ରାଉରକେଲା: ସେକ୍ଟର୍-୪ରେ ଥିବା ସହରର ପ୍ରତିଷ୍ଠିତ ମଧୁବନ ରେସ୍ତୋରାଁକୁ ସିଲ୍ କରିଛି କର୍ତ୍ତୃ୍ପକ୍ଷ। ଗ୍ରାହକଙ୍କୁ ବାସି ଓ ଅସ୍ବାସ୍ଥ୍ୟକର ଖାଦ୍ୟ ପରସୁଥିବାରୁ ଏହି ପୁରୁଣା ରେସ୍ତୋରାଁ ବିରୋଧରେ ଚରମ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ବହୁ ହୋଟେଲ୍, ରେସ୍ତୋରାଁ ଗ୍ରାହକମାନଙ୍କୁ ବାସି ଓ ଅଖାଦ୍ୟ ପରସୁ ଥିବାବେଳେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେବଳ ରାସ୍ତାପାର୍ଶ୍ବ ଠେଲା ଓ ଛୋଟ ଦୋକାନ ଉପରେ ସୀମିତ ଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା।
ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଚଢ଼ଉ ହେଉଥିଲେ ହେଁ ଏହାର କୌଣସି ପ୍ରଭାବ ହୋଟେଲ୍ ଓ ରେସ୍ତୋରାଁ ମାଲିକଙ୍କ ଉପରେ ପଡ଼ୁନଥିଲା। ନିକଟରେ ଅସ୍ବାସ୍ଥ୍ୟକର ପରିବେଶରେ ନିମ୍ନମାନର ଆଇସ୍କ୍ରିମ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଆର୍ଏମ୍ସି ପକ୍ଷରୁ ଚଢ଼ଉ କରି ସିଲ୍ କରାଯାଇଥିଲା। ଆଜି ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ସେକ୍ଟର-୪ସ୍ଥ ମଧୁବନ ରେସ୍ତୋରାଁରେ ଚଢ଼ଉ ହୋଇଥିଲା।
ରେସ୍ତୋରାଁର ଖାଦ୍ୟପଦାର୍ଥ ଯଥା, ଖୁଆ, ମିଠା ଏବଂ ସବୁ ଖାଦ୍ୟରେ ବ୍ୟବହୃତ ମସଲାର ନମୁନା ସଂଗ୍ରହ କରାଯାଇ ଏହାର ମାନ ପରୀକ୍ଷା ପାଇଁ ଭୁବନେଶ୍ଵରସ୍ଥ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି। ଅସ୍ଵାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି କରିବା ସହ ରୋଷେଇଶାଳାରେ ଅସରପା, ମୂଷା ବୁଲିବା, ମିଠା ପ୍ରସ୍ତୁତ ସ୍ଥାନରେ ବାସନ ସଫା କରିବା ଘଟଣା ନଜରକୁ ଆସିବା ପରେ ସଂପୃକ୍ତ ରେସ୍ତୋରାଁକୁ ପୂର୍ବରୁ ଆର୍ଏମ୍ସି ତରଫରୁ ନୋଟିସ୍ ଜାରି କରାଯାଇଥିଲା।
ତିନିତିନିଥର ନୋଟିସ୍ ପରେ ବି ରେସ୍ତୋରାଁର ମାଲିକ କୌଣସି ପଦକ୍ଷେପ ନେଉ ନଥିଲେ। ଫଳରେ ଗୁରୁବାର ଅତର୍କିତ ଚଢ଼ଉ କରାଯାଇ ମଧୁବନ ରେସ୍ତୋରାଁକୁ ସାତ ଦିନ ପାଇଁ ସିଲ୍ କରାଯାଇଛି। କାର୍ଯ୍ୟନିର୍ବାହୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବିକାଶ ଭୋଇଙ୍କ ସହ ଆର୍ଏମ୍ସି ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ସ୍ଵାଗତିକା ବେହେରା, ଦୀକ୍ଷା ଦେ’ ଏବଂ ମୋନାଲିସା ଟପ୍ପୋ ସେକ୍ଟର-୩ ପୁଲିସ ସହଯୋଗରେ ଉକ୍ତ ରେସ୍ତୋରାଁଟିକୁ ସିଲ୍ କରିଥିଲେ।
ଆଗାମୀ ଦିନରେ ଯଦି ହୋଟେଲ୍, ରେସ୍ତୋରାଁ ଓ ରାସ୍ତାକଡ଼ରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୋକାନ ଗୁଡ଼ିକ ନିମ୍ନମାନ ତଥା ଅପମିଶ୍ରିତ ଖାଦ୍ୟ ବିକ୍ରି କରନ୍ତି, ପ୍ରସ୍ତୁତି ସମୟରେ ଆବଶ୍ୟକ ପରିଚ୍ଛନ୍ନତାକୁ ଗୁରୁତ୍ଵ ନ ଦିଅନ୍ତି, ତେବେ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି। ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ ଆର୍ଏମ୍ସି ପକ୍ଷରୁ ସହରର ବିଭିନ୍ନ ହୋଟେଲ, ରେସ୍ତୋରାଁ ଓ ରାସ୍ତାପାର୍ଶ୍ବ ଠେଲାଗୁଡ଼ିକୁ କଡାକଡ଼ି ଭାବେ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି। ସହରର ନୂଆ ବସ୍ଷ୍ଟାଣ୍ଡ, ରେଳଷ୍ଟେସନ ସମେତ ଅନ୍ୟାନ୍ୟ ଜାଗାରେ ସହରବାସୀଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/21/JPFPV3fguLM6WzwbUQea.jpg)