କରିବେ ନାହିଁ, କିମ୍ବା କୌଣସି ପ୍ରତିବନ୍ଧକ ରଖି‌ବେ ନାହିଁ। ସମ୍ମାନିତ ଅତିଥି ‘ଦୈନିକ ଭାସ୍କର’ର ଗ୍ରୁପ୍ ଏଡିଟର ପ୍ରକାଶ ଦୁବେ କହିଲେ, ୨୦୧୮ ମସିହାରେ ‘ରିପୋଟର୍ସ ୱିଦ୍‌ଆଉଟ୍‌ ବର୍ଡର’ ପକ୍ଷରୁ ପ୍ରକାଶିତ ଗଣମାଧ୍ୟମର ଅଭିବ୍ୟକ୍ତି ସ୍ବାଧୀନତାରେ ସମଗ୍ର ବିଶ୍ବରେ ଭାରତର ସ୍ଥାନ ରହିଥିଲା ୧୩୮। ତେଣୁ ଖବରକାଗଜ ସଂସ୍ଥା ଯେ ଅଭିବ୍ୟକ୍ତି ସ୍ବାଧୀନତା କବ୍‌ଜାରୁ ବର୍ତ୍ତି ପାରିନାହିଁ ଏଥିରୁ ସ୍ପଷ୍ଟ ହେଉଛି। ଅପ୍‌ରେସନ ସିନ୍ଦୂର ସମୟରେ ଭାରତୀୟ ଗଣମାଧ୍ୟମ ପାକିସ୍ତାନ ସଂପର୍କରେ ଯେଉଁସବୁ କଥା କହୁଥିଲା, ପାକିସ୍ତାନରେ ଥିବା ବିବିସିର ଜଣେ ସାମ୍ବାଦିକ ଏସବୁ ଖବର ପଛର ସତ୍ୟତା କ’ଣ ତାହା ଧରା ପକାଇ ଦେଇଥିଲେ। ଖବରକାଗଜଗୁଡ଼ିକ ଯଦି ଆଞ୍ଚଳିକ ଭାଷାରେ ଲୋକଙ୍କ ପାଖରେ ପହଞ୍ଚିବ, ତା’ହେଲେ ସ୍ଥିତିରେ ପରିବର୍ତ୍ତନ ଆସିପାରିବ। ଭ୍ରଷ୍ଟାଚାର ବିରୋଧୀ ଲଢ଼େଇ ପାଇଁ ଖବରକାଗଜ ସଂସ୍ଥାମାନଙ୍କୁ ଲୋକମାନଙ୍କ ପାଖକୁ ଯିବାକୁ ହେବ। ଏହି ଅବସରରେ ଶ୍ରୀ ଦୁବେ ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକଙ୍କୁ ଏଡିଟର୍ସ ଗିଲଡ୍‌ରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ଲାଗି ଆହ୍ବାନ କରିଥିଲେ।
ଆଞ୍ଚଳିକ ଭାଷାର ଖବରକାଗଜ ହିଁ ପରିବର୍ତ୍ତନ ଆଣିପାରିବ: ପ୍ରକାଶ ଦୁବେ
ସାମ୍ବାଦିକତାର ଅସ୍ତିତ୍ବ ଓ ସଂଜ୍ଞା ପାଇଁ ସଙ୍କଟ ସୃଷ୍ଟି ହୋଇଛି: ପୂର୍ଣ୍ଣିମା ଯୋଶୀ
ଗଣମାଧ୍ୟମ ନିନ୍ଦୁକ ଭୂମିକାରେ ରହି ରାଜ୍ୟ ପାଇଁ କାମ କରୁଛି: ସୌମ୍ୟରଂଜନ 
ନୂଆ ନୂଆ କାର୍ଯ୍ୟକ୍ରମ ଦ୍ବାରା ‘ସମ୍ବାଦ’କୁ ଅଧିକ ପ୍ରାସଙ୍ଗିକ କରାଯାଉଛି: ତନୟା
ସମ୍ମାନିତ ଅତିଥି ‘ହିନ୍ଦୁ ବିଜିନେସ୍‌ ଲାଇନ୍‌’ର ଆବାସିକ ସମ୍ପାଦିକା ପୂର୍ଣ୍ଣିମା ଯୋଶୀ ଜନହିତରେ ପ୍ରକାଶ ପାଉଥିବା ଖବର ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ନେଇ ଚିନ୍ତାପ୍ରକଟ କରିଥିଲେ। ସେ କହିଥିଲେ, ଆମେ ଏବେ ଏଭଳି ଏକ ସମୟ ଦେଇ ଗତି କରୁଛୁ, ଯେଉଁଠି ସାମ୍ବାଦିକତାର ଅସ୍ତିତ୍ବ ଓ ସଂଜ୍ଞା ପାଇଁ ବଡ଼ ସଙ୍କଟ ସୃଷ୍ଟି ହୋଇଛି। ଏବେ ଟେଲିଭିଜନରେ ବିତର୍କ ହେଉନାହିଁ, ବିତଣ୍ଡା ଯୁକ୍ତି ହେଉଛି। କର୍ପୋରେଟ୍‌, ବିଜ୍ଞାପନଦାତା ଓ ସରକାରୀ ସ୍ବାର୍ଥରେ ଖବର ପ୍ରସାରଣ ହେଉଛି। ଏବର ଗଣମାଧ୍ୟମ ଏମିତି ହୋଇଯାଇଛି, ଯେଉଁଥିରେ ଗଣଙ୍କ ହିତ ନାହିଁ। ଗଣମାଧ୍ୟମ ସହ ସାମ୍ବାଦିକତାର କୌଣସି ସମ୍ପର୍କ ନାହିଁ। ବର୍ତ୍ତମାନ ଗଣମାଧ୍ୟମରେ ୫ ହଜାର କୋଟି ଟଙ୍କାର ଅମ୍ବାନୀ ବିବାହ, ସେଲିବ୍ରିଟିଙ୍କ ପୋଷାକ ବେଶ୍‌ ସ୍ବତନ୍ତ୍ର ଭାବେ ଉପସ୍ଥାପିତ ହେଉଛି। ହେଲେ ସେହି ମହାରାଷ୍ଟ୍ରରେ ୨୮୫୧ ଚାଷୀଙ୍କ ଆତ୍ମହତ୍ୟା ଖବର କେତେ ସ୍ବତନ୍ତ୍ର ସ୍ଥାନ ପାଉଛି? ବ୍ୟାଙ୍କ୍‌ ଋଣ ଶୁଝି ନ ପାରି ଚ‌ାଷୀ ଆତ୍ମହତ୍ୟା କରୁଥିବା ବେ‌ଳେ ଖବରକାଗଜ ସମ୍ପାଦକମାନେ ଯଦି ଅମ୍ବାନୀ ବିବାହ ପ୍ରସାରଣ କରିବେ ତେବେ ସାମ୍ବାଦିକତା କେଉଁ ସ୍ତରରେ ରହିଛି; ତାହା ସ୍ପଷ୍ଟ ପ୍ରତୀୟମାନ। ଗଣମାଧ୍ୟମ ସମାଜର ୱାଚ୍‌ ଡଗ୍‌ ହେବା ଉଚିତ, ଯିଏକି ଜନହିତରେ ନୀତି ନିର୍ଦ୍ଧାରଣ ଓ ଶାସନ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଥିବା ଆବଶ୍ୟକ। ତେବେ ଯାଇ ନୀତି ନିର୍ଦ୍ଧାରଣ ଜନହିତରେ ହୋଇପାରିବ। କିନ୍ତୁ କିଛି ସମ୍ଭ୍ରାନ୍ତ ଶ୍ରେଣୀୟ ଖବରକାଗଜ ସଂସ୍ଥା ନିଜକୁ ସମାଜର ଏହି ଗୁରୁଦାୟିତ୍ବରୁ ଓହରାଇ ନେଇ  ‘ଖବର ବ୍ୟବସାୟ’ର ନୁହେଁ ‘ବିଜ୍ଞାପନ ବ୍ୟବସାୟ’ର ଅଂଶୀଦାର ବୋଲି ଖୋଲାଖୋଲି ଘୋଷଣା କରୁଛନ୍ତି। ଏଥିରୁ ଗଣମାଧ୍ୟମର ଅଧୋଗତି ସ୍ପଷ୍ଟ ଜଣାପଡ଼ୁଛି। ଏଭଳି ସ୍ଥଳେ ‘ସମ୍ବାଦ’ ଭଳି ଏକ ଆଞ୍ଚଳିକ ଖବରକାଗଜ  ଜନହିତରେ ସଂସ୍କୃତି, ସାହିତ୍ୟ, ପରିବେଶ, ରକ୍ତଦାନ ଆଦି କାର୍ଯ୍ୟକ୍ରମ ଦ୍ବାରା ଲୋକଙ୍କୁ ଲୋକଙ୍କ ପ୍ରସଙ୍ଗରେ ଯୋଡ଼ି ରଖିବାର ପ୍ରୟାସ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ ଓ ଯୁଗୋପଯୋଗୀ ବୋଲି ଶ୍ରୀମତୀ ଯୋଶୀ କହିଥିଲେ। 
‘ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଖବରକାଗଜର ସଂପାଦକଙ୍କ ଗୋଟିଏ ଲକ୍ଷ୍ୟ ଥିଲେ ହେଁ ସେମାନଙ୍କ ଭିତରେ ଭଲ ସଂପର୍କ ରହୁନାହିଁ। କାହିଁକି ସଂପର୍କ ଖରାପ ହେଉଛି ତାହା ଆଶ୍ଚର୍ଯ୍ୟର ବିଷୟ। ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନ କାର୍ଯ୍ୟ ଜାରି ରଖନ୍ତୁ ଓ ଖବରକାଗଜ ତା’ ବାଟରେ ରାଜ୍ୟର ଭଲମନ୍ଦ ସରକାରଙ୍କୁ ଜଣାଇବ। ‘ସମ୍ବାଦ’ ମହାଦେବଙ୍କ ତୃତୀୟ ନୟନ ଭଳି କାମ କରିବ। ମୁଖ୍ୟମନ୍ତ୍ରୀ ତାଙ୍କ ନିନ୍ଦୁକମାନଙ୍କୁ ଘୃଣା କରନ୍ତୁ ନାହିଁ। କାରଣ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରକୁ ନିର୍ମଳ କରିବା ପାଇଁ ଅନେକ ପ୍ରସ୍ତାବ ଦେଇଥା’ନ୍ତି। ଖବରକାଗଜ ନିନ୍ଦୁକ ଭୂମିକାରେ ରହି ରାଜ୍ୟର ସ୍ବାର୍ଥ ପାଇଁ କାମ କରୁଛି ବୋଲି ଭାବିବାକୁ ହେବ। 
ସେ ଆହୁରି ମଧ୍ୟ କହିଥିଲେ ଯେ ୨୪ବର୍ଷ ପରେ ରାଜ୍ୟରେ ସରକାର ବଦଳିଛି। ନୂଆ ସରକାର କ୍ଷମତାକୁ ଆସିଥିଲେ ହେଁ ରାଜ୍ୟରେ କାହିଁକି କିଛି ବଦଳିନାହିଁ ବୋଲି ଲୋକେ ଭାବୁଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପରିବର୍ତ୍ତନ କେବେ ଆସିବ? ତେଣୁ ମୁଖ୍ୟମନ୍ତ୍ରୀ ମୌଳିକ ପରିବର୍ତ୍ତନ ଆଣିବା ଲାଗି ପ୍ରଚେଷ୍ଟା କରନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଲେ, ‘ସମ୍ବାଦ’ର ବାର୍ଷିକୋତ୍ସବ ଅବସରରେ ଶୁଭେଚ୍ଛାର ସୁଅ ସାଙ୍ଗକୁ ମୋତେ ‘ସମ୍ବାଦ ଲିଗାସି’କୁ ଆଗକୁ ନେବାର ଆଶୀର୍ବାଦ ସହ ଗୁରୁଦାୟିତ୍ବ ବି ନ୍ୟସ୍ତ କରାଉଛି। ହେଲେ ଏ ‘ସମ୍ବା‌ଦ ଲିଗାସି’ କ’ଣ? ଏହି ପ୍ରଶ୍ନ ମୋତେ ଆନ୍ଦୋଳିତ କରୁଛି। ରାଜ୍ୟର ସର୍ବାଧିକ ପଠିତ ଖବରକାଗଜ ହେବା କ’ଣ ‘ସମ୍ବାଦ ଲିଗାସି’? ନା ବୋଧହୁଏ ନୁହେଁ। ଓଡ଼ିଶାର ଯେଉଁ ସବୁ ଉପାନ୍ତ ଅଞ୍ଚଳରେ ଖବରକାଗଜଟିଏ ପହଞ୍ଚି ପାରୁନାହିଁ, ସେଠି ଏକା ‘ସମ୍ବାଦ’ ପହଞ୍ଚିବା ‘ସମ୍ବାଦ ଲିଗାସି’, ଭୁବନେଶ୍ବରରେ ‘ଆମ ଓଡ଼ିଶା’ ରକ୍ତଦାନ ଶିବିରରେ ହଜାରେ ୟୁନିଟ୍‌ ରକ୍ତ ସଂଗ୍ରହ ‘ସମ୍ବାଦ ଲିଗାସି’ ନୁହେଁ, ବରଂ ମାଲକାନଗିରିର ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକ୍‌ରେ ୨୦ ୟୁନିଟ୍‌ ରକ୍ତ ସଂଗ୍ରହ କରିପାରିବା ହେଉଛି ‘ସମ୍ବାଦ ଲିଗାସି’। ଏଆଇ ଯୁଗରେ ଯୁବପିଢ଼ିଙ୍କୁ ମା‌’, ମାଟି ଓ ମାତୃଭାଷା ପ୍ରତି ଆକୃଷ୍ଟ କରିପାରିବା, ‘ସମ୍ବାଦ’କୁ ସାମ୍ବାଦିକ ତିଆରି କାରଖାନା କୁହାଯିବା, ଆମ ସହଯୋଗୀଙ୍କୁ ଆତ୍ମତୃପ୍ତିଭରା ପରିବେଶ ଯୋଗାଇଦେବା; ଏ ସବୁ ହେଉଛି ‘ସମ୍ବାଦ ଲିଗାସି’। ଏହି ଲିଗାସିକୁ ଆଗକୁ ବଢ଼ାଇବାର ଅଛି ଏବଂ ନୂଆ ନୂଆ କାର୍ଯ୍ୟକ୍ରମ ଦ୍ବାରା ‘ସମ୍ବାଦ’କୁ ଅଧିକ ପ୍ରାସଙ୍ଗିକ ତଥା ଦୂରଦର୍ଶୀ କରି ରଖିବାର ଅଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। 
 କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆର ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ‌ଯୋଗ ଦେଇ ‘ସମ୍ବାଦ ଗ୍ରୁପ୍‌’କୁ ରାଜ୍ୟରେ ଓ ରାଜ୍ୟ ବାହାରେ ଅଧିକରୁ ଅଧିକ ପରିଚିତ କରାଇଥିବାରୁ ପାଠକ, ଦର୍ଶକ ଓ ଶ୍ରୋତାମାନଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରାରମ୍ଭରେ ‘ସମ୍ବାଦ’ ତଥା କନକ ନ୍ୟୁଜ୍‌ର ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ‘କନକ ନ୍ୟୁଜ୍‌’ର ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।  ଏହି ଅବସରରେ ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ପରେ ରାଜ୍ୟସ୍ତରୀୟ ଭାଷାଜ୍ଞାନ, ହସ୍ତାକ୍ଷର ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ସମ୍ବାଦ’ର ଶ୍ରେଷ୍ଠ ଜିଲ୍ଲା ପ୍ରତିନିଧି ଭାବେ ‌ପ୍ରେମେନ୍ଦ୍ର ପରିଚ୍ଛା ଓ ଶ୍ରେଷ୍ଠ ବ୍ଲକ୍ ପ୍ରତିନିଧି ଭାବେ ଶ୍ରୀନିବାସ ପାଇକରାୟ, କନକ ନ୍ୟୁଜ୍‌ର ଶ୍ରେଷ୍ଠ ରିପୋର୍ଟର ଭାବେ ଅରୁଣ ରାଉତ ଓ ଶ୍ରେଷ୍ଠ ଭିଜୁଆଲ୍‌ ପାଇଁ ରମେଶ ରଞ୍ଜନ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।