ଭୁବନେଶ୍ବର: ଦୀପାବଳିରେ ବାୟୁ ପ୍ରଦୂଷଣ ରୋକିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଟକଣା ଜାରି କରିଥିଲା। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ସବୁଜ ବାଣ ଫୁଟାଇବାକୁ ପରାମର୍ଶ ଦିଆଯାଇଥିଲା। ମାତ୍ର ନିର୍ଦ୍ଦେଶକୁ କେହି ମାନିଲେ ନାହିଁ। ପୁଲିସକୁ ବି ଖାତିର କଲେନି। ବିନା ବାଧାରେ ସୋମବାର ସନ୍ଧ୍ୟା ହେଉ ହେଉ ଆରମ୍ଭ ହୋଇଗଲା ଢୋ…‌ଢା। ଭୁବନେଶ୍ବରରୁ ଆରମ୍ଭ କରି ବାଲେଶ୍ବର ପର୍ଯ୍ୟନ୍ତ, ସବୁଠି ପ୍ରଚଣ୍ଡ ଶବ୍ଦରେ କମ୍ପି ଉଠିଥିଲା। ସୁତୁଲି ବାଣ, ବକ୍ସ ସଟ୍‌, କୁମ୍ପି, କୋନ୍‌, ଝରଝରିରେ ସାରା ରାଜ୍ୟରେ ଭରିଗଲା ଆଖିଝଲସା ନିଆଁ ଆଉ ଧୂଆଁ। ଦେଖିଲେ ଲାଗୁଥିଲା ଯେପରି ସମସ୍ତଙ୍କ ମନରୁ ପରିବେଶ ସୁରକ୍ଷା ଭାବନା ଉଭେଇ ଯାଇଛି। ସମସ୍ତେ ନିଜ କର୍ତ୍ତବ୍ୟ ଭୁଲିଯାଇଛନ୍ତି। ପରିଣାମ ସ୍ବରୂପ ଭୁବନେଶ୍ବର, କଟକ, ଅନୁଗୁଳ, ବାଲେଶ୍ବର, ତା‌ଳଚେର, ବଡ଼ବିଲ୍‌ ଭଳି ସହରର ବାୟୁ ପ୍ରଦୂଷଣ ୪ରୁ ୫ ଘଣ୍ଟା ଧରି ଶୀର୍ଷ ସ୍ତରରେ ପହଞ୍ଚିଥିଲା। 

Advertisment

ରାଜ୍ୟର ବିଭିନ୍ନ ସହରରେ ଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଷ୍ଟେସନ୍‌ର ତଥ୍ୟ ଅନୁଯାୟୀ କଟକ ଓ ଭୁବନେଶ୍ବର ସହରର ବାୟୁ ପ୍ରଦୂଷଣ ସୋମବାର ରାତି ୯ଟାରୁ ଖରାପ ହୋଇଥିଲା, ଯାହାକି ରାତି ଗୋଟାଏ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। କଟକରେ ରାତି ୯ଟାରେ ବାୟୁ ଗୁଣବତ୍ତା ସୂଚଙ୍କାଙ୍କ(ଏକ୍ୟୁଆଇ) ପିଏମ୍‌୨.୫ (୨.୫ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍‌ ବ୍ୟାସ ବିଶିଷ୍ଟ ସୂକ୍ଷ୍ମ ନିଶ୍ୱାସଯୋଗ୍ୟ କଣିକା, ଯାହାକି ଫୁସଫୁସରେ ପ୍ରବେଶ କରି ରକ୍ତପ୍ରବାହରେ ବିପଦ ସୃଷ୍ଟି କରେ) ୩୫୨ରେ ପହଞ୍ଚିଥିବା ବେଳେ ରାତି ୧୦ରୁ ୧୨ଟା ପର୍ଯ୍ୟନ୍ତ ଗମ୍ଭୀର ସ୍ଥିତି ଅର୍ଥାତ୍‌ ୫୦୦ରେ ରହିଥିଲା। ରାତି ଗୋଟାଏ ବେଳେ ମଧ୍ୟ ୪୦୨ରେ ରହିଥିଲା।  ପିଏମ୍‌୧୦ (୧୦ ମାଇକ୍ରୋମିଟର କିମ୍ବା ତା’ଠାରୁ କମ୍ ବ୍ୟାସ ବିଶିଷ୍ଟ କଣିକା ପଦାର୍ଥ, ଯାହାକି ନିଶ୍ୱାସ ନେବା ଏବଂ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ) ରାତି ୧୦ଟାରେ ୪୪୯, ୧୧ରେ ୪୯୧, ୧୨ଟାରେ ୪୭୭ ରହିଥିଲା।

ସନ୍ଧ୍ୟା ୬ରୁ ରାତି ଗୋଟାଏ ଯାଏଁ ଗମ୍ଭୀର ସ୍ତରରେ ପ୍ରମୁଖ ସହର
କଟକ, ଭୁବନେଶ୍ବର, ବାଲେଶ୍ବରରେ ୫୦୦ ଟପିଗଲା
ଅନୁଗୁଳ, ବଡ଼ବିଲରେ ମଙ୍ଗଳବାର ସକାଳେ ସ୍ଥିତି ସୁଧୁରିଲା

ଅନୁରୂପ ସ୍ଥିତି ଭୁବନେଶ୍ବରରେ ଉପୁଜିଥିଲା। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଷ୍ଟେସନ୍‌ର ତଥ୍ୟ ଅନୁଯାୟୀ ରାତି ୯ଟାରେ ପିଏମ୍‌୨.୫ର ମାତ୍ରା ୩୮୯ରେ ପହଞ୍ଚିଥିବା ବେଳେ ପରବର୍ତ୍ତୀ ଦୁଇ ଘଣ୍ଟାରେ ୫୦୦ ଛୁଇଁଥିଲା। ପିଏମ୍‌୧୦ ମଧ୍ୟ ରାତି ୯ଟାରୁ ୧୧ଟା ମଧ୍ୟରେ ଯଥାକ୍ରମେ ୨୨୨, ୪୭୨ ଓ ୫୦୦ରେ ପହଞ୍ଚିଥିଲା। ପଟିଆ ଅଞ୍ଚଳ ଷ୍ଟେସନ୍‌ର ତଥ୍ୟ ଅନୁଯାୟୀ ପିଏମ୍‌୨.୫ ରାତି ୯ଟା ବେଳକୁ ୨୪୦ରେ ପହଞ୍ଚିଥିଲା। ପରବର୍ତ୍ତୀ ଦୁଇ ଘଣ୍ଟା ଅର୍ଥାତ୍‌ ରାତି ୧୦ଟା ବେଳକୁ ୩୧୯ ଓ ୧୧ଟାରେ ୩୬୯ ଛୁଇଁଥିଲା। ରାତି ୧୧ଟା ବେଳକୁ ପିଏମ୍‌୧୦ ଅନୁରୂପ ଭାବେ ୨୧୫ରେ ଥିଲା। ବାଲେଶ୍ବରରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିଥିଲା। ରାତି ୯ଟାରେ ପିଏମ୍‌୨.୫ ମାତ୍ରା ୨୯୭ରେ ପହଞ୍ଚିଥିବା ବେଳେ ପରବର୍ତ୍ତୀ ୫ ଘଣ୍ଟାରେ ଯଥାକ୍ରମେ ୪୨୮, ୫୦୦, ୫୦୦, ୩୭୬ ଓ ୩୧୩ ରହିଥିଲା। ପିଏମ୍‌୧୦ ମାତ୍ରା ରାତି ୧୦ଟାରେ ୩୩୮, ୧୧ଟାରେ ୪୨୬ ଓ ୧୨ଟା ବେଳକୁ ୫୦୦ ଛୁଇଁଥିଲା। 

ସବୁବେଳେ ଖରାପ ସ୍ଥିତିରେ ରହୁଥିବା ଅନୁଗୁଳର ବାୟୁମଣ୍ଡଳ ଗମ୍ଭୀର ହୋଇଯାଇଥିଲା। ଦୀପାବଳି ପୂର୍ବରୁ ଖରାପ ସ୍ତରରେ ଥିବା ଏଠାକାର ବାୟୁମଣ୍ଡଳ ସୋମବାର ରାତି ୧୦ଟା ବେଳକୁ ୪୫୬, ୧୧ଟାରେ ୫୦୦, ୧୨ଟାରେ ୪୫୮, ରାତି ଗୋଟାଏରେ ୪୬୯, ୨ଟାରେ ୩୦୫, ୩ଟାରେ ୩୦୨ରେ ରହିଥିଲା। ପିଏମ୍‌୧୦ ମାତ୍ରା ରାତି ୧୦ଟାରୁ ରାତି ୧ଟା ମଧ୍ୟରେ ଯଥାକ୍ରମେ ୪୦୩, ୪୭୦, ୪୦୪ ଓ ୪୦୧ ରହିଥିଲା। ସେହିପରି ବଡ଼ବିଲ୍‌ ସହରରେ ରାତି ୧୧ଟାରୁ ଭୋର ୩ଟା ପର୍ଯ୍ୟନ୍ତ ବାୟୁର ପ୍ରଦୂଷଣ ମାତ୍ରା ଗମ୍ଭୀର ସ୍ଥିତିରେ ରହିଥିଲା। ସୁଧାର ଆସିବାକୁ ମଙ୍ଗଳବାର ସକାଳ ୮ଟା ବାଜି ଯାଇଥିଲା। ତାଳଚେରରେ ପିଏମ୍‌୨.୫ ରାତି ୧୦ଟାରୁ ୧ଟା ମଧ୍ୟରେ ଯଥାକ୍ରମେ ୩୫୩, ୩୮୫, ୩୨୧ ଓ ୨୪୭ ରହିଥିଲା। ପିଏମ୍‌୧୦ ମାତ୍ର ରାତି ୧୧ଟା ବେଳକୁ ୨୬୬ରେ ଥିଲା। ଷ୍ଟେସନ୍‌ ନ ଥିଲେ ମଧ୍ୟ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟ ବାଣ ଫୁଟିବା ଦ୍ବାରା ପ୍ରଦୂଷିତ ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଅଧିକାରୀ କହିଛନ୍ତି।