ଭୁବନେଶ୍ୱର : କୋଭିଡ୍-୧୯ ମହାମାରୀ ସଂକ୍ରମଣ କଟକଣା ତାଲିକାରେ ଛଟ୍ ପୂଜା ଓ ନଦୀରେ ସମୂହ ବୁଡ଼କୁ ସାମିଲ କରାଯାଇଛି। ଆଜି ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆସନ୍ତା ନଭେମ୍ବର ୨୦ ଓ ୨୧ ତାରିଖରେ ଛଟ୍ ପୂଜା ହେବ। ସେଦିନ ନଦୀ ବା ଘାଟରେ ବ୍ୟାପକ ଲୋକଙ୍କ ସମାଗମ ହୋଇଥାଏ। ଏହା କୋଭିଡ୍ ସଂକ୍ରମଣ ବୃଦ୍ଧି କରିପାରେ ବୋଲି ସରକାରଙ୍କ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି। ତେଣୁ ଏହା ଉପରେ କଟକଣା ଜାରି କରାଯାଇଛି। ଏହା ସହିତ ସମୂହ ବୁଡ଼କୁ ମଧ୍ୟ ଅନୁମତି ଦିଆଯାଇପାରିବ ନାହିଁ ବୋଲି କୁହାଯାଇଛି। ଏସ୍ଆର୍ସି ଆହୁରି କହିଛନ୍ତି ଯେ ଲୋକମାନେ ସମୂହ ଏକଜୁଟ ନହୋଇ ନିଜ ଘରେ ରହି ପୂଜାର୍ଚ୍ଚନା କରିବା ଦରକାର। କେବଳ ସେତିକି ନୁହେଁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ହାତ ସାନିଟାଇଜର ଉପରେ ବି ଗୁରୁତ୍ବ ଦିଆଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ
ଓଡ଼ିଶା ବିପର୍ଯ୍ୟର ପରିଚାଳନା ନିୟମ-୨୦୧୦ର ଧାରା ୮(୧) ଅନ୍ତର୍ଗତ ରାଜ୍ୟ ସରକାର ଏଭଳି କଟକଣା କରିଛନ୍ତି।
ଉଲ୍ଲେଖଥାଉକି, କାର୍ତ୍ତିକ ପୂର୍ଣ୍ଣିମାରେ ମଧ୍ୟ ନଦୀ, ଘାଟ ଆଦି ବୁଡ଼ ଉପରେ ସରକାରୀ କଟକଣା ଲାଗିଛି। ଏ ସଂକ୍ରାନ୍ତରେ ପୂର୍ବରୁ ସରକାର ନିର୍ଦେଶନାମା ଜାରି କରିସାରିଥିବା ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/chhat-puja.jpg)