ବାହାର ରାଜ୍ୟରୁ ଆସିବା ଉପରେ ଲାଗିଲା କଟକଣା: ନେଗେଟିଭ୍ ରିପୋର୍ଟ ନ ଥିଲେ ୭ ଦିନ ସଙ୍ଗରୋଧ

ଛତିଶଗଡ଼କୁ ଯାତ୍ରୀ ପରିବହନ ସେବା ବାତିଲ୍‌

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଆଜି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବାହାର ରାଜ୍ୟରୁ ଓଡ଼ିଶା ଆସିବା ଉପରେ ଏକାଧିକ କଟକଣା ଜାରି କରାଯାଇଛି। ଟ୍ରେନ୍‌, ବସ୍‌, ବିମାନରେ ଆସୁଥିବା ଯାତ୍ରୀ ଓଡ଼ିଶାରେ ପ୍ରବେଶ କରିବା ସମୟରେ ଆର୍‌ଟି-ପିସିଆର୍‌ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ। ଏହି ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର। ଯେଉଁମାନେ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି, ସେମାନେ ଟିକାକରଣର ସାର୍ଟିଫିକେଟ୍‌ ଦେଖାଇବେ। ଆର୍‌ଟି-ପିସିଆର୍‌ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ନ ଥିଲେ, ସାତ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ। ସେମାନେ ନିଜ ଇଚ୍ଛାରେ ଗୃହ ସଙ୍ଗରୋଧରେ ରହିପାରିବେ, ନଚେତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାତିରେ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି ହୋଇଛି।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖିବା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍‌ସି) ଓ କ୍ଲଷ୍ଟର୍‌ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଲ୍‌ ଟିଏମ୍‌ସି)କୁ ପ୍ରସ୍ତୁତ ରଖିବାକୁ ୧୬ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ‌କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର। ଟିଏମ୍‌ସି ଖୋଲିବା ଓ ତାହାକୁ ଚଳାଇବାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ବହନ କରାଯିବ।

ଛତିଶଗଡ଼ରେ କରୋନା ସଂକ୍ରମଣ ସାଂଘାତିକ ଭାବେ ବଢ଼ିଥିବାରୁ ଓଡ଼ିଶାରୁ ଛତିଶଗଡ଼କୁ ସମସ୍ତ ପ୍ରକାର ଯାତ୍ରୀ ପରିବହନ ସେବାକୁ ଏପ୍ରିଲ୍‌ ୩୦ ଯାଏ ବାତିଲ କରାଯାଇଛି। ସୀମାରେ ଥିବା ଚେକ୍‌ ପଏଣ୍ଟ୍‌ଗୁଡ଼ିକରେ ପୁଲିସ୍‌ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହାୟତା ନେଇ ‌କଡ଼ାକଡ଼ି ଯାଞ୍ଚ୍‌ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବାହାରୁ ଆସୁଥିବା ସମସ୍ତ ଗାଡ଼ି ଓ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ନଜର ରଖି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି। ସୀମା ଚେକ୍‌ ପଏଣ୍ଟ୍‌ରେ କୋଭିଡ୍‌ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାକରଣ ପ୍ରମାଣପତ୍ର ନ ଦେଖାଇଲେ ସେମାନଙ୍କୁ ବାଧ୍ୟତାମୂଳକ ସଙ୍ଗରୋଧରେ ପଠାଯିବ। ରାଜ୍ୟକୁ ଆସୁଥିବା ଲୋକ ଏଥି ପାଇଁ ଏକ ଫର୍ମ ପୂରଣ କରି ଅଣ୍ଟର୍‌ଟେକିଂ ଦେବେ।

ସମସ୍ତ ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ନିଜ ସଂସ୍ଥାର କୋଭିଡ୍‌ ପଜିଟିଭ୍‌ ରୋଗୀଙ୍କ ପାଇଁ ନିଜସ୍ବ କୋଭିଡ୍‌ କେୟାର ସେଣ୍ଟର୍‌ ଖୋଲିବାକୁ କୁହାଯାଇଛି। ସମସ୍ତ ଅନୁଷ୍ଠାନ ଜଣେ ବରିଷ୍ଠ କର୍ମଚାରୀଙ୍କୁ କୋଭିଡ୍‌ କମ୍ପ୍ଲେୟାନ୍ସ ଅଫିସର୍‌(ସିସିଓ) ଭାବେ ଦାୟିତ୍ବ ପ୍ରଦାନ କରିବେ। ସଂପୃକ୍ତ ଅଧିକାରୀ ନିଜ ସଂସ୍ଥା ପରିସରରେ କୋଭିଡ୍‌ ଗାଇଡ୍‌ଲାଇନ୍ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରି ପ୍ରତିଦିନ ଜିଲ୍ଲାପାଳ/ ମହାନଗର ନିଗମ କମିସନର୍‌ଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଇଛି। ଜିଲ୍ଲାପାଳ ଓ ମହାନଗର ନିଗମ କମିସନର୍‌ ନିଜ ନିଜ ଅଞ୍ଚଳର ସମସ୍ତ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ପ୍ରତିଷ୍ଠାନ ସହ ନିୟମିତ ବୈଠକ କରି କୋଭିଡ୍‌ ଗାଇଡ୍‌ଲାଇନ୍ ମାନିବାକୁ ସଚେତନ କରାଇବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର