ସଜାଡ଼ି ହେଉଛି ୬ ଜିଲ୍ଲା : ୭ଦିନ ଭିତରେ ସବୁ ଗାଁକୁ ପାନୀୟ ଜଳଯୋଗାଣ

୧୨ ସୁଦ୍ଧା ପୁରୀ ବଡ଼ ଦାଣ୍ଡରେ ଲାଇଟ୍‌ ଜଳିବ, ୧୫ରୁ ପୁରୀ ଓ କୋଣାର୍କରେ ବିଦ୍ୟୁତ ଯୋଗାଣ

ଭୁବନେଶ୍ବର : ବାତ୍ୟାରେ ଉଜୁଡ଼ି ଯାଇଥିବା ୬ଟି ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଏବେ ସ୍ଥିତି ସୁଧୁରୁଛି। ଜନଜୀବନ ଯେପରି ସ୍ବାଭାବିକ ହେବ ସେଥିପାଇଁ ପ୍ରଶାସନ ଜୋରଦାର୍ ଉଦ୍ୟମ କରୁଛି ବୋଲି ରାଜ୍ୟ ସରକାର କହିଛନ୍ତି।

ଗ୍ରାମୀଣ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉପରୋକ୍ତ ୬ଟି ଜିଲ୍ଲାରେ ୨୩୬୪ଟି ଜଳଯୋଗାଣ ବ୍ୟବସ୍ଥା ଥିବା ବେଳେ ଏବେ ସୁଦ୍ଧା ୧୫୫୦ଟିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ୩୦୦ ଉଚ୍ଚ ଶକ୍ତିସଂପନ୍ନ ଜେନେରେଟର ବ୍ୟବହାର କରି ଜଳଯୋଗାଣ ବ୍ୟବସ୍ଥାକୁ ସ୍ବାଭାବିକ କରାଯାଉଛି। ଆସନ୍ତା ୭ଦିନ ଭିତରେ ୨୩୬୪ଟି ଯାକ ଜଳ ଯୋଗାଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଇଛି।

ଆଜି ପୂର୍ବାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ‌େର ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ କହିଲେ, ଅତ୍ୟଧିକ କ୍ଷତିଗ୍ରସ୍ତ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାର ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଗ୍ରା‌ଧିକାର ଦିଆଯାଇଛି। ‌େଖାର୍ଦ୍ଧା ଜିଲ୍ଲାରେ ଆଜି ସୁଦ୍ଧା ୨୨୬ଟି ଏବଂ ପୁରୀ ଜିଲ୍ଲାରେ ୭୧ଟି ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି। ଗ୍ରାମୀଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି। ଖୁବ୍‌ ଶୀଘ୍ର ସମସ୍ତ ଜଳଯୋଗାଣ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କୁହାଯାଇଛି।

ସେହିପରି ବିଦ୍ୟୁତ ସରବରାହ ଭିତ୍ତିଭୂମିକୁ ସ୍ବାଭାବିକ କରିବା ପାଇଁ ତ୍ବରିତ ବେଗରେ କାର୍ଯ୍ୟ ଚାଲିଛି। ଭୁବନେଶ୍ବର ସହରରେ ସେସୁ ଅଧୀନସ୍ଥ ତିନିଟି ଡିଭିଜନରେ ୧୪୯ଟି ଫିଡରରୁ ଆଜି ରାତି ସୁଦ୍ଧା ୬୮ଟି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି। ବିଏମ୍‌ସି ଅଞ୍ଚଳରେ ଶୁକ୍ରବାର ରାତି ସୁଦ୍ଧା ୮୦% ବିଦ୍ୟୁତ ସଂଯୋଗୀକରଣ ଏବଂ ୧୨ତାରିଖ ସୁଦ୍ଧା ସଂପୂର୍ଣ୍ଣ ସଂଯୋଗୀକରଣ କରିବାକୁ ଜୋରଦାର୍ କାମ ହେଉଛି।

ଆଜି ରାତି ସୁଦ୍ଧା ବିସିଡିଡି-୧ର ବାକି ରହିଥିବା ୬ଟି ଫିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା ଚାଲିଛି। ସେହିଭଳି ବିସିଡିଡି-୨ ଅନ୍ତର୍ଗତ ୬୬ଟି ୧୧କେଭି ଫିଡର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯ଟିକୁ ଚାର୍ଜ କରାଯାଇ ୩୩ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି। ଅତିରିକ୍ତ ୨୫ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଉଦ୍ୟମ ଜାରି ରହିଛି। ଏଥିରେ ବିଭିନ୍ନ ବସ୍ତିବାସିନ୍ଦା ଅନ୍ତର୍ଭୁକ୍ତ। ସେହିଭଳି ବିଇଡିର ୧୫ଟି ଫିଡର ଚାର୍ଜ କରାଯାଇଛି। ଅବଶିଷ୍ଟ ୬ଟି ଫିଡରକୁ ରାତି ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଚାଲିଛି। ବିଇଡି ଡିଭିଜନ ଅନ୍ତର୍ଭୁକ୍ତ ସହରାଞ୍ଚଳର ୭୮ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୧୬ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ୧୨ତାରିଖ ସୁଦ୍ଧା ଭୁବନେଶ୍ବରର ସମସ୍ତ ୨ଲକ୍ଷ ୩୩ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯିବ।

୧୨ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଦ୍ୟୁତ ସରବରାହ ସୁନିଶ୍ଚିତ କରିବା ପାଇଁ ଜୋରଦାର କାମ ହେଉଛି। ପୁରୀ ଜିଲ୍ଲାରେ ନିୟୋଜିତ ୧୭୫ଟି ଗ୍ୟାଙ୍ଗର ପ୍ରାୟ ୧୮୦୦ ବିଦ୍ୟୁତ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ୧୫ତାରିଖରୁ ପୁରୀ ସହରର ଅନ୍ୟ ଅଞ୍ଚଳ ଓ କୋଣାର୍କରେ ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ଯୋଗାଣ ଆରମ୍ଭ କରିବାକୁ ନିରନ୍ତର କାମ ଜାରି ରହିଛି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

ଏହାସହ ୫୦୦ରୁ ଅଧିକ ଆଇଟିଆଇ ଓ ପଲିଟେକନିକ୍‌ ପ୍ରଶିକ୍ଷାର୍ଥୀ ଘରୋଇ ଉପଭୋକ୍ତାମାନଙ୍କୁ ସହଯୋଗ କରିବା ପାଇଁ ନିୟୋଜିତ ହୋଇଛନ୍ତି। ଏହି ପ୍ରଶିକ୍ଷାର୍ଥୀମାନେ ଘରଘର ବୁଲି ଘରୋଇ ବିଦ୍ୟୁତ ସେବା ସଜାଡ଼ିବାରେ ସହଯୋଗ କରିବେ।

ବ୍ୟାଙ୍କିଂ ସେବା ଯେପରି ସ୍ବାଭାବିକ ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି। ପୁରୀ ଜିଲ୍ଲାର ୨୩୯ଟି ବ୍ୟା‌ଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୦ଟି ଶାଖା କାର୍ଯ୍ୟକ୍ଷମ ହୋଇପାରିଛି। ସେହିପରି ୨୭୩ଟି ଏଟିଏମ୍‌ରୁ ୨୦ଟି ସଚଳ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଓ ଭୁବନେଶ୍ବର ସହରରେ ଥିବା ୭୦୭ଟି ବ୍ୟାଙ୍କ ଶାଖା ମଧ୍ୟରୁ ୩୭୨ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ୧୧୬୪ଟି ଏଟିଏମ୍‌ ମଧ୍ୟରୁ ୧୯୭ଟି ଏଟିଏମ୍ ସଚଳ ହୋଇଛି। କଟକ ଜିଲ୍ଲାର ୪୨୨ଟି ଶାଖା ମଧ୍ୟରୁ ୨୬୦ଟି କାର୍ଯ୍ୟକ୍ଷମ ହୋଇଛି। ୫୯୩ଟି ଏଟିଏମ୍‌ ମଧ୍ୟରୁ ୧୬୨ଟି ଏଟିଏମ୍‌ରୁ ଅର୍ଥ ଉପଲବ୍ଧ ହେଉଛି। ସେହିଭଳି ଜଗତସିଂହପୁର ଜିଲ୍ଲାର ୧୭୮ଟି ବ୍ୟାଙ୍କ ଶାଖା ମଧ୍ୟରୁ ୧୨୩ଟି ସଚଳ ହୋଇଥିବାବେଳେ ୧୯୬ଟି ଏଟିଏମ୍‌ ମଧ୍ୟରୁ ୧୧୨ଟି କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୧୪୪ଟି ବ୍ୟାଙ୍କ ମଧ୍ୟରୁ ୧୧୩ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ୧୯୬ଟି ଏଟିଏମ୍‌ ମଧ୍ୟରୁ ୧୦୫ଟି ଏଟିଏମ୍‌ କାର୍ଯ୍ୟ କରୁଛି।

ବାତ୍ୟା ଅଞ୍ଚଳର କ୍ଷୟକ୍ଷତି ଆକଳନ ପାଇଁ ବୀମା କମ୍ପାନିଗୁଡ଼ିକର କର୍ତ୍ତୃପକ୍ଷ ତୁରନ୍ତ ପ୍ରତିନିଧି ପଦାଧିକାରୀ ପଠାଇ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କ କାରବାରରେ ନେଣଦେଣ ପାଇଁ ଅର୍ଥରାଶିର କୌଣସି ସମସ୍ୟା ନାହିଁ। ବ୍ୟାଙ୍କ ସେବା ସମ୍ପର୍କିିତ ଅଧିକ କ୍ରିୟାଶୀଳତା ନିମନ୍ତେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଏକ ସ୍ବତନ୍ତ୍ର ବୈଠକ ଡକାଇବାକୁ ରାଜ୍ୟ ସରକାର ନି‌ର୍ଦ୍ଦେଶ ଦେଇଛନ୍ତି।

ଅପରପକ୍ଷେ ବାତ୍ୟାରେ ପୁରୀ ଜିଲ୍ଲା ଅନ୍ତର୍ଗତ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାର ନନ୍ଦନକାନନରେ କୌଣସି ବନ୍ୟପ୍ରାଣୀ ମୃତ୍ୟୁବରଣକରିଥିବା ଖବର ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ନିୟୋଜିତ ୧୧୦ଟି ଦଳ ଗଛକଟା କାର୍ଯ୍ୟ କରୁଛନ୍ତି। ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ କାଟି ସଫା କରିବା ସହ ଆଂଶିକ ଉପୁଡ଼ିପଡ଼ିଥିବା ଗଛଗୁଡ଼ିକୁ ପୁନଃସଂସ୍ଥାପିତ କରିବାକୁ ପଦକ୍ଷେପ ନେଉଛନ୍ତି। ଖୋଦ୍‌ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଜେ ଉପସ୍ଥିତ ରହି ପୁରୀ ବାଲୁଖଣ୍ଡ ଜଙ୍ଗଲର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର