ସରକାରୀ ବୈଠକ ଉପରେ କଟକଣା : ଏଣିକି ସର୍ବାଧିକ ୧୦ ଜଣ ଅଧିକାରୀ ରହିବେ; ଚା ଓ କଫି ଦିଆଯିବନି

୩ରୁ ଅଧିକ ଗୋଟିଏ ପ୍ରକୋଷ୍ଠରେ ଏକାଠି ହେବେନି

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ସରକାରୀ ବୈଠକକୁ ସୀମିତ କରିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ଏଣିକି କୌଣସି ବହୁ କର୍ମଚାରୀ ଓ ଅଧିକାରୀଙ୍କୁ ନେଇ କୌଣସି ବଡ଼ ବୈଠକ କରାଯିବନି। କରୋନା ପାଇଁ ତାଲାବନ୍ଦ ହେଉ କି ସଟ୍‌ଡାଉନ୍‌ ଲୋକସେବା ଭବନ, ଖାରବେଳ ଭବନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ବାରମ୍ବାର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିଲା। କିନ୍ତୁ କରୋନା ସଂକ୍ରମଣ ଯେପରି ଭାବରେ ବଢ଼ିଚାଲିଛି ଆଉ ସରକାର କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହନ୍ତି। ସରକାରୀ ବୈଠକକୁ ସଂକୁଚିତ କରିବା ସହିତ ଯେତେ କମ୍‌ ସଂଖ୍ୟକ ଲୋକରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Representative Image Source The Telegraph

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବୈଠକ କରିବାକୁ ହେଲେ ସାମାଜିକ ଦୂରତା ସହିତ ସର୍ବାଧିକ ୧୦ ଜଣ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିବେ। ବୈଠକକୁ ବାହାର ସଦସ୍ୟଙ୍କୁ ସମ୍ପୂର୍ଣ୍ଣ ଭାବେ ଡକାଯିବନି। ସେମାନଙ୍କ ପାଇଁ ଅନଲାଇନ୍‌ କିମ୍ବା ଭିଡିଓ କନଫରେନ୍‌ସିଂ ବ୍ୟବସ୍ଥା କରାଯିବ। ୩୦ ମିନିଟ୍‌ ଭିତରେ ବୈଠକକୁ ସୀମିତ ରଖାଯିବା ସହ ଖୋଲା ବାୟୁ ଚଳପ୍ରଚଳ ହେଉଥିବା ସ୍ଥାନରେ ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଗୋଟିଏ ପ୍ରକୋଷ୍ଠରେ ୩ ଜଣଙ୍କୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ଦିଆଯିବନି। କୌଣସି ବୈଠକରେ ଆଉ ଚା ଓ କଫି ମଧ୍ୟ ଦିଆଯିବ ନାହିଁ।

ସମ୍ବନ୍ଧିତ ଖବର