ସମାବେଶ, ଶୋଭାଯାତ୍ରା ଓ ରାଲି ଉପରେ ଲାଗିଲା ରୋକ, ବିବାହ ଓ ଅନ୍ତ୍ୟେଷ୍ଟିରେ ଯୋଗଦାନ କଟକଣା

ଭୁବନେଶ୍ବର : କରୋନା ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି।  ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର  ରାଜ୍ୟବାସୀଙ୍କୁ ଏହି କଟକଣାଗୁଡ଼ିକ ସମୟରେ ‌ଲାଗୁ ହେଉଥିବା କଟକଣା ସଂପର୍କରେ ଅବଗତ କରିଛନ୍ତି। କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସମସ୍ତ ପ୍ରକାର ସମାବେଶ ଉପରେ ରୋକ ଲଗାଇଛନ୍ତି ସରକାର। କୌଣସି ସାମାଜିକ, ଧାର୍ମିକ, ସାଂସ୍କୃତିକ, ରାଜନୈତିକ ଓ ଅନ୍ୟ ସବୁପ୍ରକାର ସମାବେଶ ଉପରେ ନିଷେଧାଦେଶ ଜାରି କରାଯାଇଛି।  ବିବାହ ଶୋଭାଯାତ୍ରା, ଧାର୍ମିକ ଶୋଭାଯାତ୍ରା ଓ ରାଜନୈତିକ ଶୋଭାଯାତ୍ରା ଏବଂ ରାଲି ଉପରେ ସରକାର ରୋକ ଲଗାଇଛନ୍ତି।

ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାର ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ଉପରେ ବି କଟକଣା ଜାରି କରିଛନ୍ତି । ଏଣିକି ବିବାହରେ କେବଳ ୫୦ ଜଣ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଯୋଗ ଦେବାକୁ ଅନୁମତି ମିଳିବ ବୋଲି ରାଜ୍ୟ ସରକାର ନିୟମ ଜାରି କରିଛନ୍ତି ।  ପୂର୍ବରୁ ବିବାହ ପାଇଁ ଶୋଭାଯାତ୍ରା  ଅନୁମତି ଦେଇଥିବା ସରକାର ଏବେ ପୁଣି ଥରେ ଶୋଭାଯାତ୍ରାକୁ ନା କହିଛନ୍ତି । ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା ବେଳ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସେହିପରି ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ‌ ନେଇ ଚାଲିବ। ମାତ୍ର ସବୁଠାରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଅନୁସରଣ କରିବାକୁ କୁହାଯାଇଛି।

ସେହିପରି କୋଭିଡ୍ ପରିସ୍ଥିତିରେ ରାଜ୍ୟର ବ୍ୟବସାୟୀମାନେ କୋଭିଡ୍ ନିୟମ ଅନୁପାଳନ କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ବ୍ୟବସାୟୀମାନେ ସବୁବେଳେ ମାସ୍କ ପିନ୍ଧିବା ସହିତ ଦୋକାନରେ ସାମାଜିକ ଦୂରତା ପାଳନ କରିବାକୁ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ହାଟ, ଦୋକାନ ଓ ବଜାରରେ ଏଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି । ଯଦି କୌଣସି ଦୋକାନୀ ନିୟମ ନମାନିଲେ ତେବେ ତାଙ୍କ ଦୋକାନକୁ ସିଲ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର