ଜଗତସିଂହପୁର: ଅଳକା ନଦୀରେ ଦିନେ ବ୍ରିଟିସ୍ମାନଙ୍କ ଜାହାଜ ଚାଲୁଥିଲା। ୧୬୦୦ ଖ୍ରୀଷ୍ଟାବ୍ଦରେ ବାଣିଜ୍ୟ କରିବା ପାଇଁ ପ୍ରଥମେ ଜଗତସିଂହପୁରକୁ ଆସିଥିଲେ। ଅଳକା ନଦୀ ଦେଇ ପଣ୍ୟ କାରବାର ହେଉଥିଲା। ସେହି ଅଳକା ନଦୀ ଆଜି ପ୍ରଭାବଶାଳୀ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ଅଳକା ପୁନରୁଦ୍ଧାର କଥା ପ୍ରଥମେ ବିଧାନସଭାରେ ଉଠାଇଥିଲି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଜିଲ୍ଲା ଉତ୍ସବରେ ଅଳକା ପୁନରୁଦ୍ଧାର ପ୍ରସଙ୍ଗରେ କହିଥିଲେ। ସମସ୍ତଙ୍କ ସ୍ବର ଏକ ହେଲେ ଅଳକା ନଦୀର ପୁନରୁଦ୍ଧାର ସମ୍ଭବ ବୋଲି ବିଧାୟକ ଅମରେନ୍ଦ୍ର ଦାସ ଆଜି ଜଗତସିଂହପୁର ନିର୍ବାଚନମଣ୍ଡଳୀରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।
ମଣ୍ଡାସାହି ବିଅଁଳସ୍ଥିତ ପ୍ରସିଦ୍ଧ ଗତେଶ୍ବର ଶିବ ମନ୍ଦିରରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଶ୍ରୀ ଦାସ କହିଲେ, ପରିବେଶକୁ ସନ୍ତୁଳନ କରିବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକ ରହିଛି। ଏଥିପାଇଁ ସରକାର ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବା ସହ ପ୍ରତି ପଞ୍ଚାୟତରେ ୫୦୦ ବୃକ୍ଷରୋପଣ ସହ ଏହାର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି। ସେହିପରି ପ୍ରଧାମନ୍ତ୍ରୀଙ୍କ ମା’ଙ୍କ ନାଁରେ ଗଛ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ବୃକ୍ଷରୋପଣ ହେଲେ ପରିବେଶ ପ୍ରଦୂଷଣ ହ୍ରାସ ସହ ମୃତ୍ତିକା ସଂରକ୍ଷଣ ହୋଇପାରିବ। ପୁରୋହିତପୁର-ଜଇପୁର ରାସ୍ତା ସମ୍ପ୍ରସାରଣ ପାଇଁ ଅନାବଶ୍ୟକ ବୃକ୍ଷ କାଟି ଦିଆଗଲା। ଫଳରେ ଠିଆ ହେବାକୁ ଛାଇ ଟିକେ ମଧ୍ୟ ନାହିଁ। ସେହି ରାସ୍ତାରେ କିପରି ତୁରନ୍ତ ବୃକ୍ଷରୋପଣ କରିହେବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ଯୋଗ ଦେଇ ବୃକ୍ଷରୋପଣ, ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଶିକ୍ଷାବିତ୍ ସୁଭାଷ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବାଦ ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିହାରୀ ପ୍ରାରମ୍ଭିକ ସୂଚନା ଦେବା ସହ ପରିବେଶ ପଞ୍ଚାୟତର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ‘ସମ୍ବାଦ’ ଜଗତସିଂହପୁର ସଦର ପ୍ରତିନିଧି ଦୁର୍ଯ୍ୟୋଧନ ମହାରଣା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/14/dgjdgjdgjgjd-2025-09-14-00-30-22.jpg)